ଭୁବନେଶ୍ୱର: ଆଜିର ଯୁବପିଢ଼ି ଧୀରେ ଧୀରେ ଷ୍ଟକ୍ ମାର୍କେଟ୍ ଓ ବିଭିନ୍ନ ନିବେଶ ଯୋଜନା ପ୍ରତି ଆକୃଷ୍ଟ ହେଉଛନ୍ତି। କିନ୍ତୁ ନିବେଶ ସମ୍ପର୍କରେ ସେମାନଙ୍କର ପ୍ରଥମ ଶିକ୍ଷା କୌଣସି ଆର୍ଥିକ ପରାମର୍ଶଦାତା କିମ୍ବା ଷ୍ଟକ୍ ମାର୍କେଟ୍ ଆପ୍ରୁ ନୁହେଁ, ବରଂ ନିଜ ପରିବାରରୁ ଆରମ୍ଭ ହୋଇଥାଏ। ବାପାମାଆଙ୍କର ଫିକ୍ସଡ୍ ଡିପୋଜିଟ୍ ପ୍ରତି ଆଗ୍ରହ, ଜେଜେବାପା ଓ ଜେଜେମାଆଙ୍କର ସୁନା ଉପରେ ଭରସା କିମ୍ବା ଟଙ୍କା ହରାଇବା ଭୟରେ ପରିବାରର ପରାମର୍ଶ, ଜଣେ ଯୁବ ରୋଜଗାରକ୍ଷମ ବ୍ୟକ୍ତିଙ୍କ ନିବେଶ ଚିନ୍ତାଧାରାକୁ ଗଭୀର ଭାବେ ପ୍ରଭାବିତ କରିଥାଏ। ଏପରିକି ପ୍ରଥମ ଡିମାଟ୍ ଆକାଉଣ୍ଟ ଖୋଲିବା ପୂର୍ବରୁ ମଧ୍ୟ ପରିବାରର ଆର୍ଥିକ ଅଭ୍ୟାସ ତାଙ୍କ ନିବେଶ ନିଷ୍ପତ୍ତିକୁ ଗଢ଼ି ତୋଳିଥାଏ।

ସେବିର ଏକ ନିବେଶକ ସର୍ଭେ ଅନୁଯାୟୀ, ୫୯ ପ୍ରତିଶତ ନିବେଶକ ଷ୍ଟକ୍ ମାର୍କେଟ୍ ସମ୍ପର୍କିତ ଉତ୍ପାଦ ଓ ଯୋଜନା ବିଷୟରେ ସୂଚନା ପାଇଁ ବନ୍ଧୁ, ପରିବାର ସଦସ୍ୟ ଏବଂ ସହକର୍ମୀଙ୍କ ଉପରେ ନିର୍ଭର କରନ୍ତି। ଅନ୍ୟପକ୍ଷରେ, ପ୍ରାୟ ଏକ ଚତୁର୍ଥାଂଶ ନିବେଶକ ଆର୍ଥିକ ବିଶେଷଜ୍ଞ କିମ୍ବା ଗବେଷଣା ରିପୋର୍ଟର ସହାୟତା ନେଇଥାନ୍ତି। ଏଥିରୁ ସ୍ପଷ୍ଟ ଯେ, ଜଣେ ନିବେଶକଙ୍କ ପ୍ରଥମ ପୋର୍ଟଫୋଲିଓ ଗଠନରେ ପରିବାରର ଆର୍ଥିକ ଚିନ୍ତାଧାରାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ଭାରତରେ ଅଧିକାଂଶ ପରିବାର ପାରମ୍ପରିକ ଭାବେ ଫିକ୍ସଡ୍ ଡିପୋଜିଟ୍, ସୁନା ଓ ବୀମା ଭଳି ନିବେଶ ମାଧ୍ୟମକୁ ଅଧିକ ପସନ୍ଦ କରିଥାନ୍ତି। ଏହି ନିବେଶ ମାଧ୍ୟମଗୁଡ଼ିକ ପିଢ଼ି ପରେ ପିଢ଼ି ଲୋକଙ୍କୁ ଆର୍ଥିକ ସୁରକ୍ଷା ଓ ସଞ୍ଚୟର ଅଭ୍ୟାସ ଦେଇ ଆସିଛି। କିନ୍ତୁ ଏଥିରୁ ଷ୍ଟକ୍ ମାର୍କେଟ୍, ଇକ୍ୱିଟି ନିବେଶ, ବଜାରର ଉତ୍ଥାନ-ପତନ ଏବଂ ଦୀର୍ଘମିଆଦୀ ଚକ୍ରବୃଦ୍ଧି ସୁଧ ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ମିଳିନଥାଏ।

ସେବିର ସର୍ଭେ ଅନୁଯାୟୀ, ଭାରତର ମାତ୍ର ୯.୫ ପ୍ରତିଶତ ପରିବାର ସିକ୍ୟୁରିଟିଜ୍ ମାର୍କେଟ୍ ସମ୍ବନ୍ଧୀୟ ଉତ୍ପାଦରେ ନିବେଶ କରୁଥିବା ବେଳେ ୬୩ ପ୍ରତିଶତ ପରିବାର ଅତି କମ୍ରେ ଗୋଟିଏ ଏପରି ନିବେଶ ଉତ୍ପାଦ ବିଷୟରେ ଜାଣିଛନ୍ତି। ଏହି ପରିସ୍ଥିତି ମଧ୍ୟରେ ଯୁବପିଢ଼ିଙ୍କ ଷ୍ଟକ୍ ମାର୍କେଟ୍ ପ୍ରତି ଆଗ୍ରହ ବଢ଼ୁଛି। ୨୦୨୬ ଏପ୍ରିଲରୁ ଜୁନ୍ ମଧ୍ୟରେ NSEରେ ନୂଆ ପଞ୍ଜୀକୃତ ନିବେଶକଙ୍କ ମଧ୍ୟରୁ ୫୯ ପ୍ରତିଶତ ୩୦ ବର୍ଷରୁ କମ୍ ବୟସର ଥିଲେ। ଜଣେ ନୂଆ ନିବେଶକଙ୍କ ମଧ୍ୟମ ବୟସ ପ୍ରାୟ ୨୭ ବର୍ଷ ରହିଛି।

ତେବେ ନିବେଶ ଓ ଟ୍ରେଡିଂ ମଧ୍ୟରେ ପାର୍ଥକ୍ୟ ବୁଝିବା ନିହାତି ଜରୁରୀ ଜରୁରୀ l Lemonnର ଗବେଷଣା ବିଭାଗ ମୁଖ୍ୟ ଗୌରବ ଗର୍ଗ NDTVକୁ କହିଛନ୍ତି ଯେ, ଘରେ ହେଉଥିବା ଆର୍ଥିକ ଆଲୋଚନା ଜଣେ ବ୍ୟକ୍ତିଙ୍କ ଟଙ୍କା, ବିପଦ ଓ ଲାଭ ସମ୍ପର୍କିତ ପ୍ରଥମ ଧାରଣା ସୃଷ୍ଟି କରିଥାଏ। ଯଦି ପରିବାରରେ କେବଳ ଟଙ୍କା ସୁରକ୍ଷିତ ରଖିବା ଉପରେ ଆଲୋଚନା ହୁଏ, ତେବେ ଯୁବପିଢ଼ି ବିଭିନ୍ନ ଆର୍ଥିକ ଉତ୍ପାଦର ଉପଯୋଗିତା ଓ ଦୀର୍ଘମିଆଦୀ ନିବେଶର ଗୁରୁତ୍ୱ ବୁଝିବାରେ ଅସୁବିଧା ଅନୁଭବ କରିପାରନ୍ତି।

ଏହି ଅଭାବ ପୂରଣ କରିବାକୁ ଅନେକ ଯୁବକଯୁବତୀ ସୋସିଆଲ୍ ମିଡିଆ, ଫାଇନାନ୍ସ ଇନ୍ଫ୍ଲୁଏନ୍ସର ଏବଂ ଅନଲାଇନ୍ ଟ୍ରେଡିଂ କମ୍ୟୁନିଟିର ସହାୟତା ନେଉଛନ୍ତି। ଫଳରେ ନିବେଶ ସମ୍ପର୍କରେ ଜାଣିବାର ଆଗ୍ରହ କେତେକ କ୍ଷେତ୍ରରେ ଅଳ୍ପ ସମୟ ମଧ୍ୟରେ ଅଧିକ ଲାଭ ପାଇବା ଉଦ୍ଦେଶ୍ୟରେ ଟ୍ରେଡିଂ ଆଡ଼କୁ ମୁହାଁଉଛି।

ଏହାର ପ୍ରଭାବ ଫ୍ୟୁଚର୍ସ ଆଣ୍ଡ ଅପ୍ସନ୍ସ ଟ୍ରେଡିଂରେ ମଧ୍ୟ ଦେଖିବାକୁ ମିଳୁଛି। ୩୦ ବର୍ଷରୁ କମ୍ ବୟସର ବ୍ୟକ୍ତିମାନେ ବ୍ୟକ୍ତିଗତ F&O ଟ୍ରେଡରଙ୍କ ମଧ୍ୟରୁ ୪୩ ପ୍ରତିଶତ ରହିଥିବା ବେଳେ ୨୦୨୫-୨୬ ଆର୍ଥିକ ବର୍ଷରେ ଏହି ବୟସ ବର୍ଗର ପ୍ରାୟ ୮୯ ପ୍ରତିଶତ ଟ୍ରେଡର କ୍ଷତି ସହିଥିଲେ। ଅନ୍ୟପକ୍ଷରେ, ଦୀର୍ଘମିଆଦୀ ନିବେଶ ପ୍ରତି ମଧ୍ୟ ଲୋକଙ୍କ ଆଗ୍ରହ ବଢ଼ୁଛି। ୨୦୨୬ ସେପ୍ଟେମ୍ବରରେ ମାସିକ ସିଷ୍ଟମାଟିକ୍ ଇନଭେଷ୍ଟମେଣ୍ଟ ପ୍ଲାନ୍ ଜରିଆରେ ନିବେଶ ରାଶି ରେକର୍ଡ ୩୨,୪୯୦ କୋଟି ଟଙ୍କାରେ ପହଞ୍ଚିଥିଲା।

ବିଶେଷଜ୍ଞଙ୍କ ମତରେ, ନିୟମିତ ସଞ୍ଚୟ, ଧୈର୍ଯ୍ୟ ଓ ଆର୍ଥିକ ଶୃଙ୍ଖଳା ଭଳି ଗୁଣ ପରିବାରଠାରୁ ହିଁ ଶିଖିବାକୁ ମିଳିଥାଏ। ଏହି ଅଭ୍ୟାସକୁ SIP ଏବଂ ଦୀର୍ଘମିଆଦୀ ନିବେଶରେ ପ୍ରୟୋଗ କରିପାରିଲେ ଭବିଷ୍ୟତରେ ଭଲ ଆର୍ଥିକ ଯୋଜନା କରିବା ସମ୍ଭବ ହୋଇପାରିବ। ଗୌରବ ଗର୍ଗଙ୍କ କହିବା ଅନୁଯାୟୀ, ପରିବାରର ସଦସ୍ୟମାନଙ୍କୁ ଷ୍ଟକ୍ ମାର୍କେଟ୍ ବିଶେଷଜ୍ଞ ହେବାର ଆବଶ୍ୟକତା ନାହିଁ। ବରଂ ଘରେ ଏପରି ପରିବେଶ ସୃଷ୍ଟି କରିବା ଜରୁରୀ, ଯେଉଁଠାରେ ଯୁବପିଢ଼ି ନିବେଶ ସମ୍ପର୍କରେ ପ୍ରଶ୍ନ ପଚାରିପାରିବେ, ବିପଦ ବୁଝିପାରିବେ ଏବଂ ନିବେଶ ଓ କଳ୍ପନାଭିତ୍ତିକ ଟ୍ରେଡିଂ ମଧ୍ୟରେ ପାର୍ଥକ୍ୟ ଜାଣିପାରିବେ।

also read- ଅକ୍ଟୋବରରେ ବଢ଼ିପାରେ ଖୁଚୁରା ମୁଦ୍ରା ସ୍ପିତି , ୬% ଛୁଇଁବା ଆଶଙ୍କା; ଖାଦ୍ୟ ଓ ପରିବା ଦର ବୃଦ୍ଧି ମୁଖ୍ୟ କାରଣ

ତେବେ ଏହି ୩ଟି ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଆଲୋଚନା ପ୍ରତ୍ୟେକ ପରିବାରରେ କରାଯିବା ଉଚିତ l

୧. ପରିବାରର ଆର୍ଥିକ ତଥ୍ୟ ଲୁଚାଇ ନରଖି ଆଲୋଚନା କରନ୍ତୁ

ପରିବାରରେ ଥିବା ଫିକ୍ସଡ୍ ଡିପୋଜିଟ୍, SIP, ବୀମା ଏବଂ ଅନ୍ୟାନ୍ୟ ନିବେଶ ସମ୍ପର୍କରେ ବର୍ଷକୁ ଅନ୍ତତଃ ଥରେ ଆଲୋଚନା କରିବା ଉଚିତ। କେଉଁଠି କେତେ ଟଙ୍କା ନିବେଶ ହୋଇଛି ଏବଂ କେଉଁ କାରଣରୁ ସେହି ନିଷ୍ପତ୍ତି ନିଆଯାଇଛି, ତାହା ପରିବାରର ଯୁବ ସଦସ୍ୟଙ୍କୁ ବୁଝାଇବା ଆବଶ୍ୟକ। ଏହାଦ୍ୱାରା ସେମାନେ ଘରର ଆର୍ଥିକ ପରିଚାଳନା ବିଷୟରେ ଜାଣିପାରିବେ।

୨. ପିଲାମାନଙ୍କଠାରୁ ମଧ୍ୟ ନୂଆ ଆର୍ଥିକ ଜ୍ଞାନ ଶିଖନ୍ତୁ

ଆଜିର ଯୁବପିଢ଼ି ଡିଜିଟାଲ୍ ନିବେଶ ଆପ୍, ଇଣ୍ଡେକ୍ସ ଫଣ୍ଡ୍ ଏବଂ ଅନ୍ୟାନ୍ୟ ଆଧୁନିକ ଆର୍ଥିକ ସୁବିଧା ସମ୍ପର୍କରେ ଅଧିକ ଜ୍ଞାନ ରଖୁଛନ୍ତି। ଅନ୍ୟପକ୍ଷରେ, ବୟସ୍କମାନଙ୍କ ପାଖରେ ବଜାରର ଉତ୍ଥାନ-ପତନ ଦେଖିବାର ଅଭିଜ୍ଞତା ଓ ଧୈର୍ଯ୍ୟର ସହ ନିବେଶ କରିବାର ଶିକ୍ଷା ରହିଛି। ତେଣୁ ଉଭୟ ପିଢ଼ି ପରସ୍ପରଠାରୁ ଶିଖିଲେ ଅଧିକ ସନ୍ତୁଳିତ ଆର୍ଥିକ ନିଷ୍ପତ୍ତି ନେଇପାରିବେ।

୩. ନିବେଶ ଓ ଟ୍ରେଡିଂ ମଧ୍ୟରେ ପାର୍ଥକ୍ୟ ବୁଝାନ୍ତୁ

ସେୟାର କିମ୍ବା ମ୍ୟୁଚୁଆଲ୍ ଫଣ୍ଡ୍ରେ ଦୀର୍ଘମିଆଦୀ ସମ୍ପତ୍ତି ସୃଷ୍ଟି ଉଦ୍ଦେଶ୍ୟରେ ଟଙ୍କା ନିବେଶ କରିବା ଏବଂ ଫ୍ୟୁଚର୍ସ ଓ ଅପ୍ସନ୍ସ ଭଳି ଲିଭରେଜ୍ ଆଧାରିତ ଟ୍ରେଡିଂ କରିବା ଏକା କଥା ନୁହେଁ। ଏହି ଦୁଇଟି ମଧ୍ୟରେ ଥିବା ପାର୍ଥକ୍ୟ ପରିବାରରେ ପିଲାମାନଙ୍କୁ ବୁଝାଇବା ଜରୁରୀ। ଏହାଦ୍ୱାରା ସେମାନେ ଅଧିକ ବିପଦପୂର୍ଣ୍ଣ ଟ୍ରେଡିଂକୁ ସାଧାରଣ ନିବେଶ ଭାବେ ଗ୍ରହଣ କରିବାରୁ ଦୂରେଇ ରହିପାରିବେ।

ପରିଶେଷରେ, ପରିବାରର ଆର୍ଥିକ ପୋର୍ଟଫୋଲିଓ ଫିକ୍ସଡ୍ ଡିପୋଜିଟ୍ କିମ୍ବା ସୁନାରୁ ଆରମ୍ଭ ହୋଇପାରେ। କିନ୍ତୁ ଆଗାମୀ ପିଢ଼ିର ନିବେଶ ଚିନ୍ତାଧାରା କେବଳ ସେତିକିରେ ସୀମିତ ରହିବା ଉଚିତ ନୁହେଁ। ସଠିକ୍ ଆର୍ଥିକ ଶିକ୍ଷା, ନିୟମିତ ସଞ୍ଚୟ, ଧୈର୍ଯ୍ୟ ଏବଂ ବିପଦକୁ ବୁଝି ନିବେଶ କରିବାର ଅଭ୍ୟାସ ହିଁ ଯୁବପିଢ଼ିଙ୍କୁ ଏକ ସୁଦୃଢ଼ ଆର୍ଥିକ ଭବିଷ୍ୟତ ଗଢ଼ିବାରେ ସହାୟକ ହୋଇପାରିବ।