ପାଟଣାଗଡ଼ ୧୮।୧୦: ଭଜନ-କୀର୍ତ୍ତନ ସାଙ୍ଗକୁ ହରେକୃଷ୍ଣ ନାମ ସଙ୍କୀର୍ତ୍ତନ । ପ୍ରକମ୍ପିତ ହୋଇ ଉଠୁଛି ପୁରା ପରିବେଶ । ଚାଲିଛି ଲକ୍ଷ୍ମୀନୃସିଂହ ଯୁଗଳ ମୂର୍ତ୍ତିଙ୍କ ସନ୍ଧ୍ୟା ଆଳତି । ଭକ୍ତ ମନକୁ ଦେଉଛି ଶାନ୍ତି ଆଉ ଭରିଦେଉଛି ଆଧ୍ୟାତ୍ମିକ ଭାବନା । ଭଗବାନଙ୍କ ପ୍ରତି ଭକ୍ତର ଏମିତି ଭକ୍ତି ଆଉ ସମର୍ପଣର ଭାବନା ଅନେକ ସ୍ଥାନରେ ଦେଖିଥିବେ । କିନ୍ତୁ ଏଠି ଏମିତି ଜଣେ ଭକ୍ତଙ୍କ ଭକ୍ତି, ଯାହା ସହୁଠୁ ନିଆରା । ଯିଏ ପ୍ରତିଦିନ ସନ୍ଧ୍ୟା ଆଳତୀ ପୂର୍ବରୁ ମନ୍ଦିରକୁ ଆସୁଛନ୍ତି । ଆଉ ଶାନ୍ତ ଭାବରେ ବସି ଭକ୍ତଙ୍କ ସହ ଭଜନ-କୀର୍ତ୍ତନ ଶୁଣୁଛନ୍ତି । ଆଉ ସବୁ ଭକ୍ତ ମନ୍ଦିରରୁ ଯିବା ପରେ ଫେରିଯାଉଛନ୍ତି । ସେ ଆଉ କେହି ନୁହଁନ୍ତି ସ୍ବୟଂ ଗୋ-ମାତା । ଏଭଳି ଏକ ମନ୍ତ୍ରମୁଗ୍ଧକର ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ମେହେରପଡ଼ା ସ୍ଥିତ ଲକ୍ଷ୍ମୀନୃସିଂହ ମନ୍ଦିରରେ ।

ସନ୍ଧ୍ୟା ହେଲେ ଏହି ମନ୍ଦିରରେ ଜମେ ଭକ୍ତଙ୍କ ଭିଡ଼ । ଚାରିଆଡ଼େ ଗୁଞ୍ଜରିତ ହୁଏ ଭଜନ-କୀର୍ତ୍ତନର ସ୍ୱର । ଆଉ ଏଭଳି ଏକ ଭକ୍ତିମୟ ପରିବେଶକୁ ବେଶ୍ ଆକର୍ଷିତ କରିଥାଏ ଗୋ-ମାତାଙ୍କ ଆଗମନ । ଏହା ଦିନେ କି ଦୁଇଦିନର କଥା ନୁହେଁ । ଦୀର୍ଘ ଦୁଇ ମାସ ହେବ ପ୍ରତିଦିନ ମନ୍ଦିରରେ ପଡ଼ୁଛି ଗୋ-ମାତାଙ୍କ ପାଦ । ଯାହା ଶୁଣିବାକୁ ଯେତିକି ଆଶ୍ଚର୍ଯ୍ୟ ଦେଖିବାକୁ ସେତିକି ବିସ୍ମୟକର । ଗୋ-ମାତାଙ୍କର ଏଭଳି ଆଗମନ ଭକ୍ତ ଆଉ ଶ୍ରଦ୍ଧାଳୁଙ୍କ ମନରେ ଭଗବାନଙ୍କ ପ୍ରତି ଭକ୍ତି ଓ ଶ୍ରଦ୍ଧାର ଭାବନା ଜାଗ୍ରତ କରୁଛି । ଏଭଳି ନିଆରା ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।

ବିଶ୍ୱାସ ହେଉ କି ଭକ୍ତି । ଗୋ-ମାତାଙ୍କର ଏଭଳି ଆଚରଣ ପଛର କାରଣ ସ୍ପଷ୍ଟ ହୋଇନଥିଲେ ବି ଏହି ଦୃଶ୍ୟ ନିଆରା ଅନୁଭୂତି ସୃଷ୍ଟି କରିଛି ।