ପାଣାଜି: ଭୋଟର ତାଲିକା ସ୍ଵତନ୍ତ୍ର ପୁନଃ ନିରୀକ୍ଷଣ(SIR)ରେ ବ୍ୟାପକ ଅବ୍ୟବସ୍ଥା ଏବଂ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦେଶର ଅନେକ ରାଜ୍ୟ ଏବଂ ସହରରେ ଆନ୍ଦୋଳନ ଚାଲିଛି। ଦିଲ୍ଲୀରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ପାଇଁ କକରୋଚ ଜନତା ପାର୍ଟି(CJP)ର ବଡ଼ ନେତା ଅଭିଜିତ ଦୀପକେ, ଆଶୁତୋଷ ରାଙ୍କା ଓ ସୌରଭ ଦାସ ଜେଲ୍ ଯାଇ ସାରିଛନ୍ତି। ଏସବୁ ମଧ୍ୟରେ ଗୋଆ ପୋଲିସ ଅକ୍ଟୋବର ୧୧ରେ ପାଣାଜିରେ ସିଜେପିର ପ୍ରଦର୍ଶନରେ ସାମିଲ୍ ୩୦୦ ବିକ୍ଷୋଭକାରୀଙ୍କ ବିରୋଧରେ FIR ରୁଜୁ କରିଛି। ପ୍ରଦର୍ଶନ ସମୟରେ ହିନ୍ଦୁ ବିରୋଧୀ ନାରା ଦେଇଥିବା ଅଭିଯୋଗରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପାଣାଜି ପୋଲିସ ଇନ୍ସପେକ୍ଟର ବିଜୟ କୁମାର ଚୋଡନକର ଏହାର ସୂଚନା ଦେଇଛନ୍ତି।

ଚୋଡନକର କହିଛନ୍ତି ପାଣାଜିରେ ଆୟୋଜିତ ଏକ ସାର୍ବଜନୀନ ବିରୋଧ ପ୍ରଦର୍ଶନ ସମୟରେ CJPର ପଦାଧିକାରୀ ଏବଂ ସମର୍ଥକ ‘ମୁର୍ଦାବାଦ, ମୁର୍ଦାବାଦ, ହିନ୍ଦୁତ୍ଵ ମୁର୍ଦାବାଦ’ ପରି ନାରା ଲଗାଇଥିଲେ। ଏଥିରେ ଧାର୍ମିକ ଅସନ୍ତୋଷ ବଢିବା ସହ ଜାଣିଶୁଣି ହିନ୍ଦୁ ସମୁଦାୟ ଧାର୍ମିକ ଭାବନାକୁ ଆଘାତ ଲାଗିଛି। ତେଣୁ ୩୦୦ ସିଜେପି ସମର୍ଥନକାରୀଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା(BNS) ୨୦୨୩ର ଧାରା ୧୯୬ ଏବଂ ୨୯୯ ଆଧାରରେ ମାମଲା ରୁଜୁ ହୋଇଛି।

Also Read: ଦେଶ ଛାଡ଼ି ଯିବାକୁ ଦିଆଯାଇଥିବା ନିର୍ଦ୍ଦେଶ ବିରୁଦ୍ଧରେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଇମ୍ରାନ ଖାନ

ସିଏମ ମଧ୍ୟ ଆକ୍ସନରେ

ଆକ୍ସନ ମୋଡ଼କୁ ମଧ୍ୟ ଆସିଛନ୍ତି ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ଵନ୍ତ। ସେ କହିଛନ୍ତି ଘଟଣାର ତଦନ୍ତ ଜାରି ରହିଛି ଏବଂ ସରକାର ରାଜ୍ୟରେ ସାଂପ୍ରଦାୟିକ ସଦ୍ଭାବ ବିଗାଡ଼ିବା ପାଇଁ ହେଉଥିବା ଉଦ୍ୟମକୁ ଆଦୌ ବରଦାସ୍ତ କରିବେ ନାହିଁ।

ତଲେଇଗାଓର ବାସିନ୍ଦା ରାମପ୍ରସାଦ କେଲକର ସୋସିଆଲ ମିଡିଆରେ ଭାଇରାଲ୍ ଅକ୍ଟୋବର ୧୧ର ବିରୋଧ ପ୍ରଦର୍ଶନର ଏକ ଭିଡିଓ ଆଧାରରେ ପୋଲିସରେ ଏତଲା ଦାୟର କରିଥିଲେ। ସେ ଅଭିଯୋଗ କରିଥିଲେ ଯେ, ସିଜେପି ସମର୍ଥକ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଏସଆଇଆରରେ ବ୍ୟାପକ ତ୍ରୁଟି ବିରୋଧରେ ପ୍ରଦର୍ଶନ କରିଥିଲେ।

Also Read: ଭାରତ ବାଂଲାଦେଶ ନୁହେଁ, ‘ରିଜିମ୍ ଚେଞ୍ଜ’ କଥା କହୁଥିବା ଲୋକଙ୍କୁ କିରେନ୍ ରିଜିଜୁଙ୍କ ଚେତାବନୀ

ହିନ୍ଦୁତ୍ଵ ବିରୋଧରେ ନାରା

ସେ ନିଜର ଅଭିଯୋଗରେ ଏହା ମଧ୍ୟ ଦର୍ଶାଇଛନ୍ତି ଯେ, ସିଜେପିର ମହିଳା ସମର୍ଥକ ନର୍ଥ ଗୋଆ ଜିଲ୍ଲାପାଳଙ୍କଠୁ ବିରୋଧ ପ୍ରଦର୍ଶନ ପାଇଁ ଅନୁମତି ମାଗିଥିଲେ। ହେଲେ ଜିଲ୍ଲାପାଳ ଏହାକୁ ଖାରଜ କରିଥିଲେ। ଆୟୋଜକ ପ୍ରତିଶ୍ରୁତି ଦେଇଥିଲେ ଯେ, ପ୍ରଦର୍ଶନ ଶାନ୍ତିପୂର୍ଣ୍ଣ ହେବ। ହେଲେ ବିକ୍ଷୋଭ ପ୍ରଦର୍ଶନ ସମୟରେ ବିକ୍ଷୋଭକାରୀ ହିନ୍ଦୁତ୍ଵ ବିରୋଧରେ ନାରା ଲଗାଇଥିଲେ। ଏଥିରୁ ଜଣା ପଡ଼ୁଛି ଯେ, ଏହି ବିରୋଧ ପ୍ରଦର୍ଶନ ସମାଜ ଓ ଅଞ୍ଚଳର ଶାନ୍ତି, ସଦ୍ଭାବକୁ ବିଗାଡ଼ିବା ପାଇଁ ଆୟୋଜିତ କରାଯାଇଛି।