ଭୁବନେଶ୍ବର: ଛାତ୍ର ସଂସଦ ନିର୍ବାଚନକୁ ନେଇ ବେଶ ଉତ୍ସାହିତ ରହିଛି ବିଜେଡି ଶିବିର । ରାଜ୍ୟର ବିଭିନ୍ନ କଲେଜରୁ ବିଜୟୀ ପ୍ରାର୍ଥୀମାନେ ରୋଷଣୀରେ ନବୀନ ନିବାସ ପହଞ୍ଚି ନବୀନଙ୍କୁ ଭେଟିଛନ୍ତି । ଆଉ ଏହି ଅବସରରେ ଛାତ୍ର ସଂସଦ ନିର୍ବାଚନରେ BCJD ପ୍ରାର୍ଥୀ ୬୦ ପ୍ରତିଶତରୁ ଅଧିକ କଲେଜ ଓ ୫୦ ପ୍ରତିଶତ ବିଶ୍ବବିଦ୍ୟାଳୟ ଜିତିଛନ୍ତି ବୋଲି କହି ବିଜେପି ସରକାର ଉପରେ ବର୍ଷିଛନ୍ତି ନବୀନ ।

ନବୀନ କହିଛନ୍ତି, ବିଜେପି ସରକାର ଅର୍ଥ ଓ ବାହୁ ବଳ ସହ ଅନୈତିକ ଉପାୟ ଅବଲମ୍ବନ କରିବା ସତ୍ତ୍ବେ BCJD ଜିତିଲା ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେହିପରି ବିଜେଡି ନେତ୍ରୀ ସୁଜାତା ରାଉତ କହିଛନ୍ତି, ନ୍ୟାୟ ଓ ଅହିଂସାର ଜୟ ହେଲା । ରମାଦେବୀରେ ମାତ୍ର ୧୫ଶହ ଭୋଟ ଗଣିବାକୁ ୧୫ ଘଣ୍ଟା ଲଗାଇ ସରକାର ତାଙ୍କ ଦକ୍ଷତାର ପ୍ରମାଣ ଦେଲେ କହି କଟାକ୍ଷ କରିଛନ୍ତି ସୁଜାତା । ଏହା ଆଗାମୀ ପୀଢ଼ିକୁ କ’ଣ ବାର୍ତ୍ତା ଦେଲା ବିଜେପି ସମୀକ୍ଷା କରୁ ବୋଲି କହିଛନ୍ତି ସୁଜାତା ।

ସୂର୍ଯ୍ୟବଂଶୀ ସୂରଜଙ୍କ କାଉଣ୍ଟର:

ଆଉ ବିଜେଡିର ଏହି ଆରୋପ ପରେ ବିରୋଧୀ ଦଳ ନେତାକୁ ପାଲଟା ଜବାବ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ମନ୍ତ୍ରୀ କହିଛନ୍ତି, ‘‘ଓଡ଼ିଶାରେ ଦୁଇ ଦିନ ତଳେ ଛାତ୍ର ସଂସଦ ନିର୍ବାଚନ ଶେଷ ହୋଇଛି, ଯାହା ଗତ ୮ ବର୍ଷ ଧରି ହୋଇପାରୁନଥିଲା । ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରିବାରେ ଆପଣଙ୍କ ଓ ଆପଣଙ୍କ ପ୍ରରୋଚକମାନଙ୍କ ଭୂମିକାକୁ ଆଜି ବି ଓଡ଼ିଶାର ଛାତ୍ର ଓ ଯୁବସମାଜ ଏକ କଳଙ୍କିତ ଅଧ୍ୟାୟର ଆଖ୍ୟା ଦେଇଛନ୍ତି । ହେଲେ ଗଣମାଧ୍ୟମକୁ ଦେଇଥିବା ବିବୃତ୍ତିରୁ ମନେହେଉଛି, ଆପଣ ଆପଣଙ୍କ ଦଳକୁ ବଞ୍ଚାଇବାକୁ ତଥା ଦଳ ଭିତରେ ନୂଆ ମୁଖିଆଙ୍କ ଗ୍ରହଣୀୟତାକୁ ସୁରକ୍ଷା ଦେବାକୁ ଯାଇ ଏପରି ଅସତ୍ୟ କହିଛନ୍ତି । ଆପଣଙ୍କ ପାଖରେ ଥିବା ଲୋକମାନେ ଆପଣଙ୍କ ଭଳି ଜଣେ ଅନୁଭବୀ ନେତୃତ୍ୱଙ୍କ ମୁହଁରୁ ଛାତ୍ର-ନିର୍ବାଚନ ସମ୍ପର୍କରେ ଅମୂଳକ ଉଚ୍ଚାରଣ କରାଇବା ଆପଣଙ୍କ ଛବିକୁ ଆହୁରି ମଳିନ କରୁଛି ।’’

Also Read: ନବୀନ ନିବାସରେ ଛାତ୍ର ନେତାଙ୍କ ଗହଳିକୁ ନେଇ ବିଜେପିର ଟାର୍ଗେଟ୍, କହିଲେ-ଛାତ୍ର ଓ ଯୁବ ଗୋଷ୍ଠୀ ସର୍ବାଦ ବିଜେପି ସହ…

ଉଚ୍ଚଶିକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି ‘‘ଓଡ଼ିଶାର ଛାତ୍ର ସଂସଦ ନିର୍ବାଚନ ଯେଉଁ ସକରାତ୍ମକ ବାର୍ତ୍ତା ଦେଉଛି, ତାହା ଓଡ଼ିଶାର ଛାତ୍ର ଓ ଯୁବ ସମାଜ ଭଲ ଭାବେ ଜାଣିପାରିଛନ୍ତି । କେଉଁ ଦଳ କେଉଁ ସଂଗଠନର ସମର୍ଥନରେ କେତେ ଛାତ୍ର ନେତା ନିର୍ବାଚିତ ହୋଇଛନ୍ତି, ତାହା ରାଜ୍ୟବାସୀ ଜାଣିଛନ୍ତି । ବାରମ୍ବାର ମିଛ କହି ତାହାକୁ ସତ୍ୟରେ ପରିଣତ କରିବା ପାଇଁ ଚେଷ୍ଟା କରିବା ଆପଣଙ୍କ ଭଳି ବ୍ୟକ୍ତିଙ୍କ ପକ୍ଷେ କଦାପି ଶୋଭାପାଉନାହିଁ । ଏହି ସମୟରେ ଆପଣ ଛାତ୍ରସମାଜକୁ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ପାଇଁ ପ୍ରେରଣାଦାୟୀ ବାର୍ତ୍ତା ଦେଇଥିଲେ ତାହା ଅଧିକ ଭଲ ହୋଇଥାଆନ୍ତା। ଓଡ଼ିଶାର ଛାତ୍ର ଓ ଯୁବ ସମାଜକୁ ଭ୍ରମ ଓ ଭ୍ରାନ୍ତିଠାରୁ ଦୂରରେ ରଖି ରାଷ୍ଟ୍ର ନିର୍ମାଣରେ ସେମାନଙ୍କୁ ପ୍ରେରିତ କରିବା ଆମର ଧ୍ୟେୟ ହେଉ।’’