ବ୍ରହ୍ମପୁର ୧୮।୧୦: ଏମ୍‌କେସିଜିରେ ଜନ୍ମିତ ଦୁଇ ମୁଣ୍ଡ ଥିବା ଶିଶୁର ମୃତ୍ୟୁ ହୋଇଛି l ଏମ୍‌କେସିଜିରେ ଜନ୍ମ ନେଇଥିବା କନ୍ଧମାଳ ଜିଲ୍ଲାର ଦୁଇଟି ମୁଣ୍ଡ ଥିବା ଶିଶୁର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଜନ୍ମ ହେବା ପରେ ଶିଶୁର ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିଲା । ବିଳମ୍ବିତ ରାତିରେ ଶିଶୁର ମୃତ୍ୟୁ ଘଟିଥିବା ଏମ୍‌କେସିଜି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ନିରୀକ୍ଷଣ ସ୍ୱତନ୍ତ୍ର ଦଳ ନିୟୋଜିତ ଥିଲେ । ଶିଶୁଟିର ରକ୍ତସଞ୍ଚାଳନ ଠିକ୍ ନ ଥିଲା ।

ଶିଶୁଟି ଆଗୁଆ ଜନ୍ମଗ୍ରହଣ କରିଥିବାରୁ ଶରୀରର ଅନେକ ଅଂଶ ସମ୍ପୂର୍ଣ୍ଣ ବିକାଶ ହୋଇ ନ ଥିଲା I ଦୁଇଟି ଶିଶୁର ଓଜନ ଆଶାନୁରୂପ କମ୍ ଥିଲା I ନିଃଶ୍ବାସ ନେବାରେ ସମସ୍ୟା ହେଉଥିଲା । ରକ୍ତଚାପ ମଧ୍ଯ କମ୍ ଥିବାବେଳେ ସାଧରଣ ଶିଶୁଙ୍କ ପରି ହୃଦ୍‌ସ୍ପନ୍ଦନ ହେଉ ନ ଥିଲା ବୋଲି ଡାକ୍ତର କହିଥିଲେ l ଅସ୍ତ୍ରୋପଚାର ପାଇଁ ବିଭାଗୀୟ ଟିମ୍ ପ୍ରସ୍ତୁତ ଥିବା ବେଳେ ଶିଶୁର ଶରୀର ଏଥିପାଇଁ ଅନୁକୂଳ ହୋଇନଥିଲା । ଶିଶୁଟିର ସ୍ବାଭାବିକ ସ୍ଵାସ୍ଥ୍ୟାବସ୍ଥା ଫେରାଇ ଆଣିବାକୁ ପ୍ରୟାସ ଚାଲିଥିଲା l

Also Read:- କନ୍ଧମାଳ ମହିଳା ଜନ୍ମ ଦେଲେ ଦୁଇଟି ମୁଣ୍ଡ ଥିବା ଶିଶୁ, SNCUରେ ଚାଲିଛି ଚିକିତ୍ସା

ତୁମୁଡିବନ୍ଧ ବ୍ଲକ୍ ତିଡିପଦର ଗ୍ରାମର ତ୍ରିଲୋଚନ ମାଝୀଙ୍କ ପତ୍ନୀ ରୁନି ମାଝୀ ଏମ୍‌କେସିଜିରେ ଏହି ଶିଶୁଟିକୁ ପ୍ରସବ କରିଥିଲେ । ଜନ୍ମ ହୋଇଥିବା ଶିଶୁପୁତ୍ରଙ୍କ ଓଜନ ୨.୬ କିଲୋଗ୍ରାମ ଥିଲା । ସେମାନଙ୍କ ଦୁଇଟି ମୁଣ୍ଡ ଥିଲା । ଶିଶୁର ମେରୁଦଣ୍ଡ ଦୁଇଟି, ହାତ ଓ ଗୋଡ଼ ଦୁଇଟି ଥିବାବେଳେ ହୃତ୍ପିଣ୍ଡ ଓ ଲିଭର୍ ଏବଂ ଯୌନାଙ୍ଗ ଗୋଟିଏ ହିଁ ରହିଥିଲା । ଏହି ଅବସ୍ଥା ଥିବା କାରଣରୁ ସେମାନଙ୍କୁ ଅସ୍ତ୍ରୋପଚାର କରିବା ବିପଦପୂର୍ଣ୍ଣ ବୋଲି କର୍ତ୍ତୃପକ୍ଷ କହୁଥିଲେ । ଏସ୍ଏନ୍‌ସିୟୁରେ ରଖି ଚିକିତ୍ସା କରାଯାଉଥିଲା । ଶିଶୁଙ୍କ ଏଭଳି ଘଟଣାକୁ ‘ପାରାପାଗସ କେସ୍’ କୁହାଯାଏ ।