ଗୌହାଟୀ: ଆସାମର ମନକାଚର ସେକ୍ଟରରେ ଭାରତ-ବାଂଲାଦେଶ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଉପୁଜିଛି। ଦୁଇ ଦେଶ ସୀମାର ‘ନୋ ମ୍ୟାନସ୍ ଲ୍ୟାଣ୍ଡ’ରେ ୯ ଜଣ ବାଂଲାଦେଶୀ ନାଗରିକ ଫଶି ରହିଛନ୍ତି। ବର୍ଡର ଗାର୍ଡ ବାଂଲାଦେଶ (ବିଜିବି) ସେମାନଙ୍କୁ ଦେଶକୁ ଫେରାଇନେବାକୁ ମନା କରୁଛି। ଏହି ସମସ୍ୟାର ସମାଧାନ ନିମନ୍ତେ ଭାରତର ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସଏଫ) ଓ ବିଜିବି ମଧ୍ୟରେ ଫ୍ଲାଗମିଟିଂ ପରେ ଫ୍ଲାଗ ମିଟିଂ ଅନୁଷ୍ଠିତ ହେଉଛି। ତଥାପି ମିଟିଂରୁ କୌଣସି ନିଷ୍କର୍ସ ବାହାରି ପାରୁନି।

ଭାରତ-ବାଂଲାଦେଶ ସୀମାର ନୋ ମ୍ୟାନସ୍ ଲ୍ୟାଣ୍ଡରେ ରବିବାର ୯ ଜଣ ଲୋକଙ୍କୁ ଦେଖା ଯାଇଥିଲା। ଏମାନଙ୍କୁ ଦେଖିବା ପରେ ବିଏସଏଫ ଓ ବିଜିବି ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏକ ଭାଇରାଲ ଭିଡିଓରେ ସୀମାରେ ଅଟକି ରହିଥିବା ଲୋକଙ୍କ ମଧ୍ୟରୁ ଜଣେ ଆମେ ବାଂଲାଦେଶୀ ବୋଲି କହୁଥିବା ସ୍ପଷ୍ଟ ଶୁଣା ଯାଉଛି। ତାଙ୍କ କହିବା କଥା ହେଉଛି କାମ କରିବା ଲାଗି ସେମାନେ ଭାରତ ଆସିଥିଲେ। ତାଙ୍କ ପାଖରେ ଏ ନେଇ ବୈଧ କାଗଜପତ୍ର ଥିବାର ମଧ୍ୟ ସେ ଦାବି କରୁଛନ୍ତି। ସେମାନଙ୍କୁ ମାରିକି ନଦୀରେ ଭସେଇ ଦେଲେବି ସେମାନେ ଭାରତ ଯିବେନି ବୋଲି କହୁଛନ୍ତି। ଅନ୍ୟ ଏକ ଭିଡିଓରେ ଏହି ଲୋକମାନେ କାନ୍ଦୁଥିବାର ଦେଖା ଯାଉଛନ୍ତି।

ଗତ ଦିନମାନଙ୍କରେ ବିଏସଏଫ ସୀମା ପାର କରିବାକୁ ଉଦ୍ୟମ କରୁଥିବା ଲୋକଙ୍କୁ ଧରି ବାଂଲାଦେଶ ପଠାଇଛି। ଗତ ସପ୍ତାହରେ ଆସାମ ପୋଲିସ ଓ ବିଏସଏଫର ମିଳିତ କାର୍ଯ୍ୟାନୁଷ୍ଠାନରେ ୨୧ ଜଣ ଅନୁପ୍ରବେଶକାରୀଙ୍କୁ ରୋକା ଯାଇଥିଲା। ଏହି କାର୍ଯ୍ୟକୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱାଶର୍ମା ଉଚ୍ଚ ପ୍ରଶଂସା କରିଥିଲେ। ସୀମାପାର ଅନୁପ୍ରବେଶ ରୋକିବା ପାଇଁ ସୀମାରେ ଏବେ ସୁରକ୍ଷା କଡ଼ା କଡ଼ି କରାଯାଇଛି। ଏହା ସତ୍ୱେ ସୀମା ପାର କରି ଲୋକେ ଯିବା ଆସିବା ଜାରି ରଖିଛନ୍ତି। ନିକଟରେ ପଶ୍ଚିମବଙ୍ଗ ସୀମାରେ ଜଣେ ବାଂଲାଦେଶୀ ନାଗରିକକୁ ବିଜିବି ସ୍ୱୀକାର କରିଥିଲା।