ତେହେରାନ: ଆମେରିକା ସହିତ ଯୁଦ୍ଧବିରାମ ବୁଝାମଣା ଅନୁସାରେ ଇରାନ ହୋର୍ମୁଜ ପ୍ରଣାଳୀ ଦେଇ ଦୈନିକ ୧୫ରୁ ଅଧିକ ଜାହାଜ ଯିବାକୁ ଅନୁମତି ଦେବ ନାହିଁ। ଋଷିଆର ଟାସ୍ ନ୍ୟୁଜ ଏଜେନ୍ସୀ ଜନୈକ ବରିଷ୍ଠ ଇରାନୀ ସୂତ୍ର ଆଧାରରୁ ଏହା କହିଛି। ରିପୋର୍ଟରେ ଅଧିକାରୀମାନେ କହିଛନ୍ତି ଯେ ଏହି ଜଳମାର୍ଗ ଦେଇ ଯିବା ପୂର୍ବରୁ ଜାହାଜଙ୍କୁ ଇରାନୀ ସୈନିକଙ୍କ ସହିତ ତାଳମେଳ ରଖିବାକୁ ପଡିବ। ବ୍ଲୁମବର୍ଗ ଅନୁସାରେ ଇରାନ ଉପବିଦେଶମନ୍ତ୍ରୀ ଖତିବଜାଦେହ କହିଛନ୍ତି ଯେ ଯେଉଁ ଜାହାଜ ହୋର୍ମୁଜ ଦେଇ ଯିବାକୁ ଚାହିଁବେ ସେମାନଙ୍କୁ ଆମ ସେନା ଓ ମିଲେଟ୍ରି ସହିତ ସମ୍ପର୍କ କରିବାକୁ ପଡିବ। ଏଥିରେ ଯିଏ ବି ଇରାନୀ ଅଧିକାରୀଙ୍କ ସହ ସମ୍ପର୍କ କରୁଛନ୍ତି ସେମାନଙ୍କ ଜାହାଜକୁ ଅନୁମତି ମିଳିଯାଉଛି।

ବୈଶ୍ୱିକ ବଜାରରେ ଚିନ୍ତା
ଇରାନ ଏବଂ ଓମାନ ମଧ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଅଳିନ୍ଦ ବୈଶ୍ୱିକ ତୈଳ ଓ ପ୍ରମୁଖ ସାମଗ୍ରୀର ୨୦% ପରିବହନ ସମ୍ଭାଳିଥାଏ। ଏଣୁ ଏଥିରେ ଯେ କୌଣସି ପ୍ରକାରର ବାଧା ବୈଶ୍ୱିକ ବଜାର ନିମନ୍ତେ ଚିନ୍ତାର କାରଣ ପାଲଟେ। ତେବେ ଅବୁଧାବୀ ନ୍ୟାସନାଲ ଅଏଲ କମ୍ପାନୀ ସିଇଓ ସୁଲତାନ ଅଲ ଜାବେର ଏହି ବ୍ୟବସ୍ଥାକୁ ସମାଲୋଚନା କରି ବ୍ଲୁମବର୍ଗ କୁ କହିଛନ୍ତି ଯେ ସର୍ତ୍ତ ସହିତ ରାସ୍ତା ଦେବା ନ ଦେବା ସହ ସମାନ। ଏହା ଅନ୍ୟନାମରେ କରାଯାଉଥିବା ନିୟନ୍ତ୍ରଣ।

ଯାତାୟାତ ଠପ
୧୪ ଦିନିଆ ଯୁଦ୍ଧବିରାମ ସତ୍ତ୍ୱେ ହୋର୍ମୁଜ ଦେଇ ଜାହାଜ ଚଳାଚଳ ବନ୍ଦ ରହିଛି। ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟାରେ ହୋର୍ମୁଜ ଦେଇ ମାତ୍ର ଗୋଟିଏ ତୈଳ ଟ୍ୟାଙ୍କର ଓ ୫ଟି ଡ୍ରାଇ ବ୍ଲକ କ୍ୟାରିୟର ଯାଇଛି। ଏଣୁ ଦୈନିକ ଜାହାଜ ଯାତାୟତ ଏହି ମାର୍ଗରେ ସଂକୁଚିତ ହୋଇଛି। ତେବେ ଯୁଦ୍ଧ ଆରମ୍ଭ ହୋ ପୂର୍ବରୁ ଏହି ମାର୍ଗ ଦେଇ ଦୈନିକ ୧୪୦ଟି ଜାହାଜ ଯାତାୟାତ କରୁଥିଲେ। ଏବେ ପାରସ୍ୟ ଉପସାଗରରେ ୮୦୦ରୁ ଅଧିକ ଜାହାଜ ଛିଡା ହୋଇ ରହିଛନ୍ତି। ଏମାନେ ଏହି ରାସ୍ତା ଦେଇ ଯିବା ପାଇଁ ସର୍ତ୍ତକୁ ନେଇ ସ୍ପଷ୍ଟତାକୁ ଅପେକ୍ଷା କରିଛନ୍ତି।

ବିପଦରେ ବିଶ୍ୱ ଇନ୍ଧନ ବଜାର
ହୋର୍ମୁଜରେ ଉପୁଜିଥିବା ବାଧା ବୈଶ୍ୱିକ ଇନ୍ଧନ ବଜାରକୁ ଦୋହଲାଇ ଦେଇଛି। ଅନିଶ୍ଚିତତା ମଧ୍ୟରେ ତୈଳ ଦର ପୁଣି ବଢିବା ଆରମ୍ଭ ହୋଇଯାଇଛି। ଯଦିଓ ଯାତାୟାତ ପୁଣି ଆରମ୍ଭ ହୋଇଛି ହେଲେ ବିଳମ୍ବର ଅର୍ଥ ହେଉଛି ସିପମେଣ୍ଟକୁ କ୍ରେତାଙ୍କ ନିକଟକୁ ପହଞ୍ଚାଇବାକୁ ଦୀର୍ଘ ସପ୍ତାହ ଲାଗି ଯାଉଛି। ଏଥିପାଇଁ ଯୋଗାଣ ସମ୍ପର୍କିତ ଚିନ୍ତା ପୁଣି ବଢିଛି।

ଲେବାନନ ସଂଘର୍ଷ ଯୋଗୁ ଯୁଦ୍ଧବିରାମକୁ ବିପଦ
ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପୂର୍ବରୁ ଚେତାବନୀ ଦେଇଛନ୍ତି ଯେ ଲେବାନନ ଉପରେ ଆକ୍ରମଣ ଆଲୋଚନାକୁ ପ୍ରଭାବିତ କରିପାରେ। ଇସ୍ରାଏଲ ଦ୍ୱାରା ଲେବାନନ ଉପରେ ଜାରି ଆକ୍ରମଣକୁ ସେ ସଂଘର୍ଷ ବିରାମର ସ୍ପଷ୍ଟ ଉଲ୍ଲଂଘନ ବୋଲି କହିଛନ୍ତି। ତେବେ ଅନ୍ୟ ସ୍ଥାନମାନଙ୍କ ଉପରେ ଆକ୍ରମଣ ଅନେକାଂଶରେ କମି ଯାଇଛି। ହେଲେ ଲେବାନନ-ଇସ୍ରାଏଲ ସଂଘର୍ଷ ଜାରି ରହିଛି। ଏଣୁ ସଂଘର୍ଷ ବିରାମ ଭାଙ୍ଗିବା ନେଇ ଆଶଙ୍କା ବଢି ଯାଇଛି।