ନୂଆଦିଲ୍ଲୀ: ଟାଟା ଗ୍ରୁପ କମ୍ପାନୀ 'ଟାଟା ଇଲେକ୍ଟ୍ରୋନିକ୍ସ'ର ଡାଟା ଡାର୍କ ୱେବରେ ଲିକ୍ ହୋଇଛି। ଏହି ସାଇବର ଆକ୍ରମଣରେ ହ୍ୟାକରମାନେ କମ୍ପାନୀର ୨ ଲକ୍ଷରୁ ଅଧିକ ଗୋପନୀୟ ଫାଇଲକୁ ଇଣ୍ଟରନେଟରେ ଲିକ୍ କରିଦେଇଛନ୍ତି। ଏହି ଫାଇଲଗୁଡ଼ିକରେ ଟାଟାର ଦୁଇ ବଡ଼ ଗ୍ରାହକ ଏପଲ୍ (Apple) ଏବଂ ଟେସ୍ଲା (Tesla)ର କମ୍ପୋନେଣ୍ଟ ଡିଜାଇନ୍, ସ୍ପେସିଫିକେସନ୍ ପେପର୍ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ରହିଛି। ତେବେ ଟାଟା ଇଲେକ୍ଟ୍ରୋନିକ୍ସ ସ୍ପଷ୍ଟ କରିଛି ଯେ, ଏହି ଘଟଣାରେ ସେମାନଙ୍କ ବ୍ୟବସାୟିକ କାର୍ଯ୍ୟକ୍ରମ ଉପରେ କୌଣସି ପ୍ରଭାବ ପଡ଼ି ନାହିଁ ଏବଂ ସମସ୍ତ କାମ ସ୍ୱାଭାବିକ ଚାଲିଛି ବୋଲି କମ୍ପାନୀ ସୂଚନା ଦେଇଛି।

ଏପଲର ସାଇବର ସିକ୍ୟୁରିଟି ଟିମ୍ କରୁଛି ଯାଞ୍ଚ

'ମନିକଣ୍ଟ୍ରୋଲ'ର ରିପୋର୍ଟ ଅନୁଯାୟୀ, ଏପଲର ଗ୍ଲୋବାଲ ସାଇବର ସିକ୍ୟୁରିଟି ଟିମ୍ ଏହି ଡାଟା ବ୍ରିଚର ଗଭୀର ଯାଞ୍ଚ କରୁଛି। ଏହାର ମୂଳ କାରଣ ଜାଣିବା ପାଇଁ କମ୍ପାନୀ ଉଦ୍ୟମ ଆରମ୍ଭ କରିଛି। ତେବେ ଏପଲ୍ କହିଛି ଯେ ବର୍ତ୍ତମାନ ଏହି ଲିକ୍ ଯୋଗୁ ବ୍ୟବସାୟିକ କାର୍ଯ୍ୟକ୍ରମ ଉପରେ କୌଣସି ବିପଦ ନାହିଁ।

'ୱାର୍ଲ୍ଡ ଲିକ୍ସ' ଗ୍ୟାଙ୍ଗର କାଣ୍ଡ, ୬୩୦ GB ଡାଟା ଚୋରି

ସାଇବର ସିକ୍ୟୁରିଟି ଗବେଷକଙ୍କ ମତରେ, 'ୱାର୍ଲ୍ଡ ଲିକ୍ସ' (World Leaks) ନାମକ ଏକ ରାନ୍ସମ୍ୱେର୍ ଗ୍ରୁପ୍ ଏହି ଡାଟା ଚୋରି କରିଥିବା ଦାବି କରିଛି। ଏହି ଗ୍ରୁପ୍ ପୂର୍ବରୁ ନାଇକି (Nike) କମ୍ପାନୀ ଉପରେ ମଧ୍ୟ ସାଇବର ଆକ୍ରମଣ କରିଥିଲା। ଡାର୍କ ୱେବରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଏହି ଲିକରେ ମୋଟ ୬୩୦ ଗିଗାବାଇଟ (GB) ଡାଟା ରହିଛି, ଯେଉଁଥିରେ ୨ ଲକ୍ଷରୁ ଅଧିକ ଫାଇଲ୍ ଏବଂ ଫୋଲ୍ଡର ଅଛି।

ଏପଲ୍ ଓ ଟେସ୍ଲାର 'ଟ୍ରେଡ୍ ସିକ୍ରେଟ୍' ଲିକ୍

ଲିକ୍ ହୋଇଥିବା ଡାଟାବେସରେ ଏପଲର "com.apple.factorydata" ନାମକ ଫୋଲ୍ଡର ଏବଂ ମ୍ୟାଟେରିଆଲ ସ୍ପେସିଫିକେସନର ସୂଚନା ମିଳିଛି। ଏଥିରେ ଏକ ୫୨ ପୃଷ୍ଠାର ଦସ୍ତାବିଜ ଅଛି, ଯେଉଁଥିରେ ଆଇଫୋନ୍ ସର୍କିଟ୍ ବୋର୍ଡ କମ୍ପୋନେଣ୍ଟର କ୍ୱାଲିଟି ଇନ୍ସପେକ୍ସନ ଷ୍ଟାଣ୍ଡାର୍ଡ ସମ୍ପର୍କରେ ତଥ୍ୟ ରହିଛି। ସେହିପରି ଟେସ୍ଲାର "NV36 Chargeport Controller - North America" ନାମକ ଏକ ଫୋଲ୍ଡର ମିଳିଛି, ଯାହା ମଡେଲ Y SUV ସହ ଜଡ଼ିତ ବୋଲି ଅନୁମାନ କରାଯାଉଛି। ଏହାଛଡ଼ା ୨୦୨୩ର ଏକ ଦସ୍ତାବିଜ ମିଳିଛି, ଯେଉଁଥିରେ 'ଟ୍ରେଡ୍ ସିକ୍ରେଟ୍' ଲେଖାଅଛି। ଏହା ଟେସ୍ଲାର 'ପ୍ରୋଜେକ୍ଟ ହାଇଲାଣ୍ଡ' ସିଡାନର ଆସେମ୍ବଲି ଡକ୍ୟୁମେଣ୍ଟ ବୋଲି ଜଣାପଡ଼ିଛି।

କର୍ମଚାରୀଙ୍କ ପାସପୋର୍ଟ ଓ ଇମେଲ ମଧ୍ୟ ଲିକ୍

ସାଇବର ସିକ୍ୟୁରିଟି ଗବେଷକ ରାଜଶେଖର ରାଜହରିୟାଙ୍କ କହିବା ଅନୁଯାୟୀ, ଡାର୍କ ୱେବରେ କେବଳ ଡିଜାଇନ୍ ନୁହେଁ, ବରଂ କମ୍ପାନୀର ବହୁ ବର୍ଷର ଇମେଲ୍, ଇଭେଣ୍ଟ ଲଗ୍ ଏବଂ ଭାରତୀୟ ତଥା ବିଦେଶୀ କର୍ମଚାରୀଙ୍କ ପାସପୋର୍ଟ କପି ମଧ୍ୟ ରହିଛି। ଗବେଷକ ରାକେଶ କ୍ରିଷ୍ଣନ୍ କହିଛନ୍ତି ଯେ ଏହି ଡାଟା ଜୁନ୍ ୧୦ ତାରିଖରୁ ଡାର୍କ ୱେବରେ ଉପଲବ୍ଧ ଅଛି।

ଟାଟାକୁ ମିଳିଛି Ransom ପାଇଁ ଧମକ

ସୂଚନା ଅନୁଯାୟୀ, ସାଇବର ଆକ୍ରମଣ ପରେ ହ୍ୟାକରମାନେ ଟାଟା ଇଲେକ୍ଟ୍ରୋନିକ୍ସକୁ ଟଙ୍କା ଦାବି କରି କଲ୍ କିମ୍ବା ମେସେଜ୍ କରିଛନ୍ତି। ଟାଟା ଏହି ଦାବି ଉପରେ କିଛି କହିବାକୁ ମନା କରିଦେଇଛି। ସରକାରୀ ସାଇବର ଏଜେନ୍ସି 'CERT-In' ମଧ୍ୟ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହିଁ।

ଟାଟାର ହୋସୁର ପ୍ଲାଣ୍ଟ ସହ ଜଡ଼ିତ ୩୩ ଫାଇଲ୍ ଲିକ୍

ଡାଟା ଲିକରେ ତାମିଲନାଡୁର ହୋସୁରରେ ଥିବା ଟାଟାର ମୁଖ୍ୟ ଆଇଫୋନ୍ ଆସେମ୍ବଲି ପ୍ଲାଣ୍ଟ ସମ୍ବନ୍ଧୀୟ ୩୩ଟି ଫାଇଲ୍ ମିଳିଛି। ଟାଟା ଭାରତରେ ଏପଲର ମୋଟ ଆଇଫୋନ୍ ଉତ୍ପାଦନର ପ୍ରାୟ ୩୩% ଅଂଶ ତିଆରି କରୁଛି। ଏହି ଘଟଣା ଭାରତରେ ଏପଲର ସପ୍ଲାଇ ଚେନ୍ ପାଇଁ ଏକ ବଡ଼ ଚିନ୍ତାର ବିଷୟ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ମେକ୍ ଇନ୍ ଇଣ୍ଡିଆ' ଭିଜନ୍ ଅନୁଯାୟୀ ଟାଟା ଚୀନ୍ ବାହାରେ ଏପଲର ସବୁଠାରୁ ବଡ଼ ପାର୍ଟନର ହୋଇଉଠିଛି। ପୂର୍ବରୁ ଟାଟା ଗ୍ରୁପର ବ୍ରିଟିଶ କମ୍ପାନୀ ଜାଗୁଆର ଲ୍ୟାଣ୍ଡ ରୋଭର (JLR) ମଧ୍ୟ ସାଇବର ଆକ୍ରମଣର ଶିକାର ହୋଇଥିଲା, ଯାହାଫଳରେ ୬ ସପ୍ତାହ ଧରି ଉତ୍ପାଦନ ବନ୍ଦ ରହିଥିଲା।

ଡାର୍କ ୱେବ ଓ ରାନସମୱେର ଆକ୍ରମଣ କଣ?

ଡାର୍କ ୱେବ: ଇଣ୍ଟରନେଟର ସେହି ଅଂଶ ଯାହା ଗୁଗୁଲ୍ ବା ବିଙ୍ଗ୍ ପରି ସର୍ଚ୍ଚ ଇଞ୍ଜିନରେ ଦେଖାଯାଏ ନାହିଁ। ଏହାକୁ ଖୋଲିବା ପାଇଁ ସ୍ୱତନ୍ତ୍ର ସଫ୍ଟୱେର୍ (ଯେପରିକି ଟର୍ ବ୍ରାଉଜର୍) ଆବଶ୍ୟକ। ଏହା ଅବୈଧ କାର୍ଯ୍ୟ ପାଇଁ ବ୍ୟବହୃତ ହୁଏ।

ରାନସମୱେର: ଏହା ଏକ ପ୍ରକାର କ୍ଷତିକାରକ ଡିଜିଟାଲ ଭାଇରସ୍। ଏହା କମ୍ପାନୀ ବା ବ୍ୟକ୍ତିବିଶେଷଙ୍କ କମ୍ପ୍ୟୁଟର ସିଷ୍ଟମକୁ ହ୍ୟାକ୍ କରି ଲକ୍ କରିଦିଏ। ଏହାପରେ ହ୍ୟାକରନେ ତଥ୍ୟ ଲିକ୍ କରିବା ବା ଡିଲିଟ୍ କରିବାର ଧମକ ଦେଇ ମୋଟା ଅଙ୍କର ଟଙ୍କା ଦାବି କରନ୍ତି।