ଭୁବନେଶ୍ୱର : ଦକ୍ଷିଣ ଭାରତୀୟ ସିନେମାର 'ସିଂଘମ' ଭାବେ ପରିଚିତ, ନିଜ ଅଭିନୟରେ କୋଟି କୋଟି ଦର୍ଶକଙ୍କ ହୃଦୟ ଜିତିଥିବା ତାମିଲ ସୁପରଷ୍ଟାର ସୂର୍ଯ୍ୟ ଆଜି ନିଜର ଜନ୍ମଦିନ ପାଳନ କରୁଛନ୍ତି। 'ଜୟ ଭୀମ' ଓ 'ସୁରରାଇ ପୋଟ୍ରୁ' ଭଳି ସିନେମାରେ ଦମଦାର ଅଭିନୟ ପାଇଁ ଜାତୀୟ ପୁରସ୍କାର ଜିତିଥିବା ସୂର୍ଯ୍ୟ ଆଜି ଦେଶର ସବୁଠୁ ଲୋକପ୍ରିୟ ଓ ସର୍ବାଧିକ ପାରିଶ୍ରମିକ ନେଉଥିବା ଅଭିନେତାମାନଙ୍କ ମଧ୍ୟରେ ଗଣାଯାଆନ୍ତି। କିନ୍ତୁ ତାଙ୍କ ସଫଳତାର କାହାଣୀ କୌଣସି ସହଜ ଷ୍ଟାର କିଡ୍ଙ୍କ କାହାଣୀ ନୁହେଁ । ଦକ୍ଷିଣ ଭାରତୀୟ ସିନେମାରେ ଜାତୀୟ ପୁରସ୍କାର ଜିତିଥିବା ବହୁମୁଖୀ ତାମିଲ ଅଭିନେତା ସୂର୍ଯ୍ୟଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । ସୂର୍ଯ୍ୟ ଆଜି ଦେଶର ସବୁଠୁ ଧନୀ ଏବଂ ସର୍ବାଧିକ ପାରିଶ୍ରମିକ ପାଉଥିବା ଅଭିନେତାମାନଙ୍କ ମଧ୍ୟରେ ଗଣାଯାଆନ୍ତି।

ସଂଘର୍ଷରୁ ସଫଳତା ପର୍ଯ୍ୟନ୍ତର ଯାତ୍ରା :

୩୫୦ କୋଟି ଟଙ୍କାର ସମ୍ପତ୍ତିର ମାଲିକ ସୂର୍ଯ୍ୟ କୋଟି କୋଟି ଦର୍ଶକଙ୍କ ହୃଦୟରେ ରାଜ କରୁଥିଲେ ମଧ୍ୟ, ତାଙ୍କ ସଫଳତାର ଆରମ୍ଭ ସେପରି ନଥିଲା, ଯେପରି ସାଧାରଣତଃ ଜଣେ ଷ୍ଟାର କିଡ୍ଙ୍କ ଜୀବନରେ ଦେଖିବାକୁ ମିଳେ। ସେ ନିଜର ପରିଶ୍ରମ, ସଂଘର୍ଷ ଓ ଅଭିନୟ ଦକ୍ଷତା ବଳରେ ଆଜି ଏହି ସଫଳତାର ଶିଖରରେ ପହଞ୍ଚିଛନ୍ତି।ତେବେ ଏହି ସଫଳତା ରାତାରାତି ଆସିନଥିଲା। ଅଭିନେତା ଶିବକୁମାରଙ୍କ ପୁଅ ହୋଇଥିଲେ ମଧ୍ୟ ସୂର୍ଯ୍ୟ କେବେ ବାପାଙ୍କ ପରିଚୟର ସୁଯୋଗ ନେବାକୁ ଚାହିଁନଥିଲେ। ଅଭିନୟ ଜଗତକୁ ଆସିବା ପୂର୍ବରୁ ସେ ଏକ ଗାର୍ମେଣ୍ଟ କମ୍ପାନୀରେ ସାଧାରଣ କର୍ମଚାରୀ ଭାବେ କାମ କରୁଥିଲେ ଏବଂ ନିଜ ପରିଶ୍ରମରେ ଆଗକୁ ବଢ଼ିଥିଲେ।ଚେନ୍ନାଇର ଲୋୟୋଲା କଲେଜରୁ ବି.କମ୍ ପାସ୍ କରିବା ପରେ ସୂର୍ଯ୍ୟ ଏକ ଗାର୍ମେଣ୍ଟ ଏକ୍ସପୋର୍ଟ କମ୍ପାନୀରେ ସାଧାରଣ କର୍ମଚାରୀ ଭାବେ କାମ ଆରମ୍ଭ କରିଥିଲେ। ପ୍ରଶିକ୍ଷଣ ସମୟରେ ପ୍ରଥମ ୧୫ ଦିନ ପାଇଁ ସେ ମାତ୍ର ୭୫୦ ଟଙ୍କା ପାଇଥିଲେ। ପରେ ତାଙ୍କ ମାସିକ ଦରମା ୧,୨୦୦ ଟଙ୍କା ହୋଇଥିଲା ଏବଂ ପ୍ରାୟ ଅଢ଼େଇରୁ ତିନି ବର୍ଷ କଠିନ ପରିଶ୍ରମ କରି ତାହା ୮,୦୦୦ ଟଙ୍କାରେ ପହଞ୍ଚିଥିଲା। ଏହା ପୂର୍ବରୁ ୧୯୯୫ ମସିହାରେ ତାଙ୍କୁ ଫିଲ୍ମ ‘ଆସାଇ’ ପାଇଁ ଅଫର ଦେଇଥିଲେ ନିର୍ଦ୍ଦେଶକ ବସନ୍ତ କିନ୍ତୁ ସେହି ପ୍ରସ୍ତାବକୁ ସୂର୍ଯ୍ୟ ପ୍ରତ୍ୟାଖ୍ୟାନ କରିଥିଲେ, କାରଣ ସେତେବେଳେ ତାଙ୍କର ଅଭିନୟ ପ୍ରତି କୌଣସି ଆଗ୍ରହ ନଥିଲା। ପରେ ମା'ଙ୍କ ଉପରେ ଥିବା ୨୫ ହଜାର ଟଙ୍କାର ଋଣ ଶୁଝିବା ପାଇଁ ସେ ପୁଣି ଚଳଚ୍ଚିତ୍ର ଜଗତକୁ ଆସିବାର ନିଷ୍ପତ୍ତି ନେଇଥିଲେ।

ଫିଲ୍ମ ଜଗତରୁ କ୍ୟାରିୟର :

୧୯୯୭ ମସିହାରେ ନିର୍ମାତା ମଣିରତ୍ନମଙ୍କ ପ୍ରଯୋଜିତ ଚଳଚ୍ଚିତ୍ର ‘ନେରୁକ୍କୁ ନେର’ ମାଧ୍ୟମରେ ସେ ସିନେମା ଜଗତରେ ପଦାର୍ପଣ କରିଥିଲେ। ସୂର୍ଯ୍ୟଙ୍କ ପ୍ରକୃତ ନାମ ହେଉଛି ସରବଣନ ଶିବକୁମାର। ସେତେବେଳେ ‘ସରବଣନ’ ନାମର ଅନ୍ୟ କଳାକାରମାନଙ୍କ ସହ ବିଭ୍ରାନ୍ତି ଏଡ଼ାଇବା ପାଇଁ ମଣିରତ୍ନମ ତାଙ୍କୁ ‘ସୂର୍ଯ୍ୟ’ ନାମ ଦେଇଥିଲେ। ସେ ‘ନନ୍ଦା’, ‘କାଖା କାଖା’, ‘ଗଜିନୀ’, ‘ସିଂଘମ’ ଏବଂ ‘ସୁରରାଇ ପୋଟ୍ରୁ’ ଭଳି ସୁପରହିଟ୍ ଚଳଚ୍ଚିତ୍ର ମାଧ୍ୟମରେ ସେ ଭାରତୀୟ ସିନେମାର ଜଣେ ପ୍ରମୁଖ ଅଭିନେତା ଭାବେ ନିଜକୁ ପ୍ରତିଷ୍ଠିତ କରିଛନ୍ତି।