ମୁମ୍ବାଇ : ତାପସୀ ପନ୍ନୁ ଏବେ ତାଙ୍କ ଫିଲ୍ମ ‘ଗାନ୍ଧାରୀ’ ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ସେ ମହିଳାଙ୍କୁ ମୁଖ୍ୟ ଭୂମିକାରେ ନେଇ ତିଆରି ହେଉଥିବା ଫିଲ୍ମଗୁଡ଼ିକର ବିଫଳତାକୁ ନେଇ ନିଜ ମତ ରଖିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ତାପସୀ କହିଛନ୍ତି ଯେ, ମହିଳା କେନ୍ଦ୍ରିକ ଫିଲ୍ମ ଫ୍ଲପ୍ ହେଲେ ତାହାର ପ୍ରଭାବ କେବଳ ସେହି ଫିଲ୍ମ ଉପରେ ନୁହେଁ, ବରଂ ଅନ୍ୟ ଅଭିନେତ୍ରୀମାନଙ୍କ ଭବିଷ୍ୟତ ପ୍ରୋଜେକ୍ଟ ଉପରେ ମଧ୍ୟ ପଡ଼ିପାରେ। ତାପସୀ ଏହି ସମୟରେ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଆଲ୍ଫା’ର ବିଫଳତାର ଉଦାହରଣ ଦେଇ କହିଛନ୍ତି ଯେ, ଏଭଳି ଫିଲ୍ମ ଫ୍ଲପ୍ ହେଲେ ତାହାର ପ୍ରଭାବ ଅନ୍ୟ ମହିଳା କେନ୍ଦ୍ରିକ ପ୍ରୋଜେକ୍ଟଗୁଡ଼ିକ ଉପରେ ମଧ୍ୟ ପଡ଼ିଥାଏ।

ତାପସୀ କହିଛନ୍ତି “ମୁଁ ଗୋଟିଏ କଥା ଲକ୍ଷ୍ୟ କରିଛି। ଆଜିକାଲି ଲୋକମାନେ ମୋତେ ଏହି ପ୍ରଶ୍ନ ମଧ୍ୟ ପଚାରୁଛନ୍ତି ଯେ, ଯେତେବେଳେ ଆପଣ ଜଣେ ମହିଳା ଅଭିନେତ୍ରୀଙ୍କୁ ନେଇ ଏକ ବଡ଼ ଆକ୍ସନ୍ ଫିଲ୍ମରେ ଟଙ୍କା ଲଗାନ୍ତି, ଯାହା ସାଧାରଣତଃ ମହିଳାମାନଙ୍କ ପାଇଁ ପ୍ରଚଳିତ ନୁହେଁ ଏବଂ ସେହି ଫିଲ୍ମ ଚାଲେ ନାହିଁ, ତେବେ ପୁଣି କିଏ ଏଭଳି ଫିଲ୍ମରେ ଟଙ୍କା ଲଗାଇବ?” ତାପସୀ ଆହୁରି ପ୍ରଶ୍ନ କରିଛନ୍ତି ଯେ, ବଡ଼ ବଜେଟରେ ତିଆରି ହେଉଥିବା ପୁରୁଷ କେନ୍ଦ୍ରିକ ଫିଲ୍ମଗୁଡ଼ିକ ଫ୍ଲପ୍ ହେଲେ କାହିଁକି କେହି ସେହିଭଳି ପ୍ରଶ୍ନ କରନ୍ତି ନାହିଁ ? ତାପସୀଙ୍କ ଏହି ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ମହିଳା କେନ୍ଦ୍ରିକ ଆକ୍ସନ୍ ଫିଲ୍ମର ବିଫଳତା ପରେ ନିବେଶକମାନେ ଆଗାମୀ ଦିନରେ ଏଭଳି ପ୍ରୋଜେକ୍ଟରେ ଟଙ୍କା ଲଗାଇବାକୁ ପଛଘୁଞ୍ଚା ଦେଇପାରନ୍ତି ବୋଲି ତାପସୀ ପ୍ରକାଶ କରିଛନ୍ତି।

Also Read: 'ହାଇଜିନ୍ ରଖ, ନଚେତ୍ ତାଙ୍କୁ ପଠାଇଦେବି', ତୁକାରାମ ମୁଣ୍ଡେଙ୍କ ଭୟ ଦେଖାଇ ସଲମାନ କାହାକୁ ଦେଲେ ଚେତାବନୀ ?

ସେ କହିଛନ୍ତି ,“ଯଦି କୌଣସି ମହିଳା କେନ୍ଦ୍ରିକ ଫିଲ୍ମରେ ଅଧିକ ଟଙ୍କା ଲଗାଯାଏ, ତେବେ ଆଶା କରାଯାଏ ଯେ ଆପଣ ୧୯ କିମ୍ବା ୨୦ ନୁହେଁ, ବରଂ ୨୧ ସ୍କୋର କରିବାକୁ ପଡ଼ିବ। ଆପଣ କୌଣସି ଭୁଲ କରିପାରିବେ ନାହିଁ।” ତାଙ୍କ ମତରେ, ମହିଳା ପ୍ରଧାନ ଫିଲ୍ମର ବଜେଟ୍କୁ ଅନେକ ସମୟରେ ଅନ୍ୟ ବଡ଼ ଫିଲ୍ମ ସହ ତୁଳନା କରି ‘ବଡ଼ ବଜେଟ୍’ ବୋଲି କୁହାଯାଏ। ତାପସୀ ଆହୁରି କହିଛନ୍ତି ଯେ, ଯେଉଁ ସବୁ ବଡ଼ ଅଭିନେତ୍ରୀ ଏଭଳି ଫିଲ୍ମ କରିବାକୁ ଚାହାନ୍ତି, ଯେଉଁଥିରେ କାହାଣୀର ମୁଖ୍ୟ ଦାୟିତ୍ୱ ଜଣେ ମହିଳାଙ୍କ ହାତରେ ଥାଏ, ସେମାନଙ୍କ ସମସ୍ତଙ୍କ ଉପରେ ଗୋଟିଏ ଫିଲ୍ମର ବିଫଳତାର ପ୍ରଭାବ ପଡ଼ିଥାଏ। ଏପରି ଘଟଣା ପରେ ନିବେଶକମାନଙ୍କ ସହ ମୋର ଆଲୋଚନାର ଧାରା ବଦଳିଯାଏ। ଯେଉଁ ନିବେଶକମାନେ ପୂର୍ବରୁ ଆଗ୍ରହ ଦେଖାଉଥିଲେ, ସେମାନେ ପଛକୁ ହଟିବା ଆରମ୍ଭ କରନ୍ତି,” ବୋଲି କହିଛନ୍ତି ତାପସୀ ପନ୍ନୁ। ତାପସୀଙ୍କ ଏହି ବୟାନ ଏବେ ବଲିଉଡରେ ମହିଳା କେନ୍ଦ୍ରିକ ଫିଲ୍ମ ଏବଂ ସେଥିରେ ନିବେଶକଙ୍କ ମନୋଭାବକୁ ନେଇ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ଅନ୍ୟପଟେ, ତାପସୀ ପନ୍ନୁଙ୍କ ନୂଆ ଫିଲ୍ମ ‘ଗାନ୍ଧାରୀ’ ବର୍ତ୍ତମାନ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହେଉଛି। ଫିଲ୍ମଟି ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଆସ କରିଛନ୍ତି ଅଭିନେତ୍ରୀ ।