ନୂଆଦିଲ୍ଲୀ: ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନ ଆଜିକାଲି ଇନଷ୍ଟାଗ୍ରାମରେ ତାଙ୍କର ମଜାଳିଆ ଅନ୍ଦାଜ ପାଇଁ ଛାଇଯାଇଛନ୍ତି । ଏବେ ଏହି ଅଭିନେତାଙ୍କର ଏକ ନୂଆ ପୋଷ୍ଟ ଚର୍ଚ୍ଚାକୁ ଆସିଛି । ସଲମାନ ଖାନ ମଜାଳିଆ ଶୈଳୀରେ ମୁମ୍ବାଇର ଏକ କ୍ୟାଫେକୁ ସ୍ୱଚ୍ଛତା (ହାଇଜିନ୍) ନାଁରେ ଚେତାବନୀ ଦେଇଛନ୍ତି । ଇଶାରା-ଇଶାରାରେ କହିଛନ୍ତି ଯେ ସ୍ୱଚ୍ଛତା ବଜାୟ ରଖ, ନଚେତ୍ ତାଙ୍କୁ (ତୁକାରାମ ମୁଣ୍ଡେଙ୍କୁ) ପଠାଇଦେବି ।

ସଲମାନଙ୍କ ନୂଆ ପୋଷ୍ଟକୁ ନେଇ ଚର୍ଚ୍ଚା

ସଲମାନ ଖାନ ମହାରାଷ୍ଟ୍ରର ଏଫଡିଏ କମିଶନର ତୁକାରାମ ମୁଣ୍ଡେଙ୍କ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଇନଷ୍ଟା ଷ୍ଟୋରୀରେ ଜଣେ କ୍ୟାଫେ ମାଲିକଙ୍କ ଭିଡିଓ ପୋଷ୍ଟ କରିଛନ୍ତି । ଏହାସହ ଅଭିନେତା ଜଣକ ଚେତାବନୀ ଦେଇ ଏକ ବାର୍ତ୍ତା ମଧ୍ୟ ଲେଖିଛନ୍ତି । ସେ କହିଛନ୍ତି, "ସୃଷ୍ଟି, ମୋ କଫି ରିଫିଲ୍ କରିଦିଅ ପ୍ଲିଜ୍ । ଦାମ୍ ବଢ଼ାଇବ ନାହିଁ, କ୍ୱାଲିଟି ବଜାୟ ରଖିବ । ସ୍ୱଚ୍ଛତା ମଧ୍ୟ ବଜାୟ ରଖିବ, ନଚେତ୍ ମୁଁ ତାଙ୍କୁ ପଠାଇଦେବି ଏବଂ କାମ ଶେଷ ।" ସଲମାନ ପୋଷ୍ଟରେ ରବି କିଶନଙ୍କ ଭାଇରାଲ ଡାଇଲଗ୍ 'It's done, bro' କୁ 'It's done sis' ବୋଲି ଲେଖିଛନ୍ତି ।

​​​​​​​

ସେ ଆଗକୁ ଲେଖିଛନ୍ତି, "ପୁଣି ମୁଁ ଦିନେ ଆସିବି, ମୋର 'ବିଇଂ ହ୍ୟୁମାନ୍' ଟି-ସାର୍ଟ ଏବଂ ଜିନ୍ସ ପିନ୍ଧି, ତୁମ ପାଇଁ ମୁଁ ବହୁତ ଖୁସି କର୍ପୋରେଟ୍ ୱୁମେନ୍ । ଆଉ ଏ ଯିଏ ଭିଡିଓରେ କହୁଛି, ସିଏ ହେଉଛି ମାଲିକ । ଏବଂ ସିଏ ହିଁ ବ୍ୟାଟମ୍ୟାନ୍ ।" ସଲମାନଙ୍କର ଏହି ମିଜାଜ୍ ଲୋକଙ୍କୁ ବେଶ୍ ପସନ୍ଦ ଆସୁଛି । ସଲମାନ ତାଙ୍କ ବାର୍ତ୍ତାରେ କାହାର ନାମ ନେଇନାହାନ୍ତି, କିନ୍ତୁ ତାଙ୍କର ବୟାନ ତୁକାରାମ ମୁଣ୍ଡେଙ୍କ ଆଡ଼କୁ ଇଶାରା କରୁଛି ।

ତୁକାରାମ ମୁଣ୍ଡେ ମହାରାଷ୍ଟ୍ରରେ ଖାଦ୍ୟ ସୁରକ୍ଷାକୁ ନେଇ ଆକ୍ସନ ମୁ଼ଡରେ ଅଛନ୍ତି । ନକଲି ଖାଦ୍ୟ ପଦାର୍ଥ ବିକ୍ରି କରିବା ଏବଂ ସଫାସୁତୁରା ନ ରଖିବା ବିରୋଧରେ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ତାଙ୍କର ଏହି କଠୋର ଆଭିମୁଖ୍ୟ ଯୋଗୁଁ ସୋସିଆଲ ମିଡିଆରେ ତାଙ୍କୁ 'ରିଅଲ୍ ଲାଇଫ୍ ସିଙ୍ଘମ୍' ମଧ୍ୟ କୁହାଯାଉଛି ।