କୋଲକାତା: ସଞ୍ଜୁ ସାମସନଙ୍କ ସ୍ମରଣୀୟ ଅର୍ଦ୍ଧଶତକୀୟ ଇନିଂସ। ସୁପର-୮ର ଗୁରୁତ୍ଵପୂର୍ଣ୍ଣ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ବାଜି ମାରିଲା ଭାରତ। ଓ୍ଵେଷ୍ଟଇଣ୍ଡିଜକୁ ୫ ଓ୍ଵିକେଟରେ ହରାଇ ଐତିହାସିକ ବିଜୟ ହାସଲ କରିଛି। ଏହି ମ୍ୟାଚ୍ ଜିତି ଭାରତ ଚତୁର୍ଥ ଦଳ ଭାବେ ଟି-୨୦ ବିଶ୍ଵକପ୍ ୨୦୨୬ର ସେମି ଫାଇନାଲରେ ପହଞ୍ଚିଛି। ଏହା ସହିତ ୨୦୧୬ ଟି-୨୦ ବିଶ୍ଵକପ୍ ସେମି ଫାଇନାଲ୍ ପରାଜୟର ମଧୁର ପ୍ରତିଶୋଧ ନେଇଛି ଭାରତ। ଇଣ୍ଡିଜ ଦ୍ଵାରା ଧାର୍ଯ୍ୟ ୧୯୬ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୧୯.୨ ଓଭରରେ ୫ ଓ୍ଵିକେଟ୍ ହରାଇ ହାସଲ କରିଛି। ଏବେ ସେମିରେ ଭାରତ ଇଂଲଣ୍ଡ ସହ ମୁକାବିଲା କରିବ। ସଞ୍ଜୁ ସାମସନ ୯୭ ରନର ଐତିହାସିକ ଅପରାଜିତ ଇନିଂସ ଖେଳି ଭାରତ ବିଜୟରେ ହିରୋ ସାଜିଛନ୍ତି। ମୋଟ୍ ଷଷ୍ଠ ଥର ଭାରତ ସେମି ଫାଇନାଲ୍‌ରେ ପହଞ୍ଚିଛି। ମାର୍ଚ୍ଚ ୫ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଦ୍ଵିତୀୟ ସେମି ଫାଇନାଲ୍ ମ୍ୟାଚ୍

Also read: ପାକିସ୍ତାନର ବିଜୟ ବୃଥା, ଟି-୨୦ ବିଶ୍ବକପ୍‌ରୁ ବିଦା କଲା ଶ୍ରୀଲଙ୍କା; ସେମିରେ ନ୍ୟୁଜିଲାଣ୍ଡ

୧୯୬ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତର ଆରମ୍ଭ ଆଶାନୁରୂପ ନ ଥିଲା। ଅଭିଷେକ ଶର୍ମା ପୁଣି ଥରେ ନିରାଶ କରିଛନ୍ତି। ସେ ୧୦ ରନନ କରି ଆଉଟ୍ ହୋଇଥିଲେ। ଇଶାନ କିଶନ ଭଲ ଫର୍ମରେ ନଜର ଆସୁଥିଲେ ହେଁ ୧୦ ରନ କରିଥିଲେ। ତେବେ ସଞ୍ଜୁ ସାମସନ ଦମଦାର ବ୍ୟାଟିଂ କରିଥିଲେ। ସେ ଗୋଟିଏ ପଟୁ ଭାରତର ଇନିଂସ ସମ୍ଭାଳି ଭାରତର ସ୍ଥିତି ମଜବୁତ କରିଥିଲେ। ସଞ୍ଜୁ ଓ ଅଧିନାୟକ ସୂର୍ଯ୍ୟକୁମାର ୫୮ ରନ ଯୋଡ଼ିଥିଲେ। ସୂର୍ଯ୍ୟ ୧୮ ରନ କରିଥିଲେ ହେଁ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ଅନ୍ୟ ପଟେ ସାମସନ ଅର୍ଦ୍ଧଶତକ ହାସଲ କରି ସମାଲୋଚକଙ୍କୁ ଜବାବ ଦେଇଛନ୍ତି। ତିଳକ ବର୍ମା ମଧ୍ୟ ଭଲ ବ୍ୟାଟିଂ କରିଥିଲେ। ହେଲେ ଓ୍ଵେଷ୍ଟଇଣ୍ଡିଜ ଫିଲ୍ଡରଙ୍କ ଚତ୍ମକାର ଫିଲ୍ଡିଂରେ ତିଳକ ୨୭ ରନ କରି ଆଉଟ୍ ହୋଇଥିଲେ।

ଠିକ୍ ସମୟରେ ହାର୍ଦ୍ଦିକ ୧୭ ରନ କରି ଆଉଟ୍ ହେବାରୁ ମ୍ୟାଚ୍ ରୋଚକ ହୋଇଥିଲା। କିନ୍ତୁ ବାକି କାମ ପୂରଣ କରିଥିଲେ ସାମସନ। ଧୈର୍ଯ୍ୟର ସହ ବ୍ୟାଟିଂ କରି ସାମସନ ଭାରତକୁ ୫ ଓ୍ଵିକେଟରେ ବିଜୟୀ କରାଇଛନ୍ତି। ସାମସନ ୫୦ ବଲରୁ ୧୨ ଚୌକା ଓ ୪ ଛକା ସହ ୯୭ ରନର ଅପରାଜିତ ଇନିଂସ ଖେଳିଥିଲେ। ତାଙ୍କର ଏହି ଇନିଂସ ବଳରେ ଭାରତ ୧୯.୨ ଓଭରରେ ମ୍ୟାଚ୍ ଜିତି ନେଇଛି। ସଞ୍ଜୁ ଆଜି ନିଜକୁ ସାବ୍ୟସ୍ତ କରି ଦେଇଛନ୍ତି ଯେ, ବଡ଼ ମ୍ୟାଚ୍ ପାଇଁ ଅଭିଜ୍ଞତା ଜରୁରୀ। ବୋଲିଂରେ ଇଣ୍ଡିଜ ପକ୍ଷରୁ ଜାସନ ହୋଲଡର ଓ ସାମରା ଯୋଶେଫ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

ଓ୍ଵେଷ୍ଟଇଣ୍ଡିଜ ଇନିଂସ

ଟସ୍  ହାରି ପ୍ରଥମେ ବ୍ୟାଟିଂ କରିଥିବା ଓ୍ଵେଷ୍ଟଇଣ୍ଡିଜର ଦୁଇ ଓପନର ସାଇ ହୋପ୍ ଓ ରୋଷ୍ଟନ ଚେଜ୍ ଭଲ ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟର ୯ ଓଭରରେ ୬୮ ରନ ଯୋଡ଼ିଥିଲେ। ସାଇ ହୋପ୍ ୩୨  ରନ କରି ଆଉଟ୍ ହୋଇଥିଲେ। ସିମରନ ହେଟମାୟର ଦ୍ରୁତ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର କାରଣ ପାଲଟିଥିଲେ। ହେଟମାୟର ୧୨ ବଲରୁ ୨୭ ରନ କରି ବୁମରାଙ୍କ ଦ୍ଵାରା ଆଉଟ୍ ହୋଇଥିଲେ। କ୍ରିଜରେ ସେଟ୍ ଥିବା ରୋଷ୍ଟନ ଚେଜ୍ ୪୦ ରନର ଉଲ୍ଲେଖନୀୟ ଇନିଂସ ଖେଳିଥିଲେ।

​​​​​​​

ଶେରଫନ ରଦରଫୋର୍ଡ(୧୪ ରନ) ପାଭିଲିୟନ ଫେରିଥିଲେ। ଏହାପରେ ରୋଭମାନ ପାଓ୍ଵେଲ ଓ ଜାସନ ହୋଲଡର ମୋର୍ଚ୍ଚା ସମ୍ଭାଳିଥିଲେ। ଉଭୟ ଭାରତୀୟ ବୋଲରଙ୍କୁ ପ୍ରହାର କରିଥିଲେ। ବିସ୍ଫୋରକ ବ୍ୟାଟିଂ କରି ପଞ୍ଚମ ଓ୍ଵିକେଟ୍ ପାଇଁ ୭୬ ରନ ଯୋଡ଼ିଥିଲେ। ଫଳରେ ଓ୍ଵେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ଓଭରରେ ୧୯୫ ରନ କରିଥିଲା। ପାଓ୍ଵେଲ ୧୯ ବଲରୁ ୩ ଚୌକା ଓ ୨ ଛକା ସହ ୩୪ ରନରେ ଅପରାଜିତ ଥିଲେ। ଜାସନ ହୋଲଡର ୨୨ ବଲରୁ ୨ ଚୌକା ଓ ୩ ଛକା ସହ ୩୭ ରନ କରିଥିଲେ।

ବୋଲିଂରେ ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୨ଟି ଓ୍ଵିକେଟ୍ ନେଇଥିଲେ ହେଁ ୩୬ ରନ ବ୍ୟୟ କରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।