ନୂଆଦିଲ୍ଲୀ ୦୮।୦୫; ଭାରତୀୟ ଟି-୨୦ ଅଧିନାୟକ ତଥା ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ ବାପା ହୋଇଛନ୍ତି । ପତ୍ନୀ ଦେବୀଶା ସେଟ୍ଟି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ବିବାହର ୧୦ ବର୍ଷ ପରେ ପିତାମାତା ହୋଇଛନ୍ତି। ଦେବୀଶାଙ୍କ ବେବି ସାୱାର ମାର୍ଚ୍ଚ ମାସରେ ଅନୁଷ୍ଠିତ ହୋଇଥିଲା, ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ପ୍ରଶଂସକମାନେ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଉଛନ୍ତି । ସୂର୍ଯ୍ୟକୁମାର ବର୍ତ୍ତମାନ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଛନ୍ତି। ରବିବାର ରାୟପୁରରେ ମୁମ୍ବାଇ ଇଣ୍ଡିଆନ୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ସହିତ ଖେଳିବ । ସୂର୍ଯ୍ୟକୁମାର ଏହି ମ୍ୟାଚ୍ ଖେଳିବା ପାଇଁ ଉପଲବ୍ଧ ହେବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

୩୫ ବର୍ଷୀୟ ସୂର୍ଯ୍ୟକୁମାର ଯାଦବ ୨୦୧୬ରେ ଦେବୀଶା ଶେଟ୍ଟୀଙ୍କୁ ପ୍ରେମ ବିବାହ କରିଥିଲେ। ସେମାନଙ୍କର ପ୍ରେମ କାହାଣୀ ସେମାନଙ୍କ କଲେଜ ସମୟରେ ଆରମ୍ଭ ହୋଇଥିଲା । ଏକ ନୃତ୍ୟ ପ୍ରଦର୍ଶନ ସମୟରେ ଦେବୀଶାଙ୍କ ପ୍ରତିଭା ଦେଖି ସୂର୍ଯ୍ୟକୁମାର ତାଙ୍କ ପ୍ରେମରେ ପଡ଼ିଯାଇଥିଲେ । ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତ ଚଳିତ ବର୍ଷ ମାର୍ଚ୍ଚରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଟି-୨୦ ବିଶ୍ୱକପ୍ ଜିତିଥିଲା । ସୂର୍ଯ୍ୟକୁମାର କିଛି ସମୟ ଧରି ଭାରତୀୟ ଟି-୨୦ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ରହିଆସିଛନ୍ତି । ବିବାହର ୧୦ ବର୍ଷ ପରେ ବାପାମାଆ ହୋଇଛନ୍ତି ସୂର୍ଯ୍ୟକୁମାର ଏବଂ ଦେବିଶା ।

ସୂର୍ଯ୍ୟକୁମାର ଯାଦବ ସମ୍ପ୍ରତି ତାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସଙ୍କୁ ଲକ୍ଷ୍ନୌ ବିପକ୍ଷରେ ବିଜୟୀ କରାଇଥିଲେ। ଲକ୍ଷ୍ନୌ ବିପକ୍ଷ ମ୍ୟାଚ୍ରେ ଦଳର ନିୟମିତ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆଘାତ ଯୋଗୁଁ ଖେଳି ନଥିଲେ ଏବଂ ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଅଧିନାୟକତ୍ୱ କରିଥିଲେ । ସୂର୍ଯ୍ୟକୁମାରଙ୍କ ଅଧିନାୟକତ୍ୱ ମୁମ୍ବାଇ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଥିଲା । ଦଳ କ୍ରମାଗତ ତିନୋଟି ପରାଜୟ ପରେ ବିଜୟ ସ୍ୱାଦ ଚାଖିଥିଲା । ମେ ୧୦ରେ ରାୟପୁରରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ମୁମ୍ବାଇର ମ୍ୟାଚ ରହିଛି । ହୁଏତ ଏହି ମ୍ୟାଚ ସୂର୍ଯ୍ୟକୁମାର ଖେଳିନପାରନ୍ତି ।

Also Read-ଆକ୍ସନ ମୋଡରେ BCCI : IPLରେ ହନୀ ଟ୍ରାପ୍ ଭୟ ! ଖେଳାଳିଙ୍କ ପାଇଁ କଡା ଆଇନ୍, ମାନିବାକୁ ହେବ ଏସବୁ ନିୟମ