ନୂଆଦିଲ୍ଲୀ, ୦୮​​​​​​​/୦୫: ଏବେ ଆଇପିଏଲରେ ଖେଳାଳିଙ୍କ ପାଇଁ ଲାଗିବ ଶକ୍ତ ଆଇନ୍ । ପ୍ରେମିକା କିମ୍ବା ବାନ୍ଧବୀଙ୍କ ସହ ରହିପାରିବେନି । ଏପରିକି ହୋଟେଲକୁ ଅନଧିକୃତ ପ୍ରବେଶ ଉପରେ ମଧ୍ୟ ରୋକ୍ ଲାଗିବ । ଏନେଇ ବିସିସିଆଇ ସଚିବ ଦେବଜିତ୍ ସାଇକିଆ ୧୦ ଫ୍ରାଞ୍ଚାଇଜ୍ ସହ ଆଲୋଚନା କରିଛନ୍ତି ।

ଦେବଜିତଙ୍କ କହିବାନୁସାରେ, ଅନେକ ଗୁରୁତର ଅଭିଯୋଗକୁ ପ୍ରତିହତ କରିବା ପାଇଁ ଏସବୁ ନିଷ୍ପତ୍ତି ନିଆଯାଉଛି । ଏପରିକି କେହି କେହି ହନୀ ଟ୍ରାପ୍ ର ଶିକାର ହୋଇପାରନ୍ତି । ଖାଲି ଏତିକି ନୁହେଁ ବିସିସିଆଇ ଅଧିକାରୀ ଖେଳାଳିଙ୍କୁ ରୁମରେ ସରପ୍ରାଇଜ୍ ଚେକ୍ କରିବେ । ଯଦି କେହି କୌଣସି ନିୟମର ଖିଲାପ କରନ୍ତି ତାହାଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସେ ଆହୁରି କହିଛନ୍ତି ଯେ, ଏକ ଟାକ୍ସ ଫୋର୍ସ ଗଠନ କରାଯାଇଛି । ଏଥିରେ ବିସିସିଆଇ ଏବଂ ଆଇପିଏଲ ଟିମର ଅଧିକାରୀ ରହିଛନ୍ତି । ଏହି ଟିମ୍ ହୋଟେଲ ରୁମ୍ ଚେକ୍ କରିବ । ଯଦି ହୋଟେଲ ରୁମରେ କେହି ଅନଧିକୃତ ବ୍ୟକ୍ତି ମିଳନ୍ତି ତାହାଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯେଉଁ ବ୍ୟକ୍ତି କୌଣସି ଖେଳାଳିଙ୍କୁ ଭେଟିବାକୁ ଆସନ୍ତି ସେମାନଙ୍କ ସମସ୍ତ ତଥ୍ୟ ରଖାଯିବ । କେବଳ ଅଧିକୃତ ବ୍ୟକ୍ତିଙ୍କୁ ହିଁ ଅତିଥି ଭାବେ ଖେଳାଳିଙ୍କ ରୁମକୁ ଛଡାଯିବ । ଆଇପିଏଲ ଫ୍ରାଞ୍ଚାଇଜ୍ ଏହି ମାର୍ଗଦର୍ଶିକାକୁ ଗୁରୁତର ନେବେ ବୋଲି ଆଶା କରାଯାଉଛି । ଏହାସହ ବିଭିନ୍ନ ବିଶୃଙ୍ଖଳାକୁ ରୋକିବାକୁ ପଦକ୍ଷେପ ନେବେ ବୋଲି ସାଇକିଆ ପ୍ରକାଶ କରିଛନ୍ତି ।

ଘର ଲୋକଙ୍କୁ ବାରଣ

ବିସିସିଆଇ ସଚିବ ଆହୁରି କହିଛନ୍ତି ଯେ, ଖେଳାଳିଙ୍କ ପାଖକୁ ସମସ୍ତଙ୍କୁ ଛଡାଯିବ ନାହିଁ । ଟିମ୍ ମ୍ୟାନେଜରଙ୍କ ଅନୁମତି ପରେ ହିଁ ଖେଳାଳିଙ୍କ ପାଖକୁ ଅତିଥି ଯାଇପାରିବେ । କିନ୍ତୁ ଖେଳାଳିଙ୍କ ସହ ଯାହା ସମ୍ପର୍କ ଥାଉ ନା କାହିଁକି ସମସ୍ତଙ୍କୁ ହୋଟେଲ ରୁମରେ ରହିବାକୁ ଅନୁମତି ମିଳିବନି । ଖେଳାଳିମାନେ ହୋଟେଲ୍ ରୁମରୁ ବାହାରକୁ ଯିବା ପୂର୍ବରୁ ଅନୁମତି ନେବା ଆବଶ୍ୟକ । ଏସବୁ ନିୟମ ମାନିବାକୁ ହେବ । ନହଲେ ନୋଟିସ୍ ଜାରି କରାଯାଇପାରେ । ନଚେତ୍ ସସପେନ୍ସସନ୍ କିମ୍ବା ବାସନ୍ଦ ମଧ୍ୟ କରାଯାଇପାରେ । ଖାଲି ଏତିକି ନୁହେଁ ମ୍ୟାଚ୍ ବେଳେ ଜଗଆଉଟ୍ ରେ ମାଲିକ ଖେଳାଳିଙ୍କ ସହ ଯୋଗାଯୋଗ କରିପାରିବେ ନାହିଁ ବୋଲି ସାଇକିୟା କହିଛନ୍ତି ।