ଭୁବନେଶ୍ୱର ୦୭।୧୧ : ରାଜଧାନୀରେ ଅପରାଧୀଙ୍କ ଆତଙ୍କ! ୪ ଦିନରେ ୫ଟି ହତ୍ୟାକାଣ୍ଡକୁ ନେଇ ରାଜ୍ୟର ଆଇନଶୃଙ୍ଖଳା ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ବିଜେଡି ଓ କଂଗ୍ରେସ ନେତାମାନେ ସରକାରଙ୍କ ଉପରେ ଉଠାଇଛନ୍ତି ପ୍ରଶ୍ନ। ରାଜଧାନୀରେ ଲଗାତାର ହତ୍ୟାକାଣ୍ଡ ଚିନ୍ତାଜନକ ବୋଲି କହିବା ସହ ଗୃହ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ନେତା।

ଭୁବନେଶ୍ୱରରେ ଅପରାଧର ଗୋଟିଏ ପରେ ଗୋଟିଏ ଘଟଣା। ୪ ଦିନ ମଧ୍ୟରେ ୫ ଜଣଙ୍କ ହତ୍ୟାକୁ ନେଇ ରାଜନୀତି ତେଜିଛି। ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିକୁ ନେଇ ସରକାରଙ୍କୁ ଘେରିଛନ୍ତି ବିଜେଡି ଓ କଂଗ୍ରେସ। ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି ଯେ, ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ି ଯାଇଛି। ସରକାରଙ୍କ ନିୟନ୍ତ୍ରଣରେ ଆଇନଶୃଙ୍ଖଳା ନଥିବା କଥା ବିରୋଧୀ କହିଆସୁଥିବା ବେଳେ ବିଜେପି ଏହାକୁ ରାଜନୀତି ବୋଲି କହୁଥିଲା। ଏବେ କେନ୍ଦ୍ର ସରକାର ମଧ୍ୟ ଏ ସମ୍ପର୍କରେ ଚିଠି ଲେଖିଥିବା ସେ ଦାବି କରିଛନ୍ତି। ଏପରିକି ଆମେରିକା ମଧ୍ୟ ପୂର୍ବରୁ ଏଭଳି କଥା କହିଥିବା ଉଲ୍ଲେଖ କରିଛନ୍ତି ସାରଦା।

Also Read:-Kalinga Ghati open: ଦୀର୍ଘ ୪୫ ଦିନ ପରେ ଖୋଲିଲା କଳିଙ୍ଗା ଘାଟି, ଯାତାୟାତକୁ ମିଳିଲା ଅନୁମତି

ଅନ୍ୟପଟେ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ମଧ୍ୟ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ରାଜଧାନୀରେ ୪ ଦିନରେ ୫ଟି ହତ୍ୟାକାଣ୍ଡ ଚିନ୍ତାଜନକ ବୋଲି କହିବା ସହ ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ହାତରେ ଥିବାରୁ ସେ ସରକାରଙ୍କୁ ଜବାବ ମାଗିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜ୍ୟକୁ ଚିଠି ଲେଖିଥିବା କଥା ଉଲ୍ଲେଖ କରି ଜୟଦେବ କହିଛନ୍ତି, ରାଜ୍ୟ ସରକାର ତୁରନ୍ତ ଏକ ଶ୍ୱେତପତ୍ର ଜାରି କରନ୍ତୁ। ତାଙ୍କ ମତରେ, ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଉନ୍ନତ ନହେଲେ ଶିଳ୍ପ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରର ବିକାଶ ମଧ୍ୟ ପ୍ରଭାବିତ ହୋଇପାରେ। 

ରାଜଧାନୀରେ ଲଗାତାର ହତ୍ୟାକାଣ୍ଡକୁ ନେଇ ବିରୋଧୀଙ୍କ ଏହି ଅଭିଯୋଗ ରାଜନୈତିକ ବିତର୍କକୁ ତୀବ୍ର କରିଛି। ଏହି ଘଟଣାଗୁଡ଼ିକ ଉପରେ ସରକାରଙ୍କ ପ୍ରତିକ୍ରିୟା କ’ଣ ରହୁଛି ଏବଂ ଆଇନଶୃଙ୍ଖଳା ସ୍ଥିତି ସୁଧାରିବାକୁ କି ପଦକ୍ଷେପ ନିଆଯାଉଛି, ତାହା ଉପରେ ରହିବ ନଜର।