ଭୁବନେଶ୍ୱର ୦୪।୦୨: ଏଣିକି ଆଉ ବାରମ୍ବାର ତହସିଲ ଅଫିସ ଦୌଡ଼ିବେନି ଲୋକେ। ହ୍ଵାଟସଆପରେ ମିଳିବ ରାଜସ୍ୱ ସେବା। ୨୪ ଘଣ୍ଟିଆ ସେବା ଯୋଗାଇ ଦେବ ବିଭାଗ। ହ୍ଵାଟସଆପରେ ଗ୍ରହଣ କରାଯିବ ଜମିଜମା ବାବଦରେ ସବୁ ଅଭିଯୋଗ ଓ ଆବେଦନ। ଏପିରିକି ରାଜସ୍ଵ ମନ୍ତ୍ରୀଙ୍କୁ ହ୍ଵାଟସଆପରେ ସିଧାସଳଖ ଅଭିଯୋଗ କରିପାରିବେ । ଯଦି କୌଣସି ଅଧିକାରୀଙ୍କ ବିରୋଧରେ ଦୁର୍ନୀତିର ଅଭିଯୋଗ ଆସିବ, ତେବେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ।

ଏ ଖବରବି ପଢ଼ନ୍ତୁ:- ମହାନଦୀ ଟ୍ରିବ୍ୟୁନାଲ କାର୍ଯ୍ୟକାଳ ଆଉ ୯ ମାସ ବୃଦ୍ଧି ହେଉ, କେନ୍ଦ୍ରକୁ ଚିଠି ଲେଖିଲା ରାଜ୍ୟ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୁରୁବାର ୫୫ଟି ତହସିଲ ଅଫିସକୁ ରେଜିଷ୍ଟ୍ରି ଅଫିସରେ ରୂପାନ୍ତରିତ କରାଯିବ। ଏହାସହ ହ୍ଵାଟସଆପ ସେବାକୁ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିବେ। ଏନେଇ ରାଜସ୍ଵ ମନ୍ତ୍ରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ହ୍ଵାଟସଆପ ମଧ୍ୟମରେ ରାଜସ୍ୱ ବିଭାଗ ୨୪ ଘଣ୍ଟିଆ ସେବା ଯୋଗାଇଦେବ। ଜମିଜମା ବାବଦରେ ସମସ୍ତ ଅଭିଯୋଗ ଓ ଆବେଦନ ଗ୍ରହଣ କରାଯିବ। ସେହିପରି ଜାତି ପ୍ରମାଣପତ୍ର ସହ ରାଜସ୍ୱ ସେବା ଗୁଡିକ ମିଳିବ। ଏହାସହ ସମୟ ସୀମା ମଧ୍ୟରେ ସମସ୍ୟାର ସମାଧାନ କରାଯିବ। ଏହାଦ୍ବାରା ଦୁର୍ନୀତି ବନ୍ଦ ହେବା ସହ ବାରମ୍ବାର ଲୋକଙ୍କୁ ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବ ନାହିଁ। ନିର୍ଦ୍ଧିଷ୍ଟ ସମୟ ଭିତରେ ସମସ୍ୟା ସମାଧାନ କରାନଗଲେ କିମ୍ବା ଦୁର୍ନୀତି ଅଭିଯୋଗ ଆସିଲେ ସଂପୃକ୍ତ ଅଧିକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି କାମ ନହେଲେ ସିଧାସଳଖ ରାଜସ୍ୱ ମନ୍ତ୍ରୀଙ୍କ ପାଖକୁ ମଧ୍ୟ ଅଭିଯୋଗକାରୀ ହ୍ଵାଟସଆପ୍ କରିପାରିବେ।

​​​​​​​