ଦିଲ୍ଲୀ : ଦିଲ୍ଲୀ-ଏନସିଆରରେ ମହିଳାଙ୍କ ସୁରକ୍ଷା ଏବଂ ପୁଲିସ ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟ ସୋମବାର ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ମହିଳାଙ୍କ ବିରୋଧରେ ଅପରାଧକୁ ରୋକିବା ଲାଗି କଡ଼ା କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଉପରେ କୋର୍ଟ ଜୋର୍ ଦେଇଛନ୍ତି। କୋର୍ଟ କହିଛନ୍ତି, ଦିଲ୍ଲୀ-ଏନସିଆରରେ ବିଶେଷକରି କିଛି ସମ୍ବେଦନଶୀଳ ଅଞ୍ଚଳରେ ମହିଳାମାନେ ସୁରକ୍ଷିତ ନଥିବା ଭଳି ଲାଗୁଛି। ଆମକୁ ଏଭଳି ପରିବେଶ ସୃଷ୍ଟି କରିବାକୁ ହେବ ଯେଉଁଠାରେ ମହିଳାମାନେ ରାତି ୧୦ଟାରେ ରାସ୍ତାରେ ଚାଲିବା କିମ୍ବା ସର୍ବସାଧାରଣ ପରିବହନ ବ୍ୟବସ୍ଥା ବ୍ୟବହାର କରିବା ସମୟରେ ନିଜକୁ ସୁରକ୍ଷିତ ଅନୁଭବ କରିପାରିବେ।

ଏହି ନେଇ ଜଷ୍ଟିସ ଜେବି ପାରଦିଓଲା ଏବଂ ଜଷ୍ଟିସ ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ଦିଲ୍ଲୀ ପୁଲିସକୁ କିଛି ନିର୍ଦ୍ଦେଶ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ଲୋକମାନଙ୍କ ସୁରକ୍ଷା ଲାଗି ପୁଲିସ ପାଟ୍ରୋଲି ଗୁରୁତ୍ବପୂର୍ଣ । କିନ୍ତୁ ପୁଲିସ କେବଳ ପାଟ୍ରେଙ୍ଗି କରିବା, ଅପରାଧ ହେବାପରେ ଅଭିଯୁକ୍ତଙ୍କୁ ଗିରଫ କରିବା ବଦଳରେ ଅପରାଧକୁ ରୋକିବା ଲାଗି ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିବା ଉଚିତ୍। ଅପରଧୀଙ୍କ ଭିତରେ ମୃତ୍ୟୁ ଭୟ ସୃଷ୍ଟି କରିବା ଜରୁରି। ନଚେତ୍ ବଳାତ୍କାର ଭଳି ଅପରାଧକୁ ରୋକିବା କଷ୍ଟକର। ଏଥିପାଇଁ ପୁଲିସକୁ ପ୍ରଥମେ ସେହି କଲେଜଗୁଡ଼ିକ ଉପରେ ଫୋକସ୍ କରିବାକୁ ହେବ ଯେଉଁଠାରେ ଅପରାଧୀମାନେ ଛାତ୍ରୀମାନଙ୍କୁ ନିରନ୍ତର ହଇରାଣ କରୁଛନ୍ତି। ସେହିପରି ଦିଲ୍ଲୀରେ ଥିବା ହଜାର ହଜାର ବେଆଇନ ଖାଇବା ଦୋକାନରେ ଅସମାଜିକ ବ୍ୟକ୍ତିମାନେ ଏକାଠି ହୋଇ ମଦ୍ୟପାନ କରୁଥିବାରୁ ସେଗୁଡ଼ିକ ଉପରେ ବି ଗୁରୁତ୍ୱ ଦିଅଯିବା ଆବଶ୍ୟକ। ପୁଲିସ ସ୍ଥାନୀୟ ଲୋକଙ୍କ ସହ କଥା ହୋଇ ଷ୍ଟ୍ରିଟ ଲାଇଟ୍, ଅସାମାଜିକ କାର୍ଯ୍ୟ ତଥା ଅନ୍ୟ ସମସ୍ୟା ପ୍ରସଙ୍ଗରେ ସେମାନଙ୍କର ଅଭିଯୋଗକୁ ଶୁଣିବା ଦରକାର। ଏଥିସହ ସିସଟିଭି ଫୁଟେଜର ନିୟମିତ ମନିଟରିଂ ବି ଜରୁରି।

ପୁଲିସର କଡ଼ା କାର୍ଯ୍ୟାନୁଷ୍ଠାନ ପରେ କିଛି ଲୋକ ଅନୁଚ୍ଛେଦ ୨୧ ଅର୍ଥାତ୍ ମାନବାଧିକାର ସଂପର୍କରେ ଉଲ୍ଲେଖ କରି ପ୍ରଶ୍ନ କରିପାରନ୍ତି। କିନ୍ତୁ ପୁଲିସକୁ ନିଜର କର୍ତ୍ତବ୍ୟ ପାଳନ କରିବାକୁ ହେବ। ସୁପ୍ରିମକୋର୍ଟ ଏଥିନେଇ ଦିଲ୍ଲୀ ପୁଲିସ ଏବଂ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୬ ତାରିଖରେ ହେବ।ସୂଚନା ଥାଉ କି , ସୁପ୍ରିମକୋର୍ଟ ଦିଲ୍ଲୀ-ଏନସିଆରରେ ଅଗଷ୍ଟ ୪ରୁ ସେପ୍ଟେମ୍ବର ୨୧ ମଧ୍ୟରେ ନାବାଳିକାଙ୍କୁ ବଳାତ୍କାରର ୩ଟି ଘଟଣା ସଂପର୍କରେ ସ୍ବତଃ ସଂଜ୍ଞାନ ନେଇଥିଲେ। ସେପ୍ଟେମ୍ବର ୨୮ରେ ଏ ସଂପର୍କରେ ପ୍ରଥମ ଶୁଣାଣି ହୋଇଥିଲା।