ମୁମ୍ବାଇ : ପଞ୍ଜାବୀ ସଙ୍ଗୀତ ଜଗତର ସୁପରଷ୍ଟାର ତଥା ଗ୍ଲୋବାଲ ଆଇକନ୍ ଦିଲଜିତ୍ ଦୋସାଞ୍ଜଙ୍କ କନସର୍ଟକୁ ନେଇ ପୁଣି ବଢ଼ିଲା ଚିନ୍ତା। ତାଙ୍କର ଏକ ଲାଇଭ୍ ଶୋ'କୁ ବୋମା ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକ ମିଳିଛି । ଏହି ଧମକପୂର୍ଣ୍ଣ ଇମେଲ୍ ସାମ୍ନାକୁ ଆସିବା ପରେ ପୋଲିସ ଓ ସୁରକ୍ଷା ଏଜେନ୍ସିଗୁଡ଼ିକ ସତର୍କ ହୋଇଯାଇଛନ୍ତି। ଇମେଲ୍‌ରେ କେବଳ ବୋମା ବିସ୍ଫୋରଣର ଚେତାବନୀ ଦିଆଯାଇ ନାହିଁ, ବରଂ 'ଖଲିସ୍ତାନ ଜିନ୍ଦାବାଦ' ନାରା ମଧ୍ୟ ଲେଖାଯାଇଛି।

ସୂଚନା ଅନୁସାରେ, ଆସନ୍ତା ନଭେମ୍ବର ୨୯ ତାରିଖରେ କର୍ଣ୍ଣାଟକର ବେଙ୍ଗାଲୁରୁସ୍ଥିତ ମଡାଭାରା ଅଞ୍ଚଳର NICE ରୋଡ୍ ଗ୍ରାଉଣ୍ଡରେ ଦିଲଜିତ୍ ଦୋସାଞ୍ଜଙ୍କ ଏକ ବଡ଼ କନସର୍ଟ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମକୁ ହିଁ ଟାର୍ଗେଟ୍ କରି ଧମକ ଦିଆଯାଇଛି। ଧାରୱାଡ୍ ପୋଲିସ କମିଶନରଙ୍କ ନିକଟକୁ ଏକ ଧମକପୂର୍ଣ୍ଣ ଇମେଲ୍ ଆସିଥିବା ଜଣାପଡ଼ିଛି। ଏଥିରେ କନସର୍ଟ ଚାଲିଥିବା ସମୟରେ IED ବିସ୍ଫୋରଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଇମେଲ୍‌ରେ 'ଖଲିସ୍ତାନ ଜିନ୍ଦାବାଦ' ନାରା ଲେଖାଯାଇଥିବାରୁ ଘଟଣାଟି ଅଧିକ ଗମ୍ଭୀର ହୋଇଛି। ଏହା କେବଳ ଏକ ସାଧାରଣ ଧମକ ନା ଏହା ପଛରେ ଅନ୍ୟ କୌଣସି ଉଦ୍ଦେଶ୍ୟ ରହିଛି, ସେନେଇ ତଦନ୍ତ ଆରମ୍ଭ ହୋଇଛି।

ଧମକପୂର୍ଣ୍ଣ ଇମେଲ୍‌ରେ କେବଳ ବିସ୍ଫୋରଣ କଥା ଉଲ୍ଲେଖ ନାହିଁ। ବରଂ କନସର୍ଟକୁ ଆସୁଥିବା ଲୋକଙ୍କ ପାଇଁ ଅନେକ ଚେତାବନୀ ମଧ୍ୟ ଦିଆଯାଇଛି। ଦର୍ଶକମାନେ ନିଜ ପିଲାମାନଙ୍କୁ କାର୍ଯ୍ୟକ୍ରମକୁ ସାଙ୍ଗରେ ନଆଣିବାକୁ କୁହାଯାଇଛି। ଏହା ସହିତ ଆଇଫୋନ୍‌ରୁ ଆସୁଥିବା କଲ୍‌ର ଉତ୍ତର ନଦେବା ଏବଂ ମେଟ୍ରୋରେ ଯାତ୍ରା ନକରିବାକୁ ମଧ୍ୟ ଚେତାବନୀ ଦିଆଯାଇଛି। ଏଭଳି ଅଜବ ଓ ଭୟ ସୃଷ୍ଟିକାରୀ ବାର୍ତ୍ତା ସାମ୍ନାକୁ ଆସିବା ପରେ କନସର୍ଟକୁ ଆସିବାକୁ ଥିବା ହଜାର ହଜାର ଦର୍ଶକଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ତେବେ ଏହି ଇମେଲ୍‌ରେ ଥିବା ଦାବିଗୁଡ଼ିକର ସତ୍ୟତା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଧମକପୂର୍ଣ୍ଣ ଇମେଲ୍ ମିଳିବା ପରେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି। ଇମେଲ୍ କେଉଁଠାରୁ ପଠାଯାଇଛି, ଏହା ପଛରେ କିଏ ରହିଛି ଏବଂ ଧମକ ଦେବାର ଉଦ୍ଦେଶ୍ୟ କ'ଣ, ସେସବୁ ଦିଗକୁ ନେଇ ଯାଞ୍ଚ ଚାଲିଛି। ଧମକଟି ପ୍ରକୃତରେ କେତେ ଗମ୍ଭୀର, ତାହା ଜାଣିବା ପାଇଁ ତଦନ୍ତକାରୀ ଅଧିକାରୀମାନେ ଇମେଲ୍‌ର ବିଭିନ୍ନ ଦିଗ ଯାଞ୍ଚ କରୁଛନ୍ତି। ସେହିପରି ଦିଲଜିତ୍‌ଙ୍କ କନସର୍ଟ ବାତିଲ୍ ହେବା ନେଇ ମଧ୍ୟ କୌଣସି ସୂଚନା ଆସିନାହିଁ। 

ଦିଲଜିତ୍ ଦୋସାଞ୍ଜଙ୍କ କନସର୍ଟକୁ ନେଇ ଏହା ପ୍ରଥମ ଧମକ ନୁହେଁ। ୨୦୨୬ରେ ମଧ୍ୟ ତାଙ୍କର ଲାଇଭ୍ ସୋ'କୁ ନେଇ ବିଭିନ୍ନ ସ୍ଥାନରେ ଧମକପୂର୍ଣ୍ଣ ଇମେଲ୍ ମିଳିଥିବା ଖବର ସାମ୍ନାକୁ ଆସିଛି। ଅକ୍ଟୋବର ୩୦ ତାରିଖରେ ଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡିୟମରେ ତାଙ୍କର ଏକ କନସର୍ଟ ହେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଏହା ପୂର୍ବରୁ ସୁରକ୍ଷା ଏଜେନ୍ସିଗୁଡ଼ିକୁ ଧମକ ସମ୍ପର୍କିତ ସୂଚନା ମିଳିଥିଲା। ନଭେମ୍ବରରେ ମଧ୍ୟ ଦିଲଜିତ୍‌ଙ୍କ କନସର୍ଟକୁ ନେଇ ମଧ୍ୟପ୍ରଦେଶର ଇନ୍ଦୋରରେ ହଇଚଇ ସୃଷ୍ଟି ହୋଇଥିଲା। ନଭେମ୍ବର ୧୫ରେ ଇନ୍ଦୋରରେ ତାଙ୍କର କନସର୍ଟ ପୂର୍ବରୁ ସହରର ୩ଟି ଘରୋଇ ସ୍କୁଲ ଏବଂ ମେୟର ପୁଷ୍ୟମିତ୍ର ଭାର୍ଗବଙ୍କ କାର୍ଯ୍ୟାଳୟକୁ ବୋମା ବିସ୍ଫୋରଣ ଧମକ ଥିବା ଇମେଲ୍ ମିଳିଥିଲା। ଏହାପରେ ନଭେମ୍ବର ୧୦ରେ ମଧ୍ୟପ୍ରଦେଶ ହାଇକୋର୍ଟର ଗ୍ୱାଲିୟର ବେଞ୍ଚକୁ ମଧ୍ୟ ଏକ ଧମକପୂର୍ଣ୍ଣ ଇମେଲ୍ ପଠାଯାଇଥିଲା। ସେହିଭଳଇ ନଭେମ୍ବର ୧୨ରେ ତିନୋଟି ବ୍ୟାଙ୍କ ଏବଂ ମେୟରଙ୍କ କାର୍ଯ୍ୟାଳୟକୁ ବି ଧମକପୂର୍ଣ୍ଣ ଇମେଲ୍ ମିଳିଥିଲା।

​​​​​​​Also Read- ସାରା ତେନ୍ଦୁଲକର କ'ଣ ସନ୍ନି ଦେଓଲଙ୍କ ପୁଅ ରାଜବୀରଙ୍କୁ ବାହାହେବେ ? ପ୍ରକୃତ ସତ କ'ଣ ?

ତେବେ ଏହି ସବୁ ଧମକ ମଧ୍ୟରେ ଏକ ବଡ଼ ପ୍ରଶ୍ନ ହେଉଛି, ଧମକ ପଛରେ ଥିବା ବ୍ୟକ୍ତି କିଏ, କଣ ତାର ଉଦ୍ଦେଶ୍ୟ ? ଏବେ ସମସ୍ତଙ୍କ ନଜର ପୋଲିସର ତଦନ୍ତ ଉପରେ।