ନୂଆଦିଲ୍ଲୀ: ପେପର୍ ଲିକ୍ ଯୋଗୁ NEET-UG ପରୀକ୍ଷା ବାତିଲ ଘଟଣାକୁ ନେଇ ସୁପ୍ରିମକୋର୍ଟ, ଜାତୀୟ ପରୀକ୍ଷା ଏଜେନ୍ସି (NTA) ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କୋର୍ଟ ସୋମବାର କହିଛନ୍ତି ଯେ, ଏହା ଦୁଃଖଦ ଯେ, ଏହି ସଂସ୍ଥା ପୂର୍ବ ବିବାଦରୁ କିଛି ଶିଖିନାହିଁ। ଏହା ସହ ସର୍ବୋଚ୍ଚ କୋର୍ଟ କେନ୍ଦ୍ର ସରକାର, NTA ଏବଂ CBIକୁ ନୋଟିସ୍ ଜାରି କରି ଉତ୍ତର ରଖିବାକୁ କହିଛନ୍ତି।

ବିଚାରପତି ପିଏସ୍ ନରସିଂମ୍‌ହା ଏବଂ ଆଲୋକ ଅରାଧେଙ୍କ ଖଣ୍ଡପୀଠ ଏନଟିଏକୁ ଗୁରୁବାର ସୁଦ୍ଧା ଏକ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ୨୦୨୪ ମସିହାରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଏବଂ କମିଟିର ସୁପାରିଶ ଉପରେ କି ପଦକ୍ଷେପ ନିଆଯାଇଛି ତାହା ଦର୍ଶାଇବାକୁ କୁହାଯାଇଛି ।ଶୁଣାଣି ସମୟରେ, କୋର୍ଟ ଉଲ୍ଲେଖ କରିଥିଲେ ଯେ, ଏହି ମାମଲା ପୂର୍ବରୁ ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସେତେବେଳେ ଏକ ତଦାରଖ କମିଟି ଗଠନ କରାଯାଇଥିଲା। ଯାହା ଅନେକ ସୁପାରିଶ କରିଥିଲା ​​ଏବଂ ସେଗୁଡ଼ିକୁ ଗ୍ରହଣ କରାଯାଇଥିଲା। ଏହା ସତ୍ତ୍ୱେ, ଏପରି ସ୍ଥିତିର ପୁନରାବୃତ୍ତି ଏକ ଗମ୍ଭୀର ଚିନ୍ତାର ବିଷୟ।

Also Read: ରି-ନିଟ୍ ପ୍ରସ୍ତୁତିର ସମୀକ୍ଷା କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ସୁରକ୍ଷିତ ଏବଂ ତ୍ରୁଟିମୁକ୍ତ ପରୀକ୍ଷା କରିବାକୁ ଦେଲେ ନିର୍ଦ୍ଦେଶ

ସବୁ ଆବେଦନର ଏକାଠି ଶୁଣାଣି କରିବେ କୋର୍ଟ

ସୁପ୍ରିମକୋର୍ଟ କହିଛନ୍ତି ଯେ, NEET ପେପର ଲିକ୍ ସହିତ ଜଡ଼ିତ ସବୁ ଆବେଦନର ଏକତ୍ର ଶୁଣାଣି କରାଯିବ। କୋର୍ଟ ପୂର୍ବତନ ISRO ମୁଖ୍ୟ କେ. ରାଧାକୃଷ୍ଣନଙ୍କ ନେତୃତ୍ୱାଧୀନ କମିଟିକୁ NTAର କାର୍ଯ୍ୟକାରିତାକୁ ଉନ୍ନତ କରିବା ପାଇଁ କ’ଣ ପଦକ୍ଷେପ ନିଆଯାଇଛି ତାହା ମଧ୍ୟ ପଚାରିଛନ୍ତି।

NTA ପରିବର୍ତ୍ତନ କରିବାକୁ ଦାବି

ଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ୍ ଆସୋସିଏସନ୍ସ (FAIMA) ତା’ର ଆବେଦନରେ NTAକୁ ଏକ ଦୃଢ଼ ଏବଂ ସ୍ୱାୟତ୍ତ ସଂସ୍ଥାରେ ପରିବର୍ତ୍ତନ କରିବାକୁ ଦାବି କରିଛି। FAIMA ଉଲ୍ଲେଖ କରିଛି ଯେ, ବାରମ୍ବାର ପେପର୍ ଲିକ୍ ହେବା ଦ୍ୱାରା ୨୨. ୭ ଲକ୍ଷ ଛାତ୍ରଛାତ୍ରୀଙ୍କ ମୌଳିକ ଅଧିକାର ପ୍ରଭାବିତ ହେଉଛି।

ସଂଗଠନ ପକ୍ଷରୁ ଏହା ମଧ୍ୟ ଦାବି କରାଯାଇଛି ଯେ, ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ ନହେବା ପର୍ଯ୍ୟନ୍ତ ଏକ ଉଚ୍ଚ କ୍ଷମତାସମ୍ପନ୍ନ ତଦାରଖ କମିଟି ଗଠନ କରାଯାଉ। ଭବିଷ୍ୟତରେ ପେପର ଲିକ୍ ଭଳି ଘଟଣା ରୋକିବା ପାଇଁ ଏଥିରେ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି, ସାଇବର ସୁରକ୍ଷା ବିଶେଷଜ୍ଞ ଏବଂ ଫୋରେନସିକ୍ ବୈଜ୍ଞାନିକମାନଙ୍କୁ ସାମିଲ କରାଯିବା ଉଚିତ।

Also Read:  ପରୀକ୍ଷା ତ୍ରୁଟି ପାଇଁ ନିଜେ ଦାୟିତ୍ୱ ନେଲେ ଶିକ୍ଷାମନ୍ତ୍ରୀ, ଛାତ୍ରଛାତ୍ରୀଙ୍କୁ ଦେଲେ ଆଶ୍ୱାସନା​​​​​​​

ମେ ୩ ତାରିଖରେ ହୋଇଥିଲା ପରୀକ୍ଷା

ସୂଚନାଯୋଗ୍ୟ, ମେ ୩ ତାରିଖରେ NEET-UG ପରୀକ୍ଷା ହୋଇଥିଲା। କିନ୍ତୁ ପେପର ଲିକ୍ ଅଭିଯୋଗ ପରେ ମେ ୧୨ ତାରିଖରେ ପରୀକ୍ଷା ବାତିଲ କରିଥିଲା NTA। ବର୍ତ୍ତମାନ ସିବିଆଇ ଏହି ମାମଲାର ତଦନ୍ତ କରୁଛି।