ଚଳିତବର୍ଷ ଶାରଦୀୟ ନବରାତ୍ରିର ପ୍ରାରମ୍ଭ ଅକ୍ଟୋବର ୧୧ ତାରିଖରେ ହେବ। ନବ ରାତ୍ରର ୯ ଦିନ ପର୍ଯ୍ୟନ୍ତ ମା ଦୁର୍ଗାଙ୍କ ଅଲଗା ଅଲଗା ସ୍ୱରୂପର ଆବାହନ ହେବ। ଅକ୍ଟୋବର ୧୯ରେ ମହାନବମୀ ଓ ୨୦ ତାରିଖରେ ପାଳିତ ହେବ ବିଜୟା ଦଶମୀ। ଏହି ଦିନ ମଣ୍ଡପରେ ଅନୁଷ୍ଠିତ ହେଉଥିବା ଦୁର୍ଗା ପୂଜା ବିସର୍ଜନ ମଧ୍ୟ ହେବ। ଧାର୍ମିକ ମାନ୍ୟତା ଅନୁସାରେ ମାଆ ଦୁର୍ଗାଙ୍କ ଆଗମନ ଓ ପ୍ରସ୍ଥାନରେ ବାହନର ବିଶେଷ ମହତ୍ୱ ଥାଏ। କୁହାଯାଏ ନବରାତ୍ରି କେଉଁ ଦିନ ଆରମ୍ଭ ହେବ ସେହି ଅନୁସାରେ ମାଙ୍କ ଆଗମନର ବାହନ ନିର୍ଦ୍ଧାରିତ ହେବ। ସେହିପରି ବିଜୟାଦଶମୀ କେଉଁଦିନ ପାଳିତ ହେବ ସେହି ଅନୁସାରେ ପ୍ରସ୍ଥାନ ବାହନ ନିର୍ଣ୍ଣୟ ହେବ।

କେଉଁ ବାହନରେ ଆସିବେ ମା?
ଦେବୀ ଭାଗବତ ପୂରାଣରେ ନବରାତ୍ର କାଳରେ ମା ଦୁର୍ଗାଙ୍କ ଆବାହନ ସମ୍ପର୍କିତ ଏକ ଶ୍ଲୋକ ରହିଛି। ଏହି ଶ୍ଲୋକଟି ହେଉଛି

।।ଶଶି ସୂର୍ୟେ ଗଜା ଋଢା, ଶନିଭୌମେ ତୁରଙ୍ଗମେ
ଗୁରୌ ଶୁକ୍ରେ ଚ ଦୋଲାୟାଂ, ବୁଦ୍ଧେ ନୌକା ପ୍ରକିର୍ତ୍ତିତା
।।

ଅର୍ଥାତ ଯଦି ନବରାତ୍ରର ପ୍ରାରମ୍ଭ ରବିବାର ଅଥବା ସୋମବାର ହୁଏ ତେବେ ମା ଦୁର୍ଗା ହାତୀରେ ବସି ଆସିବେ। ଶନିବାର ଅଥବା ମଙ୍ଗଳବାର ନବରାତ୍ରି ଆରମ୍ଭ ହେଲେ ତାଙ୍କ ବାହନ ଅଶ୍ୱ ହୁଏ। ଗୁରୁବାର ଓ ଶୁକ୍ରବାର ନବରାତ୍ରି ଆରମ୍ଭ ହେଲେ ମା ପାଲିଙ୍କିରେ ଆସନ୍ତି ଓ ବୁଧବାର ଆରମ୍ଭ ହେଲେ ମା ନୌକାରେ ଧରାବତରଣ କରନ୍ତି।

ଏଥର ଗଜ ବାହନରେ ଆସିବେ ମା
ଏଥର ଶାରଦୀୟ ନବରାତ୍ରି ୧୧ ଅକ୍ଟୋବର ୨୦୨୬ ରବିବାର ପାଳିତ ହେବ। ଏଣୁ ଧାର୍ମିକ ମାନ୍ୟତା ଅନୁସାରେ ମା ଦୁର୍ଗାଙ୍କ ବାହନ ହାତୀ ହେବ। ଦେବୀ ଭାଗବତ ପୂରାଣରେ ହାତୀରେ ମାତାଙ୍କ ଆଗମନକୁ ଶୁଭ ମନେ କରାଯାଏ। ମାନ୍ୟତା ରହିଛି ଯେବେ ମା ହାତୀରେ ଧରାବତରଣ କରନ୍ତି ସେ ବର୍ଷ ଉତ୍ତମ ବର୍ଷା ସାଙ୍ଗକୁ ପୃଥିବୀ ଶସ୍ୟଶ୍ୟାମଳା ହୋଇଥାଏ। କୃଷି ଉତ୍ପାଦନ ବଢିଥାଏ ତଥା ଦେଶରେ ସୁଖ ସମୃଦ୍ଧି ଧନଧାନ୍ୟ ବୃଦ୍ଧି ହୋଇଥାଏ। ଏହି ହିସାବରେ ମାଙ୍କ ଗଜ ବାହନରେ ଆଗମନକୁ ଦେଶ ଲାଗି ଶୁଭ ସଂକେତ ମନେ କରାଯାଏ। ତେବେ ଏହା ଧାର୍ମିକ ମାନ୍ୟତା ଓ ଆସ୍ଥା ଦୃଷ୍ଟିକୋଣରୁ ଦେଖା ଯିବା ଦରକାର।

କେଉଁବାହନରେ ବାହୁଡିବେ ମା?
ଚଳିତବର୍ଷ ଅକ୍ଟୋବର ୨୦ ତାରିଖରେ ବିଜୟା ଦଶମୀ ପାଳିତ ହେବ। ଏହିନ ଦିନଟି ମଙ୍ଗଳବାର ଓ ଧାର୍ମିକ ମାନ୍ୟତା ଅନୁସାରେ ବିଜୟାଦଶମୀ ଦିନ ଆଧାରରେ ଦୁର୍ଗାଙ୍କ ପ୍ରସ୍ଥାନ ବାହନ ନିର୍ଦ୍ଧାରଣ କରାଯାଏ। ଏଥର ବିଜୟା ଦଶମୀ ମଙ୍ଗଳବାର ଏଣୁ ମା ଅଶ୍ୱବାହନରେ ପ୍ରସ୍ଥାନ କରିବେ। ଏହି ବାହନକୁ ନେଇ ମାନ୍ୟତା ରହିଛି ଯେ ଏଥିରୁ ଅଶାନ୍ତି ଓ ବିଦ୍ରୋହ ଦେଖା ଦେବ। ଅର୍ଥାତ ଲୋକଙ୍କ ମନରେ ମାନସିକ ଅଶାନ୍ତି ଓ ଅସ୍ଥିରତା ବଢିବାର କୁହାଯାଉଛି। ତେବେ ଏହା ସମ୍ପୂର୍ଣ୍ଣ ଧାର୍ମିକ ମାନ୍ୟତା ଅଧାରିତ, ଏହାକୁ ନିଶ୍ଚିତ ଭବିଷ୍ୟବାଣୀ କୁହାଯାଇ ପାରିବନି।

ନବରାତ୍ରିରେ କିପରି କରିବେ ମାଙ୍କ ପୂଜା?
ମା ଦୁର୍ଗାଙ୍କ ପୂଜା ଲାଗି ଶ୍ରଦ୍ଧା ଓ ସାମର୍ଥ୍ୟାନୁସାର ଶରଳ ଉପାୟରେ ଉପାସନା କରାଯାଇ ପାରେ। ନବରାତ୍ରି ପ୍ରଥମ ଦିନରୁ ନବମୀ ପର୍ଯ୍ୟନ୍ତ ପ୍ରତ୍ୟୁଷରେ ସ୍ନାନ କରିବା ପରେ ଦୁର୍ଗାଙ୍କ ପୂଜା କରନ୍ତୁ। ଏଥିରେ ଦୁର୍ଗା ଚାଳିଶା ପାଠ କରନ୍ତୁ ଓ ମାଙ୍କ ଆରତୀ କରନ୍ତୁ। ଏଥିରେ ଯଦି ସମ୍ଭବ ହୁଏ ତେବେ ସନ୍ଧ୍ୟାରେ ମଧ୍ୟ ମାତାଙ୍କ ଆରତୀ କରନ୍ତୁ। ସମସ୍ତଙ୍କ ଲାଗି ଦୁର୍ଗା ସପ୍ତସତୀ ପାଠ କରିବା ସମ୍ଭବ ନୁହେଁ ଏଣୁ ନିଜ ସୁବିଧା ଅନୁସାରେ ଦୁର୍ଗା ଚାଳିଶା ପାଠ ମଧ୍ୟ କରି ପାରିବେ।

ମା ଦୁର୍ଗାଙ୍କୁ ଲାଗି କରନ୍ତୁ ଡାଳିମ୍ବ
ଧାର୍ମିକ ମାନ୍ୟତା ଅନୁସାରେ ଦୁର୍ଗାଙ୍କୁ ଫଳ ଅର୍ପିତ କରିବାର ମଧ୍ୟ ବିଧାନ ରହିଛି। ନବରାତ୍ରିରେ ମାଙ୍କୁ ନିଜ ଶ୍ରଦ୍ଧା ଅନୁସାରେ ଫଳ ଅର୍ପିତ କରିପାରନ୍ତି। କିଛି ମାନ୍ୟତା ଅନୁସାରେ ମାଙ୍କୁ ଡାଳିମ୍ବ ଅର୍ପିତ କରିବା ଶୁଭ ମନେ କରାଯାଏ। ଏଣୁ ନବରାତ୍ର କାଳରେ ମାଙ୍କ ଚରଣରେ ପ୍ରତିଦିନ ଡାଳିମ୍ବ ଅର୍ପିତ କରିପାରନ୍ତି। ଅଷ୍ଟମୀ ଓ ନବମୀରେ କନ୍ୟା ପୂଜନ କରି ଝିଅମାନଙ୍କୁ ପ୍ରସାଦ ରୂପେ ଫଳରେ ଡାଳିମ୍ବ ମଧ୍ୟ ଦେଇ ପାରନ୍ତି।