ଭୁବନେଶ୍ୱର : ଭାରତୀୟ ରୋଷେଇଘରେ ସାଧାରଣତଃ ମସଲାର ବ୍ୟବହାର ଅତ୍ୟଧିକ ହୋଇଥାଏ । ଆଉ ମସଲା କଥା କହିଲେ ସେଥିରେ ଅନେକ ମସଲା ନାଁ ଆସିଥାଏ । ସେଥିମଧ୍ୟରୁ ଗୋଲମରିଚର ବ୍ୟବହାର ପ୍ରାୟ ସମସ୍ତେ ଅଧିକ କରିଥାନ୍ତି । କାରଣ ସକାଳୁ ପ୍ରାୟ ଲୋକେ ଏହାକୁ ଚା'ରେ ମିଶାଇ ପିଇଥାନ୍ତି । ଏଥିସହ ଖାଦ୍ୟର ସ୍ୱାଦ ବଢ଼ାଇବା ସହ ଏହା ବିଭିନ୍ନ ମସଲାରେ ମଧ୍ୟ ବ୍ୟବହୃତ ହୁଏ। କିନ୍ତୁ ଗୋଲମରିଚ କିଣିବା ପାଇଁ ବାରମ୍ବାର ବଜାର ଯିବାକୁ ପଡିଥାଏ ଆଉ ଏହାର ମୂଲ୍ୟ ମଧ୍ୟ ଅଧିକ ଥାଏ । ତେବେ ଏସବୁ ବଦଳରେ ଆପଣ ଚାହିଁଲେ ଘରେ ଏହାର ଗଛ ଲଗାଇ ସେଥିରୁ ବ୍ୟବହାର ମଧ୍ୟ କରିପାରିବେ । ଏଥିପାଇଁ ବଡ଼ ବଗିଚାର ଆବଶ୍ୟକତା ନାହିଁ। ଉପଯୁକ୍ତ କୁଣ୍ଡ, ମାଟି ଓ ଠିକ ଯତ୍ନ ଦ୍ୱାରା ଘରର ବାଲକୋନି କିମ୍ବା ଛାତରେ ଗୋଲମରିଚ ଗଛ ଲଗାଇପାରିବେ ।

ଯେହେତୁ ଗୋଲମରିଚ ଏକ ଲତା ଜାତୀୟ ଉଦ୍ଭିଦ ସେଥିପାଇଁ ଏହା ଭଲ ଭାବରେ ବଢ଼ିବା ପାଇଁ ଉଷ୍ଣ ଓ ଆର୍ଦ୍ର ପରିବେଶ ଦରକାର । ତେଣୁ ଗଛ ଲଗାଇବା ପୂର୍ବରୁ କିଛି ଜରୁରୀ କଥା ଜାଣି ରଖନ୍ତୁ। ଗୋଲମରିଚ ଗଛ ଲଗାଇବା ପାଇଁ ଅତି କମ୍ରେ ୧୨ରୁ ୧୮ ଇଞ୍ଚ ଗଭୀର ମାଟିକୁଣ୍ଡ ବାଛିପାରିବେ। କୁଣ୍ଡ ତଳେ ପାଣି ନିଷ୍କାସନ ପାଇଁ ଛିଦ୍ର ରହିବା ଆବଶ୍ୟକ। ଏହାଦ୍ୱାରା ଅତିରିକ୍ତ ପାଣି ବାହାରିଯିବ ଏବଂ ଗଛର ଚେର ପଚିବାର ଆଶଙ୍କା କମିବ। ଗୋଲମରିଚ ଗଛ ପାଇଁ ଜୈବିକ ଖତଯୁକ୍ତ, ଉର୍ବର ଓ ଜଳ ନିଷ୍କାସନ ହୋଇପାରୁଥିବା ମାଟି ଆବଶ୍ୟକ। ଏଥିପାଇଁ ବଗିଚା ମାଟି ସହିତ କମ୍ପୋଷ୍ଟ ଖତ ଓ ନଡ଼ିଆ କତାର ଗୁଣ୍ଡ ବା କୋକୋପିଟ୍ ମିଶାଇପାରିବେ। ମାଟିରେ ପାଣି ଜମି ରହିବା ଉଚିତ୍ ନୁହେଁ। ଗଛ ଲଗାଇବା ପାଇଁ ନର୍ସରୀରୁ ସୁସ୍ଥ ଚାରା ଆଣିବା । ଗୋଲମରିଚ ଲତାର କଲମରୁ ନୂଆ ଗଛ ସୃଷ୍ଟି କରାଯାଇପାରେ। ସାଧାରଣ ଶୁଖିଲା ଗୋଲମରିଚ ଦାନାରୁ ଗଛ ହୋଇନପାରେ , କାରଣ ବଜାରରେ ମିଳୁଥିବା ଅନେକ ଦାନା ଶୁଖାଯାଇଥାଏ ଏବଂ ସେଗୁଡ଼ିକ ଅଙ୍କୁରିତ ହେବାର କ୍ଷମତା କମିଯାଇଥାଏ ।

ସେପରି ଗୋଲମରିଚ ଗଛ ପାଇଁ ଉଜ୍ଜ୍ୱଳ ଆଲୋକ ଓ ଆଂଶିକ ଛାଇ ଥିବା ସ୍ଥାନ ଭଲ। ଅତ୍ୟଧିକ ଖରା ଓ ଗରମ ପବନରୁ ଗଛକୁ ସୁରକ୍ଷା ଦିଅନ୍ତୁ। ଏହା ଏକ ଲତା ହୋଇଥିବାରୁ ଗଛ ପାଖରେ ଖୁଣ୍ଟି କିମ୍ବା ଅନ୍ୟ କୌଣସି ଆଧାର ଦେଲେ ଏହା ଉପରକୁ ମାଡ଼ିପାରିବ। ମାଟିକୁ ହାଲୁକା ଆର୍ଦ୍ର ରଖନ୍ତୁ। ମାଟିର ଉପର ଭାଗ ଶୁଖିବା ଆରମ୍ଭ କଲେ ପାଣି ଦିଅନ୍ତୁ। କିନ୍ତୁ ଅଧିକ ପାଣି ଦେବାରୁ ଦୂରେଇ ରୁହନ୍ତୁ। ଗମଲାରେ ପାଣି ଜମି ରହିଲେ ଗଛର ଚେର ନଷ୍ଟ ହୋଇପାରେ। ଗଛର ପତ୍ର ହଳଦିଆ ହେବା, ବୃଦ୍ଧି ଧୀର ହେବା କିମ୍ବା ପତ୍ରରେ ଦାଗ ଦେଖାଦେଲେ ପାଣି, ଆଲୋକ ଓ ମାଟିର ସ୍ଥିତି ଯାଞ୍ଚ କରନ୍ତୁ। ଗୋଲମରିଚର ଫଳ ପ୍ରଥମେ ସବୁଜ ରଙ୍ଗର ରହିଥାଏ। ପରେ ପାଚିବା ସହ ରଙ୍ଗ ବଦଳିଥାଏ। ଠିକ୍ ସମୟରେ ଫଳ ତୋଳି ଶୁଖାଇଲେ ଘରେ ମଧ୍ୟ ଗୋଲମରିଚ ପ୍ରସ୍ତୁତ କରିପାରିବେ।