ଭୁବନେଶ୍ୱର : ଭାରତରେ ଏବେ ହାର୍ଟ ଆଟାକ୍ ଘଟଣା ଯେତେ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏହାକୁ ନେଇ ଚିନ୍ତା ମଧ୍ୟ ସେତେ ବଢ଼ୁଛି। କେବଳ ବୟସ୍କ ନୁହନ୍ତି, ଅନେକ ଯୁବକ ମଧ୍ୟ ହୃଦରୋଗର ଶିକାର ହେଉଛନ୍ତି। ଉଚ୍ଚ ରକ୍ତଚାପ, କୋଲେଷ୍ଟେରଲ୍ ଏବଂ ଚାପପୂର୍ଣ୍ଣ ଜୀବନଶୈଳୀ ହୃଦସ୍ୱାସ୍ଥ୍ୟ ପାଇଁ ପ୍ରମୁଖ ବିପଦ ଭାବରେ ଉଭା ହୋଇଛି । ତେବେ ହାର୍ଟ ଆଟାକର ପ୍ରାରମ୍ଭିକ ଲକ୍ଷଣ କ’ଣ? କେଉଁ ଅଭ୍ୟାସ ହାର୍ଟକୁ ବିପଦରେ ପକାଏ ଏବଂ ଏଥିରୁ ରକ୍ଷା ପାଇବା ପାଇଁ କ’ଣ କରିବା ଉଚିତ ଏବଂ ଏଥିପ୍ରତି ବିଶେଷଜ୍ଞ କ'ଣ ପରାମର୍ଶ ଦିଅନ୍ତି ଆସନ୍ତୁ ଜାଣିବା।

ଆଜିକାଲି ଦେଶରେ ହାର୍ଟ ଆଟାକର ସମସ୍ୟା ବହୁଳଭାବେ ଦେଖାଯାଉଛି । ଏହାକୁ ନେଇ ବିଶେଷଜ୍ଞମାନେ ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଯଦି ଲୋକମାନେ ନିଜର ଖାଦ୍ୟପେୟ ଏବଂ ଜୀବନଶୈଳୀ ପ୍ରତି ଧ୍ୟାନ ନ ଦିଅନ୍ତି, ତେବେ ଆଗାମୀ ବର୍ଷଗୁଡ଼ିକରେ ହୃଦ୍ଘାତର ଘଟଣା ଆହୁରି ବୃଦ୍ଧି ପାଇପାରେ। ଏହି ବିପଦରୁ ରକ୍ଷା ପାଇବା ପାଇଁ ଶରୀର ଦେଉଥିବା ସତର୍କ ସୂଚନାଗୁଡ଼ିକୁ ଆଗୁଆ ଚିହ୍ନିବା ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଅତ୍ୟନ୍ତ ଜରୁରୀ। ତେବେ କିଛି ବିଶେଷଜ୍ଞଙ୍କ ମତରେ ହାର୍ଟ ଆଟାକର ୪ଟି ପ୍ରମୁଖ ବିପଦ କାରଣ ସାଜିଥାଏ ଯାହା ପ୍ରତି ଲୋକଙ୍କୁ ଅଧିକ ସଚଟାନ ରହିବାକୁ ପଡ଼ିବ । ସେଗୁଡିକ ହେଉଛି :-

୧) ଉଚ୍ଚ ରକ୍ତଚାପ : ରକ୍ତଚାପ ଦୀର୍ଘ ସମୟ ଧରି ଅଧିକ ରହିଲେ ହୃଦୟ ଉପରେ ଚାପ ବଢ଼େ ଏବଂ ରକ୍ତନଳୀ କ୍ଷତିଗ୍ରସ୍ତ ହୋଇପାରେ। ଏହା ହୃଦରୋଗର ବିପଦ ବଢ଼ାଇଥାଏ। ଉଚ୍ଚ ରକ୍ତଚାପର ଅନେକ ସମୟରେ ସ୍ପଷ୍ଟ ଲକ୍ଷଣ ନଥାଏ। ତେଣୁ ନିୟମିତ ଭାବେ ରକ୍ତଚାପ ଯାଞ୍ଚ କରିବା ଜରୁରୀ।

୨) ଅତ୍ୟଧିକ କୋଲେଷ୍ଟେରଲ୍ : ରକ୍ତରେ ଖରାପ କୋଲେଷ୍ଟେରଲ୍ ଅଧିକ ହେଲେ ଧମନୀରେ ଚର୍ବିଜାତ ପଦାର୍ଥ ଜମିପାରେ। ଏହା ରକ୍ତ ପ୍ରବାହକୁ କମାଇଦିଏ। ଧମନୀରେ ରକ୍ତ ଜମାଟ ବାନ୍ଧି ରକ୍ତ ପ୍ରବାହ ହଠାତ୍ ବନ୍ଦ ହେଲେ ହାର୍ଟ ଆଟାକ୍ ହୋଇପାରେ। ତେଣୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ କୋଲେଷ୍ଟେରଲ୍ ପରୀକ୍ଷା କରାଇବା ଉଚିତ।

୩) ଧୂମପାନ ଓ ତମାଖୁ ସେବନ : ସିଗାରେଟ୍ ଓ ଅନ୍ୟ ତମାଖୁଯୁକ୍ତ ପଦାର୍ଥ ରକ୍ତନଳୀକୁ କ୍ଷତି ପହଞ୍ଚାଇବା ସହ ହୃଦ୍ଘାତର ବିପଦ ବଢ଼ାଇଥାଏ। ପରୋକ୍ଷ ଧୂମପାନ ମଧ୍ୟ କ୍ଷତିକାରକ। ହୃଦୟକୁ ସୁସ୍ଥ ରଖିବା ପାଇଁ ଧୂମପାନ ଓ ତମାଖୁ ସେବନ ସମ୍ପୂର୍ଣ୍ଣ ଛାଡ଼ିବା ଉଚିତ।

୪) ମଧୁମେହ ଓ ଅସ୍ୱାସ୍ଥ୍ୟକର ଜୀବନଶୈଳୀ : ମଧୁମେହ ହୃଦରୋଗର ବିପଦ ବଢ଼ାଇପାରେ। ଏହା ସହିତ ଶାରୀରିକ ପରିଶ୍ରମର ଅଭାବ, ଅଧିକ ଓଜନ, ଅସନ୍ତୁଳିତ ଖାଦ୍ୟ ଓ ଦୀର୍ଘକାଳୀନ ମାନସିକ ଚାପ ମଧ୍ୟ ହୃଦୟର ସ୍ୱାସ୍ଥ୍ୟକୁ ପ୍ରଭାବିତ କରେ। ନିୟମିତ ବ୍ୟାୟାମ, ସନ୍ତୁଳିତ ଖାଦ୍ୟ ଓ ପର୍ଯ୍ୟାପ୍ତ ନିଦ୍ରା ଏହି ବିପଦକୁ କମାଇବାରେ ସାହାଯ୍ୟ କରିପାରେ।

କିପରି ଚିହ୍ନିବେ ଲକ୍ଷଣ ?

ହାର୍ଟ ଆଟାକ୍ର ଲକ୍ଷଣ ସମସ୍ତଙ୍କ ଠାରେ ସମାନ ହୋଇନଥାଏ। କେତେକ ପ୍ରମୁଖ ଲକ୍ଷଣ ହେଉଛି:- ଛାତିର ମଝିଭାଗରେ ଚାପ, ଯନ୍ତ୍ରଣା, ଭାରି ଲାଗିବା କିମ୍ବା ଅସ୍ୱସ୍ତି। ହାତ, କାନ୍ଧ, ପିଠି, ବେକ, ଜହ୍ନ କିମ୍ବା ପେଟର ଉପର ଭାଗକୁ ଯନ୍ତ୍ରଣା ବ୍ୟାପିବା। ନିଶ୍ୱାସ ନେବାରେ କଷ୍ଟ। ଥଣ୍ଡା ଝାଳ, ବାନ୍ତି ଲାଗିବା, ମୁଣ୍ଡ ବୁଲାଇବା କିମ୍ବା ହଠାତ୍ ଦୁର୍ବଳ ଲାଗିବା। ମହିଳା, ବୟସ୍କ ଓ ମଧୁମେହ ରୋଗୀଙ୍କଠାରେ କେତେକ ସମୟରେ ଛାତିରେ ତୀବ୍ର ଯନ୍ତ୍ରଣା ନଥାଇ ମଧ୍ୟ ହାର୍ଟ ଆଟାକ୍ ହୋଇପାରେ। ତେବେ ଏଥିପ୍ରତି ସବୁବେଳେ ଧ୍ୟାନ ଦେବା ଆବଶ୍ୟକ ଏବଂ ହାର୍ଟ ଆଟାକର ସନ୍ଦେହ ହେଲେ ତୁରନ୍ତ ଜରୁରୀ ଚିକିତ୍ସା ସେବାର ସହାୟତା ନିଅନ୍ତୁ। ହାର୍ଟ ଆଟାକ୍ର ବିପଦକୁ ସମ୍ପୂର୍ଣ୍ଣ ଦୂର କରିହେବ ନାହିଁ, କିନ୍ତୁ ସୁସ୍ଥ ଜୀବନଶୈଳୀ, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ମାଧ୍ୟମରେ ଏହାର ବିପଦକୁ କମାଇହେବ।