ଭୁବନେଶ୍ବର ୧୩।୧୦: ଆଉ ବସ୍ତି ନୁହେଁ ଏଣିକି ଆପାର୍ଟମେଣ୍ଟରେ ରହିବେ ବସ୍ତିବାସିନ୍ଦା । ଘର ସହ ମିଳିବ ଆପାର୍ଟମେଣ୍ଟର ସୁବିଧା । ଫ୍ଲାଟ୍, କମ୍ୟୁନିଟି ହଲ୍, ଖେଳପଡ଼ିଆ, ମାର୍କେଟ କମ୍ପ୍ଲେକ୍ସ ଏସବୁ ସୁଭିଧା ପାଇବେ ବସ୍ତିବାସିନ୍ଦା । ଆଉ ଏମିତି ଏକ ଆପାର୍ଟମେଣ୍ଟ ବା ନିବାସକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ମୁଖ୍ୟମନ୍ତ୍ରୀ କେବଳ ବସ୍ତିବାସିନ୍ଦାଙ୍କ ଆବାସ ପ୍ରକଳ୍ପ ଉଦଘାଟନ କରିଛନ୍ତି ତା ନୁହେଁ, ପିଲାଙ୍କ ପାଇଁ ଖେଳପଡ଼ିଆ ମଧ୍ୟ ଉଦ୍‌ଘାଟନ କରିଛନ୍ତି । ଘାଟିକିଆରେ ଥିବା ବଜରଙ୍ଗୀ ଖେଳ ପଡିଆ ଉଦ୍‌ଘାଟନ କରିବା ସହ ନିଜେ ଫୁଟବଲ୍‌କୁ କିକ୍‌ ମାରି ଖେଳାଳିଙ୍କୁ ଉତ୍ସାହିତ କରିଛନ୍ତି । ରାଜଧାନୀ ଭୁବନେଶ୍ୱରରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଏବଂ ଯୁବପିଢ଼ିଙ୍କୁ ଖେଳକୁଦ ପାଇଁ ଉନ୍ନତ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ବିଭିନ୍ନ ଅଞ୍ଚଳ ଓ ବିଦ୍ୟାଳୟ ପରିସରରେ ମୋଟ୍ ୧୨ଟି ଖେଳ ପଡ଼ିଆରକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି ।

ଏହି ଖେଳପଡ଼ିଆ ଗୁଡ଼ିକ ସ୍ଥାନୀୟ ଅଞ୍ଚଳର ଶିଶୁ, କିଶୋର, ଯୁବକ କ୍ରୀଡ଼ାପ୍ରେମୀଙ୍କୁ ଖେଳକୁଦ, ଶାରୀରିକ ବ୍ୟାୟାମ ଏବଂ କ୍ରୀଡ଼ାଭ୍ୟାସ ପାଇଁ ସୁଯୋଗ ଯୋଗାଇଦେବ । ଏହାଦ୍ୱାରା ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି ସହ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହନ ମିଳିପାରିବ ବୋଲି ମେୟର କହିଛନ୍ତି । ୨୧ଟି ଖେଳ ପଡିଆର ଲକ୍ଷ୍ୟ ରଖାଯାଇଥିବା ବେଳେ ୧୭ଟି ପାଇଁ ସ୍ଥାନ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୧୨ଟି ଉଦ୍‌ଘାଟିତ ହୋଇଛି । ଖେଳପଡ଼ିଆ ଉଦ୍‌ଘାଟନ ହୋଇଥିବାରୁ ଖୁସି ପ୍ରକାଶ କରିଛନ୍ତି ଖେଳାଳି । ଏହି ଖେଳପଡ଼ିଆ ସ୍ଥନୀୟ ବାସିନ୍ଦାଙ୍କ ପାଇଁ ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି ସ୍ଥାନୀୟ ପିଲାମାନେ ।

ଘାଟିକିଆ ସ୍ଥିତ ନୀଳକଣ୍ଠେଶ୍ୱର ଆବାସ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ୫.୨୭ ଏକର ଜମିରେ ଏହି ଆବାସ ନିର୍ମାଣ କରାଯାଇଛି। ଏହି ପ୍ରକଳ୍ପରେ ପ୍ରାୟ ୬୬.୫ କୋଟି ଟଙ୍କା ବ୍ୟୟ ହୋଇଛି । ଏଠାରେ ମୋଟ୍ ୯୨୮ଟି ଆବାସିକ ଗୃହ ସହ ୩୨ଟି ଦୋକାନ ନିର୍ମାଣ କରାଯାଇଛି ।

ତେବେ କେବଳ ଘଟିକିଆରେ ନୁହେଁ ଗାଡ଼କଣରେ ‘ମୁକ୍ତେଶ୍ୱର ରେସିଡେନ୍ସି’ ସୁଲଭ ଆବାସିକ ପ୍ରକଳ୍ପକୁ ମଧ୍ୟ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୋଟ ୬.୩୬ ଏକର ଜମିରେ ନିର୍ମିତ ୬୮୦ଟି ଘର ନିର୍ମାଣ କରାଯାଇଛି । ଘର ଭିତର ଓ ବାହାରେ ବିଜୁଳି, ପାଣି, ଶୌଚାଳୟ ସବୁ ସୁବିଧା ଅଛି। ପ୍ରତି ବ୍ଲକ୍ ଚାରି ମହଲାର (G+4) ରହିଛି । ବସ୍ତିବାସିନ୍ଦଙ୍କ ମଧ୍ୟ ସମ୍ମାନର ସହ ବଞ୍ଚିବାର ଅଧିକାର ରହିଛି । ଏଥିପାଇଁ ତାଙ୍କ ସୁସ୍ଥ ପରିବେଶ ଦେବା ପାଇଁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବସ୍ତିବାସିନ୍ଦଙ୍କ ସ୍ଥାୟୀ ଘର ପ୍ରଦାନ କରୁଛନ୍ତି । ତେଣୁ ରାଜ୍ୟକୁ ବସ୍ତି ମୁକ୍ତ କରିବାର ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ଥିବା ସେ କହିଛନ୍ତି । ଏହି ଆବାସ ଉଦ୍‌ଘାଟନ ଅବସରେ ହିତାଧିକାରୀଙ୍କ ଚାବି ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଘର ପାଇ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି ହିତାଧିକାରୀ ।

ଏହି ପ୍ରକଳ୍ପ ଛଡା ମୁଖ୍ୟମନ୍ତ୍ରୀ ସୁଲଭ ମୂଲ୍ୟରେ ଘର ଭଡା ଯୋଗାଇ ଦେବା ପାଇଁ ମଧ୍ୟ ଭଡ଼ା ଓ ଟ୍ରାଞ୍ଜିଟ୍ ଘର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପରେ ମୋଟ୍ ୩୦୦ ଘର ନିର୍ମାଣ କରାଯାଇ ଭଡ଼ାରେ ପ୍ରଦାନ କରିବାର ଲକ୍ଷ୍ୟ ରହିଛି । ଆସନ୍ତା ୬ ମାସ ମଧ୍ୟରେ ଏହି ପ୍ରକଳ୍ପ ଶେଷ ହେବାର ଲକ୍ଷ୍ୟ ରଖାଯାଇଛି ।