ଭୁବନେଶ୍ବର ୧୩।୧୦: ଭୁବନେଶ୍ୱରରେ ଗୃହହୀନଙ୍କୁ ଆବାସ ଯୋଗାଣ ଓ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ । ଘାଟିକିଆ ଠାରେ 'ନୀଳକଣ୍ଠେଶ୍ୱର ନିବାସ' ଏବଂ ଗାଡ଼କଣ ଠାରେ 'ମୁକ୍ତେଶ୍ୱର ରେସିଡେନ୍ସି' ନାମକ ଦୁଇଟି ସୁଲଭ ଆବାସିକ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗାଡ଼କଣରେ ୬ ଏକରରୁ ଅଧିକ ଜମି ଉପରେ ପ୍ରାୟ ୯୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ୬୮୦ଟି ଆବାସ ଗୃହ ଏବଂ ଘାଟିକିଆରେ ୫ ଏକରରୁ ଅଧିକ ଜମି ଉପରେ ୬୬ କୋଟି ୪୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୯୨୮ଟି ଆବାସ, ଅର୍ଥାତ୍ ମୋଟ ୧,୬୦୮ଟି ସୁଲଭ ଆବାସ ସହ ଭୁବନେଶ୍ଵର ଓ ଏହାର ଆଖପାଖ ଅଞ୍ଚଳରେ ୧୨ଟି ଅତ୍ୟାଧୁନିକ ଖେଳ ପଡିଆ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏଥିସହିତ ବୁଦ୍ଧ ବିହାର, ନୀଳମାଧବ, ସୁବୁଦ୍ଧିପୁର ଓ ଶାନ୍ତିପଲ୍ଲୀ ଠାରେ ମଧ୍ୟ ୯୬୨ଟି ପରିବାରକୁ ଗୃହପ୍ରବେଶ କରାଯାଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଖାଦ୍ୟ ପରେ ଜଣେ ବ୍ୟକ୍ତିଙ୍କ ପାଇଁ ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ଆବଶ୍ୟକତା ହେଉଛି ‘ମୁଣ୍ଡ ଉପରେ ଛାତ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବଳ ଘର ନିର୍ମାଣ ନୁହେଁ, ବରଂ ଶୌଚାଳୟ, ପାଇପ୍ ଯୋଗେ ପିଇବା ପାଣି, ବିଦ୍ୟୁତ୍ ଏବଂ ରନ୍ଧନ ଗ୍ୟାସ ଯୋଗାଇ ଦେଇ ଗରିବ ପରିବାରଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ କରୁଛନ୍ତି । ଓଡ଼ିଶା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ଅଧୀନରେ ୨ ଲକ୍ଷରୁ ଅଧିକ ଘର ମଞ୍ଜୁର ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ମାଧ୍ୟମରେ ପ୍ରାୟ ପାଞ୍ଚ ଲକ୍ଷ ଘର ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

Also Read:- ସ୍କୁଲ୍ ରୂପାନ୍ତରଣ ଦାବିରେ ୯ କି.ମି. ପଦଯାତ୍ରା, ଆନ୍ଦୋଳନ ଚେତାବନୀ

ସହରରେ ପ୍ରବାସୀ ଶ୍ରମିକ ଓ ନିମ୍ନ ଆୟବର୍ଗର ପରିବାରଙ୍କୁ ସୁଲଭ ଭଡ଼ାରେ ଘର ଯୋଗାଇ ଦେବା ପାଇଁ “PMAY -Urban BANDHU” ଯୋଜନା ଆରମ୍ଭ କରାଯାଇଥିବା କଥା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଗାଡ଼କଣ ଠାରେ ସୁଲଭ ଭଡ଼ା ଆବାସ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହାଦ୍ୱାରା ଶ୍ରମିକ ମାନେ ନିଜ କାର୍ଯ୍ୟସ୍ଥଳୀ ନିକଟରେ କମ୍ ଭଡ଼ାରେ ନିଶ୍ଚିନ୍ତରେ ରହିପାରିବେ । ଏହାଛଡ଼ା ହିତାଧିକାରୀମାନଙ୍କୁ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ମାଧ୍ୟମରେ ଗୃହ ଋଣ ପ୍ରଦାନ କରାଯାଇଛି, ଯାହାଦ୍ୱାରା ସେମାନେ ନିଜର ଅଂଶ ଟଙ୍କା ପରିଶୋଧ କରି ନିଜ ଘରର ମାଲିକ ହୋଇପାରିବେ ।

Watch Video: