ନୂଆଦିଲ୍ଲୀ: ନିର୍ବାଚନ ଆୟୋଗରେ ସିଇସି ଜ୍ଞାନେଶ କୁମାରଙ୍କ ଦ୍ଵାରା ଅନ୍ୟ ଦୁଇ ଆୟୁକ୍ତଙ୍କୁ ଅଣଦେଖା କରି ଏକତରଫା ନିଷ୍ପତ୍ତି ନେଇଥିବା ଅଭିଯୋଗ ସଂପର୍କିତ ମାମଲା ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ଯେ, ନୂତନ ଭୋଟର ତାଲିକା ପଞ୍ଜିକରଣ ପାଇଁ ବ୍ୟବହୃତ ହେଉଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନକୁ ସେ ମଞ୍ଜୁରୀ ଦେଇ ନାହାନ୍ତି।

ସୁପ୍ରିମକୋର୍ଟ ଏହି ସ୍ପଷ୍ଟୀକରଣ ସେହି ସମୟରେ ଦେଇଛନ୍ତି, ଯେତେବେଳେ ଏସଆଇଆର ପ୍ରକ୍ରିୟା ଆଧାରରେ ଫର୍ମ ୬ରେ କରାଯାଇଥିବା ପରିବର୍ତ୍ତନକୁ ନେଇ ପ୍ରଶ୍ନ ଉଠିଛି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ଫର୍ମ-୬ରେ ଏମିତି କୌଣସି ପରିବର୍ତ୍ତନକୁ ଅଦାଲତ ମଞ୍ଜୁରୀ ଦେଇ ନାହାନ୍ତି। ସିଜେଆଇ କହିଛନ୍ତି, କୋର୍ଟ ଏହା ଜାଣିବା ପାଇଁ ରେକର୍ଡ ଯାଞ୍ଚ କରୁଛନ୍ତି ଯେ, ଫର୍ମ ୬ରେ ପରିବର୍ତ୍ତନ କିଏ କରିଛି।

Also Read: ଜ୍ଞାନେଶ କୁମାରଙ୍କୁ ତୁରନ୍ତ ନିଲମ୍ବିତ କରିବାକୁ ମନା କଲେ SC, ECIକୁ ନୋଟିସ୍ ଜାରି କରି ମାଗିଲେ ଜବାବ

ଫର୍ମ-୬ରେ କଣ ପରିବର୍ତ୍ତନ ହୋଇଛି ?

ଫର୍ମ-୬ର ବିବାଦ ନିର୍ବାଚନ ଆୟୋଗଙ୍କ ଏକ ଅତିରିକ୍ତ ଏସଆଇଆର ଘୋଷଣା ସହ ଜଡ଼ିତ ରହିଛି। ଏଥିରେ ନୂତନ ଭୋଟରଙ୍କୁ ପୁରୁଣା ଭୋଟର ତାଲିକା ସହ ଲିଙ୍କ କରିବାର ଆବଶ୍ୟକତା ରହିଛି। ଇସିଆଇଙ୍କ କହିବା କଥା ଏହା କେଳ ଏକ ସଂଲଗ୍ନ ଥିଲା। କିନ୍ତୁ ଏହାକୁ ବିରୋଧ କରୁଥିବା ଲୋକଙ୍କ କହିବା କଥା ନିର୍ଦ୍ଧାରିତ ଆଇନଗତ ପ୍ରକ୍ରିୟା ବିନା ଏହାକୁ ଫର୍ମରେ ଯୋଡ଼ା ଯାଇଥିଲା।

ମାମଲାର ଶୁଣାଣି ସମୟରେ ବରିଷ୍ଠ ଆଇନଜୀବୀ ମେନକା ଗୁରୁସ୍ଵାମୀ କହିଛନ୍ତି, ନିର୍ବାଚନ ଆୟୋଗଙ୍କ କାର୍ଯ୍ୟଶୈଳୀକୁ ନେଇ ଚ୍ୟାଲେଞ୍ଜ କରାଯାଇଛି। ସେ କହିଛନ୍ତି ଆମେ ଏହି ଦେଶରେ ନିରପେକ୍ଷ ଏବଂ ସ୍ଵତନ୍ତ୍ର ନିର୍ବାଚନ ମାହୋଲରେ ବଡ଼ ହୋଇଛୁ। ମାତ୍ର ଆଜି ଦେଶରେ ସେମିତି ସ୍ଥିତି ନାହିଁ।

Also Read:ବାଗେଶ୍ୱର ଧାମ ଭକ୍ତଙ୍କୁ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ସତର୍କବାଣୀ, କହିଲେ -‘ମୋ ଆଶ୍ରମକୁ ମହିଳାମାନେ ଏକୁଟିଆ ଆସନ୍ତୁ ନାହିଁ'

ଏହା ଉପରେ ସିଜେଆଇ କହିଛନ୍ତି, ଆମେ ମଧ୍ୟ ଆମର ହୋମଓ୍ଵର୍କ କରିଥାଉ। ଆମେ ବି ମାମଲା ପଚାରି ବୁଝିଛୁ। ମେନକା ଗୁରୁସ୍ଵାମୀ ପୁଣି କହିଛନ୍ତି, ନିକଟରେ ଦିଲ୍ଲୀ ସହ ଜଡ଼ିତ ଏକ ମାମଲାର ଉଦାହରଣ ଦେବାକୁ ଚାହୁଁଛି। ଦିଲ୍ଲୀରେ ଏସଆଇଆର ପ୍ରକ୍ରିୟା କେମିତି ଲାଗୁ କରାଗଲା।ଫର୍ମ ୬ରେ ନୂଆ ସର୍ତ୍ତ ଯୋଡ଼ାଗଲା ଏବଂ ପରିବର୍ତ୍ତିତ ଫର୍ମ ଜାରି କରାଗଲା। ଏହା ଉପରେ ସିଜେଆଇ କହିଛନ୍ତି କୃପା କରି ଧ୍ୟାନ ଦିଅନ୍ତୁ ଆମେ କୌଣସି ପ୍ରକାରର ପରିବର୍ତ୍ତିତ ଫର୍ମ ୬କୁ ମଞ୍ଜୁରୀ ଦେଇନୁ।

ସୁପ୍ରିମକୋର୍ଟ ବର୍ତ୍ତମାନ ନିର୍ବାଚନ ଆୟୋଗକୁ ରେକର୍ଡ ଉପସ୍ଥାପନ କରିବାକୁ କହିଛନ୍ତି, ଯଦ୍ଵାରା ଏହା ଦେଖା ଯାଇ ପାରିବ ଯେ, ନିଷ୍ପତ୍ତି କେବଳ ଜ୍ଞାନେଶ କୁମାର ନେଇଥିଲେ ନା ଇସିଆଇ ସର୍ବସମ୍ମତିକ୍ରମେ ନେଇଥିଲା।