ଭୁବନେଶ୍ଵର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଭିକେ ପାଣ୍ଡିଆନଙ୍କ ବିଦେଶ ଗସ୍ତ ନେଇ ସରକାରୀ ତଦନ୍ତ ନିର୍ଦ୍ଦେଶ ପରେ ଉଷ୍ଣ ହୋଇ ଉଠିଛି ରାଜ୍ୟ ରାଜନୀତି। ଶାସକ ବିଜେପି ଓ ମୁଖ୍ୟ ବିରୋଧୀ ବିଜେଡି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇ ଯାଇଛି। ଗତକାଲି ବିଜେଡିର ମୁଖ୍ୟପାତ୍ର ଲେନିନ ମହାନ୍ତି ଜବାବ ରଖିବା ପରେ ଆଜି ରାଜ୍ୟ ବିଜେପି ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ଡରିବା ଉଚିତ୍ ନୁହେଁ 

ମନମୋହନ ସାମଲ ପ୍ରଶ୍ନ କରିଛନ୍ତି ଯେ, ତଦନ୍ତକୁ ବିଜେଡିର ଏତେ ଡର କାହିଁକି ? ଅଭିଯୋଗ ଆସିଲା, ତଦନ୍ତ ହେବ। ତଦନ୍ତ ହେବାରେ ଅସୁବିଧା କଣ ? ଆମେ ବିରୋଧୀ ଦଳରେ ୧୫ ବର୍ଷ ରହିଲୁ, ସରକାର ଆମ ବିରୋଧରେ ତଦନ୍ତ କଲେ ଆମେ କଣ ପାଇଁ ଭୟଭୀତ ହେବୁ ? ତଦନ୍ତ ହେବାରେ କଣ ଅସୁବିଧା ଅଛି ? ମୋର ଯଦି ସ୍ୱଚ୍ଛତା ଥିବ ତେବେ ହଜାରେ ତଦନ୍ତ ହେଲେ ବି କଣ ଅସୁବିଧା ହେବ ? ନବୀନ ପଟ୍ଟନାୟକ ବିରୋଧରେ ଆଲୋଚନା ଚର୍ଚ୍ଚା ହେଲେ ଅସୁବିଧା କଣ ? ଡର ରହିବା ଉଚିତ ନୁହେଁ।

Also Read: ନବୀନଙ୍କ ବିଦେଶ ଗସ୍ତ ତଦନ୍ତକୁ ବିଜେଡିର ସ୍ଵାଗତ, ମୋହନ ମାଝୀ ଓ ମନ୍ତ୍ରୀଙ୍କ ବିଦେଶ ଗସ୍ତର ବି ହେଉ ତଦନ୍ତ: ଲେନିନ ମହାନ୍ତି

ସେ କହିଛନ୍ତି, ତଦନ୍ତ କଥା ଶୁଣିଲେ ତାଙ୍କ ମନରେ ଭୟ ସୃଷ୍ଟି ହେଇଯାଉଛି। କୋଲ ବ୍ଲକ ପ୍ରସଙ୍ଗ ହେଉ ବା ସିବିଆଇ ପ୍ରସଙ୍ଗ ହେଉ,ଆମେ ସାମ୍ନା କରିବା ଦରକାର। ସାର୍ବଜନୀନ ଜୀବନରେ ଅଛୁ ସବୁ ପ୍ରସଙ୍ଗ ସମ୍ମୁଖୀନ ହେବା  ଦରକାର। ଯଦି ସ୍ଵଚ୍ଛ ଅଛ ତେବେ ତଦନ୍ତର ସମ୍ମୁଖୀନ ହେବ। ସବୁ ସ୍ପଷ୍ଟ ହୋଇଯିବ। ଯଦି ଦୁଇ ବର୍ଷ ପରେ ପ୍ରାଇମାଫେସୀ ମିଳୁଛି ତେବେ ତଦନ୍ତ ହେବାରେ ଅସୁବିଧା କଣ?ସେମାନେ ତାଙ୍କ ପକ୍ଷ ରଖିପାରିବେ  ବୋଲି  ବିରୋଧୀ ଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।

କ'ଣ ରହିଛି ଅଭିଯୋଗ ?

ସୂଚନାଯୋଗ୍ୟ,  ୨୦୨୨-୨୩ ଓ ୨୦୨୩-୨୪ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅବସରପ୍ରାପ୍ତ IAS ଅଧିକାରୀ ଭି.କେ. ପାଣ୍ଡିଆନ୍ ଏବଂ IPS ରବିକାନ୍ତଙ୍କ ବିଦେଶ ଗସ୍ତ ସମ୍ପର୍କରେ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଏହାର ତଦନ୍ତ କରିବେ ।

ସୂଚନାଯୋଗ୍ୟ ଯେ, ବିଭିନ୍ନ ସାମାଜିକ କର୍ମୀଙ୍କ ଅଭିଯୋଗ ଅନୁଯାୟୀ ପୂର୍ବତନ ମୁଖ୍ୟମନ୍ତ୍ରୀ, ଅବସରପ୍ରାପ୍ତ IAS ଅଧିକାରୀ ଏବଂ IPS ରବିକାନ୍ତ ୨୦୨୨-୨୩ ଏବଂ ୨୦୨୩-୨୪ରେ ଅନେକ ଥର ବିଦେଶ ଗସ୍ତ କରିଛନ୍ତି । ବିଭିନ୍ନ RTI ପ୍ରଶ୍ନରୁ ମିଳିଥିବା ତଥ୍ୟ ଅନୁଯାୟୀ ସେମାନଙ୍କ ଜାପାନ ଓ ଇଟାଲୀ ଗସ୍ତର ଖର୍ଚ୍ଚ ବିବରଣୀ ସନ୍ଦେହ ଜନକ, ଅସ୍ୱଚ୍ଛ ଓ ଅସମ୍ପୂର୍ଣ୍ଣ ବୋଲି ସାମାଜିକ କର୍ମୀମାନେ ଅଭିଯୋଗ କରିଛନ୍ତି ।