ନୂଆଦିଲ୍ଲୀ ୦୫।୧୦; ବାଗେଶ୍ୱର ଧାମକୁ ଆସୁଥିବା ଭକ୍ତଙ୍କ ପାଇଁ ବଡ଼ ଅପିଲ୍। ବିଶେଷକରି ମହିଳା ଓ ଯୁବତୀମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ବାଗେଶ୍ୱର ଧାମର ପୀଠାଧୀଶ୍ୱର ଧୀରେନ୍ଦ୍ର ଶାସ୍ତ୍ରୀ। ଧାମକୁ ଏକୁଟିଆ ନଆସିବା ସହ, ଅଜଣା ବ୍ୟକ୍ତି କିମ୍ବା ସେବାଦାରଙ୍କୁ ଆଖି ବନ୍ଦ କରି ଭରସା ନକରିବାକୁ ସେ ଭକ୍ତମାନଙ୍କୁ କହିଛନ୍ତି।

ମଞ୍ଚରୁ ଭକ୍ତମାନଙ୍କୁ ସତର୍କ କରିଛନ୍ତି ବାବା ବାଗେଶ୍ୱର। ଧୀରେନ୍ଦ୍ର ଶାସ୍ତ୍ରୀଙ୍କ କହିବା ଅନୁସାରେ, ଧାମ ଓ ମନ୍ଦିର ପରିସରରେ ବ୍ୟବସ୍ଥା ଏବଂ ସୁରକ୍ଷା ପାଇଁ ଧାମ ପକ୍ଷରୁ ପଦକ୍ଷେପ ନିଆଯାଉଛି। କିନ୍ତୁ ଧାମକୁ ଘେରି ରହିଥିବା ବିଶାଳ ଅଞ୍ଚଳର ପ୍ରତ୍ୟେକ ସ୍ଥାନରେ ନଜର ରଖିବା ସମ୍ଭବ ନୁହେଁ। ତେଣୁ ଭକ୍ତମାନେ ମଧ୍ୟ ନିଜ ସୁରକ୍ଷା ପ୍ରତି ସଚେତନ ରହିବା ଜରୁରୀ ବୋଲି ସେ ଅପିଲ୍ କରିଛନ୍ତି।

ବିଶେଷକରି ମହିଳା ଓ ଯୁବତୀମାନଙ୍କୁ ଏକୁଟିଆ ଧାମକୁ ନଆସିବାକୁ ସେ ପରାମର୍ଶ ଦେଇଛନ୍ତି। ଯଦି କୌଣସି କାରଣରୁ ଏକୁଟିଆ ଆସିବାକୁ ପଡ଼େ, ତେବେ ଅଜଣା ଲୋକଙ୍କ ସହ କେଉଁଠି ବି ନଯିବାକୁ ସେ ସ୍ପଷ୍ଟ ଭାବେ କହିଛନ୍ତି। ମନ୍ଦିର ଓ ପ୍ରାଙ୍ଗଣ ବ୍ୟତୀତ ଅନ୍ୟ ସ୍ଥାନକୁ ଅଜଣା ବ୍ୟକ୍ତିଙ୍କ ସହ ଯିବା ଠାରୁ ଦୂରେଇ ରହିବା ସହ, ଧାମରେ ଅଧିକ ଦିନ ରହିବା ନେଇ ମଧ୍ୟ ସେ ସତର୍କ କରିଛନ୍ତି। ବାଗେଶ୍ୱର ଧାମ ଯେପରି କୌଣସି ବିବାଦ କିମ୍ବା ଘଟଣାକୁ ନେଇ ବଦନାମ ନହୁଏ, ସେଥିପାଇଁ ସମସ୍ତେ ସଚେତନ ଓ ସତର୍କ ରହିବାକୁ ସେ ଆହ୍ୱାନ ଦେଇଛନ୍ତି।

ମହିଳା ଓ ଝିଅମାନଙ୍କ ସୁରକ୍ଷାକୁ ନେଇ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି। ନିଜେ ସଚେତନ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ସତର୍କ କରିବାକୁ ସେ ଭକ୍ତମାନଙ୍କୁ ଅପିଲ୍ କରିଛନ୍ତି। ଏପରିକି ତାଙ୍କର ଏହି ସନ୍ଦେଶକୁ ମୋବାଇଲରେ ରେକର୍ଡ କରି ଅନ୍ୟ ଭକ୍ତଙ୍କ ପାଖରେ ପହଞ୍ଚାଇବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି।