ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। କଦଳିଗଡ଼ ପଟରୁ ଏକ କଣ୍ଟେନରରେ ବେଆଇନ ଭାବେ ଚାଲାଣ ହେଉଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ସ୍ପେସାଲ୍ ପୋଲିସ ଟିମ୍। ସୁବଳୟା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଛକ ନିକଟରେ ଚଢ଼ାଉ କରାଯାଇ ଏହି ସଫଳତା ହାସଲ କରାଯାଇଛି।

ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (SP)ଙ୍କ ନିର୍ଦ୍ଦେଶକ୍ରମେ ବହୁ ପୂର୍ବରୁ ଓପନ୍ ରହିଥିବା ଏହି ଅପରେସନ୍‌ରେ ସ୍ପେସାଲ୍ ଟିମ୍ ଚଢ଼ାଉ କରିଥିଲା। ପୋଲିସ ଗାଡ଼ିକୁ ଦେଖି କଣ୍ଟେନର୍ ଡ୍ରାଇଭର୍ ଘଟଣାସ୍ଥଳରୁ ଗାଡ଼ି ଛାଡ଼ି ଫେରାର୍ ହୋଇଯାଇଥିଲା। ଗାଡ଼ିଟିକୁ ଯାଞ୍ଚ କରିବା ସମୟରେ ପୋଲିସ କଣ୍ଟେନର୍ ଭିତରେ ପ୍ରସ୍ତୁତ କରାଯାଇଥିବା ଏକ ବିଶେଷ ସିକ୍ରେଟ୍ ଚେମ୍ବର୍ (ଗୁପ୍ତ କୋଠରୀ) ଆବିଷ୍କାର କରିଥିଲା।

Also Read: ଟ୍ରେଲର ଚୋରିର ପର୍ଦ୍ଦାଫାଶ କଲା ଫୋନ୍ ପେ’ ଟ୍ରାଞ୍ଜାକ୍ସନ୍ ଓ CCTV, ୪ ଅଭିଯୁକ୍ତ ଗିରଫ

ସିକ୍ରେଟ୍ ଚେମ୍ବର୍‌କୁ କାଟି ପୋଲିସ ସେଥିରୁ ଗଞ୍ଜେଇ ପ୍ୟାକେଟଗୁଡ଼ିକୁ ବାହାର କରିଥିଲା। ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଅଜିତ୍ ମିର୍ଦ୍ଧାଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା, ଯାହାର ମୋଟ ଓଜନ ପ୍ରାୟ ୧୨ କୁଇଣ୍ଟାଲ୍ ୫୦ କିଲୋଗ୍ରାମ୍ ହୋଇଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୨ କୋଟି ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି।

ସୁବର୍ଣ୍ଣପୁର ଏସପିଙ୍କ ସମ୍ମୁଖରେ ହିଁ ସମସ୍ତ ଯାଞ୍ଚ ଓ ଆଇନଗତ ପ୍ରକ୍ରିୟା ଜାରି ରହିଛି। ଏହି ଗଞ୍ଜେଇ କେଉଁଠାରୁ ଅଣାଯାଉଥିଲା ଏବଂ କେଉଁ ବଡ଼ ଆନ୍ତଃରାଜ୍ୟ ରାକେଟ୍‌କୁ ଚାଲାଣ ହେଉଥିଲା, ସେ ନେଇ ପୋଲିସ ତଦନ୍ତ ଜୋରଦାର କରିଛି।