ନୂଆଦିଲ୍ଲୀ: କେରଳର ତ୍ରିଶୂର ଜିଲ୍ଲାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦ୍ରୁତଗତିରେ ଆସୁଥିବା ଏକ କାର୍‌ ନିୟନ୍ତ୍ରଣ ହରାଇ ମୋଟର ସାଇକେଲକୁ ଧକ୍କା ଦେବା ଫଳରେ ଗୋଟିଏ ପରିବାରର ତିନି ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ତିନି ବର୍ଷର ଶିଶୁ ପୁତ୍ର ମଧ୍ୟ ସାମିଲ ଅଛି। ମୃତକମାନେ ହେଉଛନ୍ତି, ମୁନୀର (୩୫), ତାଙ୍କ ସ୍ତ୍ରୀ ସଫନା (୨୫) ଏବଂ ପୁଅ ୟାମିଲ୍ ଆଇବକ୍।

ଶନିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଏକ ବିବାହ ଉତ୍ସବରୁ ଘରକୁ ଫେରୁଥିବା ସମୟରେ ଫୋନ୍ କଲ୍ ଆସିବାରୁ  ମୁନୀର ରାସ୍ତା କଡ଼ରେ ବାଇକ୍ ଅଟକାଇ କଥା ହେଉଥିଲେ। ସେହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ନିୟନ୍ତ୍ରଣ ହରାଇ ସେମାନଙ୍କୁ ଧକ୍କା ଦେଇଥିଲା।

ଧକ୍କା ଏତେ ଜୋରଦାର ଥିଲା ଯେ ତିନିଜଣଯାକ ପ୍ରାୟ ୫୦ ମିଟର ଦୂରକୁ ଫିଙ୍ଗି ହୋଇ ପଡ଼ିଥିଲେ। ଗୁରୁତର ଅବସ୍ଥାରେ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲେ ବି ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। କୁନ୍ନମକୁଲମର ଏକ ବାରରୁ ଫେରୁଥିବା କାର୍ ଚାଳକ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। କାରରେ ଥିବା ଅନ୍ୟ ଦୁଇଜଣ ଯାତ୍ରୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ଏବଂ ଫେରାର ଡ୍ରାଇଭରକୁ ଧରିବାକୁ ତଦନ୍ତ ଜାରି ରଖିଛି।

ସୂଚନାଯୋଗ୍ୟ, ଏହାର ଦିନକ ପୂର୍ବରୁ ତ୍ରିଶୂରର ୬୬ ନମ୍ବର ଜାତୀୟ ରାଜପଥରେ ଛିଡ଼ା ହୋଇଥିବା ଏକ ଟ୍ରକକୁ କାର୍ ଧକ୍କା ଦେବା ଫଳରେ ତାମିଲନାଡୁର ୮ ଜଣ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା।