ଲକ୍ଷ୍ନୌ: ପ୍ରଶାସନିକ ସେବାରୁ ଅବସର ନେଇ ନୂଆ ଦଳ ଗଠନ କରିଥିବା ପୂର୍ବତନ ଆଇଏଏସ୍‌ ଅଧିକାରୀ ଦିବ୍ୟା ମିତ୍ତଲ ବଡ଼ ଘୋଷଣା କରିଛନ୍ତି । ତାଙ୍କ ନୂଆ ଦଳ ‘ଜନ ନୀତି ଭାରତ’ ଉତ୍ତର ପ୍ରଦେଶର ଆଗାମୀ ବିଧାନସଭା ନିର୍ବାଚନରେ ସମସ୍ତ ୪୦୩ ଆସନରେ ପ୍ରାର୍ଥୀ ଦେବ । ରାଜନୀତିରେ ପାଦ ଥାପିବା ପରେ ସେ ରବିବାର ମୀର୍ଜାପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ ନିଷାଦରାଜଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଏହି ବଡ଼ ଘୋଷଣା କରିଛନ୍ତି।   

ସବୁ ଆସନରେ ପ୍ରାର୍ଥୀ ଦେବେ ଦିବ୍ୟା
ଏହି ଅବସରରେ ଦିବ୍ୟା ମିତ୍ତଲ ମୀର୍ଜାପୁରର ଚୁନାର ବିଧାନସଭା ଆସନରୁ ମଧ୍ୟ ପ୍ରାର୍ଥୀ ଦେବା କଥା କହିଛନ୍ତି। ସେ ସାଧାରଣ ଲୋକଙ୍କ ସହଯୋଗ ଲୋଡ଼ିଛନ୍ତି । ଦିବ୍ୟା କହିଛନ୍ତି, ଯେଉଁଠାରେ ଦୃଢ଼ ଦାବିଦାର ମିଳିବେ, ଆମେ ରାଜ୍ୟର ସମସ୍ତ ୪୦୩ଟି ଆସନରେ ପ୍ରାର୍ଥୀ ଛିଡ଼ା କରାଇବୁ। ତାଙ୍କର ଏହି ଭାଷଣର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେବାରୁ ଭିଆରଏସ୍‌ ନେବାର ମାତ୍ର କିଛି ସପ୍ତାହ ମଧ୍ୟରେ ସେ ଏହି ନୂଆ ଦଳର ଶୁଭାରମ୍ଭ କରିଛନ୍ତି। 

ଉଚ୍ଚଶିକ୍ଷିତା ଦିବ୍ୟାଙ୍କ ‘ଜନ ନୀତି’
ନୀତି ନିର୍ଦ୍ଧାରଣରେ ସାଧାରଣ ଲୋକଙ୍କୁ ପ୍ରାଧାନ୍ୟ ଦେବା ଏବଂ କେବଳ ନିର୍ବାଚନ ସମୟରେ ନୁହେଁ, ବରଂ ପୂରା ୫ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସରକାରଙ୍କୁ ଜନସାଧାରଣଙ୍କ ପାଖରେ ଉତ୍ତରଦାୟୀ କରି ରଖିବା ହିଁ ତାଙ୍କ ଦଳର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ଦିବ୍ୟା ମିତ୍ତଲ । ସେ କହିଛନ୍ତି, ‘ସାଧାରଣ ରାଜନୀତି ଆପଣଙ୍କ ଉପରେ ଶାସନ କରେ । କିନ୍ତୁ 'ଜନ ନୀତି'ରେ ଆପଣ ନିଜେ ଶାସକ ହେବେ।’ IIT ଦିଲ୍ଲୀ ଓ IIM ବେଙ୍ଗାଲୁରୁରୁ ଶିକ୍ଷାଗ୍ରହଣ କରିଛନ୍ତି ଦିବ୍ୟା । ଏହା ପୂର୍ବରୁ ୱାଲ୍ ଷ୍ଟ୍ରିଟ୍‌ରେ ଟ୍ରେଡର୍ ଭାବରେ ସେ କାର୍ଯ୍ୟ କରିଥିଲେ ।

ଘରକୁ ଘର ବୁଲି ପ୍ରଚାର
ଦିବ୍ୟା ମିତ୍ତଲ, ୧୩ ବର୍ଷର IAS କ୍ୟାରିୟର ଛାଡ଼ି ରାଜନୀତିରେ ପ୍ରବେଶ କରିଛନ୍ତି। ରାଜନୀତିକୁ ଆସିବା ପାଇଁ ସେ କରିଥିବା ଆହ୍ୱାନକୁ ଲୋକମାନେ ବ୍ୟାପକ ସମର୍ଥନ ଜଣାଇଛନ୍ତି। ତାଙ୍କ ମତରେ, ରାଜନୈତିକ ଦଳର ଅଭାବ ନାହିଁ । କିନ୍ତୁ ସାଧାରଣ ଲୋକଙ୍କ ସ୍ୱର ଶୁଣାଯାଉ ନାହିଁ, ଏହା ହିଁ ଅସଲ ସମସ୍ୟା। ରାଜନୀତିରେ ବିଧାୟକମାନେ ପ୍ରାୟତଃ ସରକାର ଓ ଜନସାଧାରଣଙ୍କ ମଧ୍ୟରେ କେବଳ ମାଧ୍ୟମ ଭାବରେ କାମ କରୁଛନ୍ତି । କିନ୍ତୁ 'ଜନ ନୀତି ଭାରତ'ର ପ୍ରତିନିଧିମାନଙ୍କୁ ସିଧାସଳଖ ଲୋକଙ୍କ ନିକଟରେ ଜବାବଦେହୀ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି । ବଡ଼ ବଡ଼ ବିଜ୍ଞାପନ ପାଇଁ ତାଙ୍କ ଦଳ ପାଖରେ ଅର୍ଥ ନଥିବାରୁ, ସେମାନେ ଘରକୁ ଘର ବୁଲି ପ୍ରଚାର କରିବେ ବୋଲି ଘୋଷଣା କରିଛନ୍ତି ଦିବ୍ୟା ମିତ୍ତଲ ।