ଏର୍ଣ୍ଣାକୁଲମ: ଯଦି ବାଡ଼ ଫସଲ ଖାଏ ତେବେ କହିବା କାହାକୁ। ଏମିତି ଏକ ଘଟଣା ଘଟିଛି କେରଳର ଏର୍ଣ୍ଣାକୁଲମ ଜିଲ୍ଲାରେ। ରବିବାର ଭୋର ସକାଳେ ଏକ କାର ଏକ ବାଇକୁ ଧକ୍କା ଦେଇଛି। ଏଥିରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ଆପଣମାନେ ଭାବୁଥିବେ ଏହା ତ ସାଧାରଣ ଦୁର୍ଘଟଣା, ଏଥିରେ ଭାବିବାର କଣ ଅଛି। ହେଲେ ଏହା ସାଧାରଣ ଦୁର୍ଘଟଣା ନୁହେଁ। କାର ଚଳାଉଥିଲା ଜଣେ ନାବାଳକ। ଆଉ ସେ ନାବାଳକ ହେଉଛନ୍ତି ଜଣେ ଜଜଙ୍କ ପୁଅ। ଏଠାରେ ଜଜ ନିଜର ଭୁଲ ବୁଝିବା ପରିବର୍ତ୍ତେ ମୃତକଙ୍କ ପରିବାର ଲୋକଙ୍କୁ ଦେଖାଉଛନ୍ତି ନାଲି ଆଖି।

ପୋଲିସ ଅନୁସାରେ ଅଭିଯୁକ୍ତ ନାବା ନିଜ ବାପା-ମାଆଙ୍କୁ ନ ଜଣାଇ ମର୍ଜିଡିସଜ ବେଞ୍ଜ କାର ଧରି ଏକାକୀ ବାହାରି ଯାଇଥିଲା। ନାବାଳକ ଭଲ୍ଲାରପଦମରୁ କଲାମାସେରୀ ଅଭିମୁଖେ ଯାଉଥିଲା। ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ବାଇକକୁ କାରଟି ଧକ୍କା ଦେଇଥିଲା। ଏଥିରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ୧୭ ବର୍ଷୀୟ ଅଭିଯୁକ୍ତ ଅତିରିକ୍ତ ଜିଲ୍ଲା ନ୍ୟାୟାଧୀଶଙ୍କ ପୁଅ। ଏହି ଦୁର୍ଘଟଣା ଚେରାନଲ୍ଲୁରରେ କଣ୍ଟେନଟର ରୋଡ୍ ମାରାପରମ୍ବୁ ସ୍ଥିତ ଫୋର୍ଡ ଶୋ ରୁମ ନିକଟରେ ରାତି ପ୍ରାୟ ୨ଟା ୨୦ରେ ଘଟିଛି। ମୃତକ ହେଉଛନ୍ତି ଜୟବାଲାକୃଷ୍ଣନ। ସେ ଚେରାନଲ୍ଲୁର ସାଉଥ ଚିତ୍ତୁର ସ୍ଥିତ ନେଲ୍ଲୁବେଲିଲଲର ବାସିନ୍ଦା। ସେ ନିଜର ଦୋକାନ ବନ୍ଦ କରି ଘରୁ ଫେରୁଥିଲେ।

Also Read: ବଜାରକୁ ଗଲେ ଲାଗୁଛି ଡର, ଚାଉଳଠୁ ପରିବା ସବୁ ମହଙ୍ଗା; କେମିତି ଚଳିବ ପରିବାର ?

ଚେରାନଲ୍ଲୁର ପୋଲିସ ଭାରତୀୟ ନ୍ୟାୟ ସଂହିତା(BNS)ର ଧାରା ୧୦୬(୧) ଏବଂ ୨୮୧ ଆଧାରରେ ମାମଲା ରୁଜୁ କରାଯାଇଛି। ବେପରୁଆ ହୋଇ ଗାଡ଼ି ଚଳାଇ ଦୁର୍ଘଟଣା କରିବା ଏବଂ ମୃତ୍ୟୁ ଘଟିବା ପରି ଏହି ଧାରା ଜଡ଼ିତ। ନାବାଳକକୁ ନିଜ ହେପାଜତକୁ ନେଇ ପଚରା ଉଚୁରା କରାଯାଉଥିବା ପୋଲିସ କହିଛି। ତାଙ୍କ ବାପା ତ୍ରିଶୂର ଜିଲ୍ଲାରେ ଅତିରିକ୍ତ ଜିଲ୍ଲା ନ୍ୟାୟଧୀଶ।

ଜଜଙ୍କ ଉପରେ ସଙ୍ଗୀନ ଅଭିଯୋଗ

ମୃତକ ପରିବାର ଅଭିଯୋଗ କରିଛନ୍ତି ଯେ, ଜଜ ମହୋଦୟ ନିଜ ପୁଅକୁ ବଞ୍ଚାଇବା ପାଇଁ ମାମଲାରେ ହସ୍ତକ୍ଷେପ କରିଛନ୍ତି। ନାବାଳକ ପାକରେ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ନ ଥିଲା। ପୋଲିସ ଗାଡ଼ି କାହା ନାଁରେ ଅଛି କାଗଜପତ୍ର ଯାଞ୍ଚ କରୁଛି। ଏହା ସହିତ ନାବାଳକ ଦୁର୍ଘଟଣା ସମୟରେ ମଦ୍ୟପାନ କରି ଥିଲେ କି ନାହିଁ ତାର ତଦନ୍ତ କରାଯାଉଥିବା ପୋଲିସ କହିଛି।

Also Read: କଂଗ୍ରେସର ଚିନ୍ତା ବଢାଇଲା ଷ୍ଟିଙ୍ଗ ଅପରେସନ, ପୁଣି ଥରେ ମୁହାଁମୁହିଁ ଶିବକୁମାର ଓ ସିଦ୍ଧରମୈୟା

ରାଗିଗଲେ ଜଜ

ମୃତକଙ୍କ ସଂପର୍କୀୟ ଜୟାଲକ୍ଷ୍ମୀ ଅଭିଯାଗ କରିଛନ୍ତି ଯେ, ଦୁର୍ଘଟଣା ପରେ ଜଜ ଥାନାରେ ପହଞ୍ଚିଥିଲେ। ଘଟଣା ନେଇ ମୃତକଙ୍କ ପରିବାର ଲୋକ ଅଭିଭାବକ ହିସାବରେ ତାଙ୍କର ଦାୟିତ୍ଵ ନେଇ ପ୍ରଶ୍ନ କରିଥିଲେ। ଏହା ଶୁଣି ଜଜ ମହୋଦୟ କ୍ଷୁବ୍ଧ ହୋଇ ପଡ଼ିଥିଲେ। ପୁଣି ମୃତକଙ୍କ ପରିବାର ଲୋକେ ପଚାରିଥିଲେ, ଆଇନ କହୁଛି ନାବାଳକଙ୍କୁ କାର ଚଳାଇବାକୁ ଦେବା ଅନୁଚିତ୍। ତଥାପି ଆପଣଙ୍କ ପୁଅ କେମିତି କାର ଚଳାଉଥିଲେ। ଏହା ଶୁଣି ମୋତେ ଆଇନର ପାଠ ପଢାନ୍ତୁ ନାହିଁ ବୋଲି କହି ତାଗିଦ କରିଥିଲେ ଜଜ ମହାଶୟ।

ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ପୋଲିସ ମଧ୍ୟ ପ୍ରମାଣ ନଷ୍ଟ ପାଇଁ ତୁରନ୍ତ କାରକୁ ଦୁର୍ଘଟଣାସ୍ଥଳରୁ ହଟାଇ ଦେଇଛି। ଆମେ ଏହି ମାମଲା ଲଢିବୁ କାରଣ ଏହି ଘଟଣା ନ୍ୟାୟିକ ପଦରେ ବସିଥିବା ଜଣେ ବ୍ୟକ୍ତିଙ୍କ ଅହଙ୍କାରକୁ ଦର୍ଶାଉଛି ବୋଲି ଜୟାଲକ୍ଷ୍ମୀ କହିଛନ୍ତି।