ଭୁବନେଶ୍ୱର : ହାଟକୁ ଗଲେ ପରିବା ଓ ଖାଦ୍ୟ ସାମଗ୍ରୀ ଦର ପଚାରିବାକୁ ଡର ଲାଗୁଛି। ଯେଉଁ ଜିନିଷ କଥା ପଚାରିଲେ ସବୁ ଆକାଶ ଛୁଆଁ ଦର । ହାତ ମାରି ହେଉନି। ଚାଉଳ, ଡାଲି, ଚିନି, ତେଲ, ପିଆଜଠୁ କାକୁଡ଼ି ପର୍ଯ୍ୟନ୍ତ ହାଣ୍ଡିଶାଳର ପ୍ରତ୍ୟେକଟି ନିତ୍ୟାବଶ୍ୟକ ଖାଦ୍ୟସାମଗ୍ରୀର ଦର ବେଲଗାମ୍। ହାଣ୍ଡିଶାଳରେ ହାହାକାର ପଡ଼ିଲାଣି। ବିଶେଷକରି ଚାଉଳ ମୂଲ୍ୟ ଅଧିକ କନ୍ଦାଇଲାଣି। ଏପଟେ ଚାଷୀଙ୍କୁ ଲାଭ ଦେବା ପାଇଁ ସରକାର ସିନା ଉଚ୍ଚା ମୂଲ୍ୟରେ ଧାନ କିଣିଲେ କିନ୍ତୁ ସେପଟେ ଏହାର ସୁଯୋଗ ନେଇ ବ୍ୟବସାୟୀମାନେ ଚାଉଳ ମୂଲ୍ୟ ବୃଦ୍ଧି କରି ଖାଉଟିଙ୍କ ପକେଟ୍ ଖାଲି କରି ଦେଉଛନ୍ତି। ଦରବୃଦ୍ଧିକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଭାଳେଣି ପଡ଼ିଗଲାଣି। ଆଗକୁ ଏ ସ୍ଥିତି ଆହୁରି ସାଂଘାତିକ ହେବ ବୋଲି ଆଶଙ୍କା କରାଯାଉଛି।

କିଛି ଦିନ ଧରି ରାଜ୍ୟରେ ଖାଇବା ତେଲ, ଡାଲି, ଚିନି, ପିଆଜ ଏବଂ ଅନ୍ୟ ପନିପରିବାର ଦର ହୁହୁ ହୋଇ ବଢ଼ିଚାଲିଥିଲା। ଡାଲିର ହୋଲସେଲ୍ ମୂଲ୍ୟ ଯେଉଁଠି ମାସକ ପୂର୍ବରୁ ୧୦୦ରୁ ୧୧୦ ଟଙ୍କା କେଜି ପ୍ରତି ଥିଲା ଏବେ ସେହି ଡାଲି କେଜି ପିଛା ୧୦ରୁ ୨୦ ଟଙ୍କା ବଢ଼ିଛି। ହୋଲ୍‌ସେଲ୍‌ରୁ ଖୁଚୁରା ବଜାରକୁ ଆସିବା ପରେ ଖାଉଟିଙ୍କୁ ଡାଲି କେଜି ପିଛା ମୂଲ୍ୟ ପ୍ରାୟ ୪୦ ଟଙ୍କା ପର୍ଯ୍ୟନ୍ତ ଅଧିକ ଗଣିବାକୁ ପଡ଼ୁଛି। ତଥ୍ୟ କହୁଛି, ରାଜ୍ୟରେ ବାର୍ଷିକ ୯ଲକ୍ଷ ୩୦ହଜାର ଟନ୍ ଡାଲି ଆବଶ୍ୟକତା ପଡ଼ୁଛି। ଡାଲି ଅଭାବ ମେଣ୍ଟାଇବା ପାଇଁ ଛତିଶଗଡ଼, ମହାରାଷ୍ଟ୍ର ଓ ନାଗପୁରରୁ ୮ଲକ୍ଷ ଟନ୍ ହରଡ଼ ଡାଲି ଆସୁଛି। ବାକି ରାଜ୍ୟରେ ଚାଷ ହେଉଥିବା ମୁଗ, ବିରି ଓ କୋଳଥ ଚାହିଦା ପୂରଣ କରୁଛି। ଚିନିର ମୂଲ୍ୟ ହଠାତ୍ ୬୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘଟିଥିଲା। ରାଜ୍ୟରେ ବାର୍ଷିକ ୯ଲକ୍ଷ ଟନ୍ ଚିନି ଦରକାର ପଡ଼ୁଥିବା ବେଳେ ମହାରାଷ୍ଟ୍ର ଓ କର୍ଣ୍ଣାଟକରୁ ୯୮ ପ୍ରତିଶତ ଚିନି ଆସୁଛି। ଗଲା ୬ମାସ ହେବ ଚିନି ଦର ଖାଉଟିଙ୍କ ସହ ଲୁଚକାଳି ଖେଳୁଛି। ମାସେ ତଳେ ଚିନି କିଲୋ ୭୦ଟଙ୍କା ପର୍ଯ୍ୟନ୍ତ ବଢ଼ିଯାଇଥିଲା। 

​​​​​​​

ପିଆଜର ମୂଲ୍ୟ ଗତ ପ୍ରାୟ ୫ମାସ ତଳୁ କେଜି ପିଛା ୫୫ ଟଙ୍କାରେ ସ୍ଥିର ରହିଛି। ପିଆଜ ଦର ପୂର୍ବରୁ କେଜି ପିଛା ଅତି ବେଶିରେ ୨୦ଟଙ୍କା ରହୁଥିଲାବେଳେ ଏବେ ଏକାଥରେ ୩୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ଅଧିକାଂଶ ପନିପରିବାର ମୂଲ୍ୟ କେଜି ପିଛା ୮୦ ଟଙ୍କା ତଳକୁ ନାହିଁ । ବର୍ଷା ଋତୁରେ ବି କାକୁଡ଼ି କିଲୋ ଦର ୮୦ ଟଙ୍କା ରହିଲା। ଏସବୁ ଦରବୃଦ୍ଧି ଯନ୍ତ୍ରଣା ଭିତରେ ଏବେ ଚାଉଳର ମୂଲ୍ୟ ବୃଦ୍ଧି ହଠାତ୍ ବଜାରରେ ନିଆଁ ଲଗାଇ ଦେଇଛି। ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିଲାବେଳେ ଏଠି ଚାଉଳର କେଜି ପିଛା ମୂଲ୍ୟରେ ହଠାତ୍ ୧୦ରୁ ୨୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘଟିବା ଖାଉଟିଙ୍କ ଚିନ୍ତାର କାରଣ ସାଜିଛି।  ଓଡ଼ିଶାରେ ମୋଟା ଚାଉଳ ଅଧିକ ଉତ୍ପାଦନ ହୋଇଥାଏ। ଅଧିକ ଉତ୍ପାଦନ ସତ୍ତ୍ୱେ ମୂଲ୍ୟ ବୃଦ୍ଧିରୁ ବାଦ୍ ପଡ଼ିନି ଚାଉଳ । କେବଳ ଚାଉଳ ନୁହେଁ ଡାଲି, ପିଆଜ, ଚିନିରେ ମଧ୍ଯ ଅନୁରୂପ ସ୍ଥିତି ଉପୁଜିବ ବୋଲି ଆଶଙ୍କା ବ୍ୟକ୍ତ କରାଯାଉଛି। କେତେକ ରାଜ୍ୟରେ ପାଣିପାଗ ପରିବର୍ତ୍ତନ, ମରୁଡ଼ି ଭଳି ସ୍ଥିତି ପାଇଁ ଏସବୁ ସାମଗ୍ରୀର ମୂଲ୍ୟ ବୃଦ୍ଧି ଘଟିବ ବୋଲି କୁହାଯାଉଛି। ତେବେ ଏଥିପ୍ରତି ସରକାର ଆଗକୁ କି କି ପଦକ୍ଷେପ ହାତକୁ ନେଉଛନ୍ତି ତାହା ଦେଖିବା ବାକି ରହିଲା ।