ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବୁଧବାର ନିଜର ୫୪ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଦାଦାଙ୍କୁ ଏକ ଅଭିନବ ଉପହାର ମିଳିଛି। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ଗାଙ୍ଗୁଲିଙ୍କୁ ହଲ୍ ଅଫ ଫେମରେ ସାମିଲ୍ କରିଛି। ଏହି ପ୍ରତିଷ୍ଠିତ ସମ୍ମାନ ପାଇବାରେ ଗାଙ୍ଗୁଲି ହେଉଛନ୍ତି ୧୨ତମ ଭାରତୀୟ କ୍ରିକେଟର। ମୋଟ୍ ଉପରେ ୧୦ତମ ପୁରୁଷ କ୍ରିକେଟର ଭାବେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି। ୧୯୯୨ରୁ ୨୦୦୭ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟରେ ସକ୍ରିୟ ରହିଥିବା ସୌରଭ ଗାଙ୍ଗୁଲି ଭାରତ ପକ୍ଷରୁ ୧୧୩ ଟେଷ୍ଟ ଓ ୩୧୧ ଦିନିକିଆ ଖେଳିଛନ୍ତି। ସେ ୨୦୦୦ରୁ ୨୦୦୫ ମସିହା ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍ ଦଳର ନେତୃତ୍ଵ ମଧ୍ୟ ନେଇଥିଲେ।

ଆଇସିସି ହଲ୍ ଅଫ୍ ଫେମରେ ସାମିଲ୍ ହେବା ନେଇ ଗାଙ୍ଗୁଲି ଖୁସି ବ୍ୟକ୍ତ କରିଛନ୍ତି। ଏଥିପାଇଁ ସେ ଆଇସିସି ଅଧ୍ୟକ୍ଷ ଜୟ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗାଙ୍ଗୁଲି ଏକ୍ସରେ ଲେଖିଛନ୍ତି, ମୋତେ ହଲ୍ ଅଫ ଫେମରେ ସ୍ଥାନ ଦେଇଥିବାରୁ ଆଇସିସି ଏବଂ ଚେୟାରମୟାନ ଜୟ ଶାହଙ୍କୁ ଧନ୍ୟବାଦ। ଏହା ମୋ ପାଇଁ ବହୁତ ବଡ଼ ସମ୍ମାନ। ହଲ୍ ଅଫ୍ ଫେମରେ ସାମିଲ୍ ୧୦ ଭାରତୀୟଙ୍କ ମଧ୍ୟରୁ ଜଣେ ହେବା ମୋ ପାଇଁ ଗର୍ବର ବିଷୟ। ମହାନ ବ୍ୟକ୍ତି ବିଶେଷଙ୍କ ତାଲିକାରେ ସାମିଲ୍ ହେବା ଏକ ଅଦ୍ଭୁତ ଅନୁଭୂତି।

ପ୍ରତିଷ୍ଠିତ ତାଲିକାରେ ସାମିଲ୍ ଏସବୁ ଭାରତୀୟ

ଗାଙ୍ଗୁଲିଙ୍କ ପୂର୍ବରୁ ସୁନୀଲ ଗାଭାସ୍କର, ବିଶନ ସିଂ ବେଦୀ, କପିଲ୍ ଦେବ, ଭିନୁ ମଙ୍କଡ଼, ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ଼, ବୀରେନ୍ଦ୍ର ସେହ୍ଵାଗ, ଅନିଲ କୁମ୍ବଲେ, ଡାଏନା ଏଡୁଲଜୀ, ନୀତୁ ଡେଭିଡ ଓ ଏମଏସ ଧୋନି ପରି ଖେଳାଳି ଆଇସିସି ହଲ୍ ଅଫ୍ ଫେମରେ ସାମିଲ୍ ହୋଇ ସାରିଛନ୍ତି। ଗତ ବର୍ଷ ଏମଏସ ଧୋନିଙ୍କୁ ଏହି ତାଲିକାରେ ସ୍ଥାନ ମିଳିଥିଲା। ବିଶନ ସିଂ ବେଦୀ, କପିଲ୍ ଦେବ ଓ ସୁନୀଲ ଗାଭାସ୍କର ୨୦୦୯ରେ ପ୍ରଥମ ଥର ତିନି ଭାରତୀୟ କ୍ରିକେଟର ଭାବେ ହଲ୍ ଅଫ୍ ଫେମରେ ସାମିଲ୍ ହୋଇଥିଲେ।

ଗାଙ୍ଗୁଲିଙ୍କ ଅନ୍ତର୍ଜାତୀୟ କ୍ୟାରିୟର

ଗାଙ୍ଗୁଲି ନିଜର ୧୬ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ଟେଷ୍ଟ କ୍ରିକେଟରେ ୭ ହଜାର ୨୧୨ ରନ ଏବଂ ୩୨ ଓ୍ଵିକେଟ୍ ନେଇଛନ୍ତି। ଦିନିକିଆରେ ସେ ୧୧ ହଜାର ୩୬୩ ରନ କରିବା ସହ ୧୦୦ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ସେ ୧୯୯୬ରେ ଲର୍ଡ୍ସରେ ନିଜର ଟେଷ୍ଟ ପଦାର୍ପଣ ମ୍ୟାଚରେ ହିଁ ଶତକ ମାରିଥିଲେ। କ୍ରିକେଟର ଏହି ଲମ୍ବା ଫର୍ମାଟରେ ତାଙ୍କ ନାଁରେ ୧୬ ଶତକ ଓ ୩୫ ଅର୍ଦ୍ଧଶତକ ରହିଛି। ଦିନିକିଆରେ ସେ ୨୨ ଶତକ ଓ ୭୨ ଅର୍ଦ୍ଧଶତକ ହାସଲ କରିଛନ୍ତି।

ଜଣେ ଅଧିନାୟକ ଭାବେ ଭାରତୀୟ କ୍ରିକେଟ୍ ଦଳର ପରିଦୃଶ୍ୟ ବଦଳାଇବାରେ ସେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ନେତୃତ୍ଵରେ ଭାରତୀୟ ଦଳ ୨୦୦୩ ବିଶ୍ଵକପ୍ ଫାଇନାଲରେ ପହଞ୍ଚି ପାରିଥିଲା। ଭାରତୀୟ ଦଳର ଅଧିନାୟକତ୍ଵ କରିବା ସହ ଗାଙ୍ଗୁଲି ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ବିସିସିଆଇର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ।