ନୂଆଦିଲ୍ଲୀ: ଦୀର୍ଘ ୧୨ ବର୍ଷର ଅପେକ୍ଷା ପରେ ଶେଷରେ ସାମ୍ନାକୁ ଆସିଛି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଆତ୍ମଜୀବନୀ। ନିଜ ଜୀବନ, ରାଜନୈତିକ ଯାତ୍ରା ଓ ଗାନ୍ଧୀ ପରିବାର ସହ ଜଡ଼ିତ ଅନେକ ଘଟଣାକୁ ନେଇ ଲେଖାଯାଇଥିବା ଏହି ପୁସ୍ତକର ନାଁ ରହିଛି ‘Belonging: A Journey of Love’। ୫୪୪ ପୃଷ୍ଠାର ଏହି ପୁସ୍ତକରେ ସୋନିଆ ଗାନ୍ଧୀ ୨୦୦୪ରେ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ ନକରିବା ପଛର କାରଣଠାରୁ ଆରମ୍ଭ କରି ମନମୋହନ ସିଂହଙ୍କ ସରକାରରେ ହସ୍ତକ୍ଷେପ କରୁଥିବା ଅଭିଯୋଗ ପର୍ଯ୍ୟନ୍ତ ଅନେକ ପ୍ରସଙ୍ଗରେ ନିଜ ପକ୍ଷ ରଖିଛନ୍ତି।

୨୦୧୪ରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିବା ସମୟରେ ସୋନିଆ ଗାନ୍ଧୀଙ୍କୁ ନେଇ ଦୁଇଟି ପୁସ୍ତକ ରାଜନୈତିକ ଚର୍ଚ୍ଚାକୁ ଜୋରଦାର କରିଥିଲା। ଏହାର ୧୨ ବର୍ଷ ପରେ ନିଜ ପୁସ୍ତକ ମାଧ୍ୟମରେ ସେ ସେହି ଅଭିଯୋଗଗୁଡ଼ିକର ଜବାବ ରଖିଛନ୍ତି। ବିଶେଷକରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କାର୍ଯ୍ୟାଳୟରେ ସେ ହସ୍ତକ୍ଷେପ କରୁଥିବା ଅଭିଯୋଗକୁ ସେ ସମ୍ପୂର୍ଣ୍ଣ ମିଥ୍ୟା ଓ୨୦୦୪ରେ କାହିଁକି ଛାଡ଼ିଥିଲେ ପ୍ରଧାନମନ୍ତ୍ରୀ ପଦ?

୨୦୦୪ ଲୋକସଭା ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧୀନ UPA ବିଜୟୀ ହେବା ପରେ ସୋନିଆ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ସେ ଏହି ପଦ ଗ୍ରହଣ କରିନଥିଲେ। ତାଙ୍କ ସ୍ଥାନରେ ଡ. ମନମୋହନ ସିଂହ ପ୍ରଧାନମନ୍ତ୍ରୀ ହୋଇଥିଲେ।

ନିଜ ପୁସ୍ତକରେ ସୋନିଆ ଲେଖିଛନ୍ତି, ନିର୍ବାଚନ ପୂର୍ବରୁ ତାଙ୍କର ଜଣେ ସନ୍ତାନ ପଚାରିଥିଲେ ଯେ କଂଗ୍ରେସ ଜିତିଲେ ସେ ପ୍ରଧାନମନ୍ତ୍ରୀ ହେବେ କି? ଏହାର ଉତ୍ତରରେ ସେ ସ୍ପଷ୍ଟ ଭାବେ ମନା କରିଦେଇଥିଲେ। ତାଙ୍କ ମତରେ, ତାଙ୍କ ପିଲାମାନେ ଚାହୁଁନଥିଲେ ଯେ ସେ ପ୍ରଧାନମନ୍ତ୍ରୀ ହୁଅନ୍ତୁ। କାରଣ ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ହତ୍ୟାର ଦୁଃଖଦ ଅନୁଭୂତି ସେମାନଙ୍କ ମନରେ ଗଭୀର ଭାବେ ରହିଥିଲା। ପ୍ରଧାନମନ୍ତ୍ରୀ ପଦକୁ ସେମାନେ ଅଧିକ ବିପଦ ସହ ଜଡ଼ିତ ବୋଲି ଭାବୁଥିଲେ।

ସୋନିଆଙ୍କ ଆତ୍ମଜୀବନୀରେ ୨୦୦୪ର ଏକ ରୋଚକ ଘଟଣାର ମଧ୍ୟ ଉଲ୍ଲେଖ ରହିଛି। UPAର ସହଯୋଗୀ ଦଳଗୁଡ଼ିକ ସୋନିଆଙ୍କୁ ପ୍ରଧାନମନ୍ତ୍ରୀ ହେବା ପାଇଁ ବୁଝାଇବାରେ ଲାଗିଥିଲେ। ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ପରେ ସୋନିଆ ଶେଷରେ ‘ଠିକ୍ ଅଛି’ ବୋଲି କହିଥିଲେ।କିନ୍ତୁ ଏହି ନିଷ୍ପତ୍ତିରେ ରାହୁଲ ଗାନ୍ଧୀ ଖୁସି ନଥିଲେ। ସୋନିଆଙ୍କ ଲେଖା ଅନୁଯାୟୀ, ରାହୁଲ ଏହା ଜାଣିବା ପରେ ରାଗିଯାଇଥିଲେ। ସେ ମା'ଙ୍କୁ ପଚାରିଥିଲେ, ଆପଣ ହଁ କହିଦେଲେ? ଆପଣଙ୍କ ଉପରେ ଚାପ ପକାଯାଉଛି? ତାହେଲେ ଆମ କଥା କ'ଣ? ଏହା କହି ସେ ରାଗରେ ସେଠାରୁ ଚାଲିଯାଇଥିଲେ। ତେବେ ଶେଷରେ ପ୍ରଧାନମନ୍ତ୍ରୀ ନହେବାର ନିଷ୍ପତ୍ତିକୁ ସୋନିଆ ନିଜର ଆଭ୍ୟନ୍ତରୀଣ ଆବାଜ ବା 'Inner Voice' ସହ ଯୋଡ଼ିଛନ୍ତି।

୨୦୧୪ରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ନଟବର ସିଂହଙ୍କ ପୁସ୍ତକ 'One Life Is Not Enough' ବେଶ୍ ଚର୍ଚ୍ଚା ସୃଷ୍ଟି କରିଥିଲା। ସେଥିରେ ନଟବର ସିଂହ ଦାବି କରିଥିଲେ ଯେ ସୋନିଆ ଗାନ୍ଧୀ ନିଜର ଆଭ୍ୟନ୍ତରୀଣ ଆବାଜ ପାଇଁ ପ୍ରଧାନମନ୍ତ୍ରୀ ପଦ ଛାଡ଼ିନଥିଲେ। ବରଂ ରାହୁଲ ଗାନ୍ଧୀ ତାଙ୍କ ମା'ଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ଥିଲେ। ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ଭଳି ସୋନିଆଙ୍କ ହତ୍ୟା ହୋଇପାରେ ବୋଲି ରାହୁଲ ଆଶଙ୍କା କରୁଥିବା ସେ ଲେଖିଥିଲେ।

ସୋନିଆଙ୍କ ପୁସ୍ତକରେ ରାହୁଲଙ୍କ ଅସନ୍ତୋଷର କଥା ରହିଛି। କିନ୍ତୁ ନଟବର ସିଂହଙ୍କ ଦାବି ଅନୁଯାୟୀ ରାହୁଲ ତାଙ୍କୁ ୨୪ ଘଣ୍ଟା ମଧ୍ୟରେ ନିଷ୍ପତ୍ତି ନେବାକୁ କହିଥିଲେ କି ନାହିଁ, ସେ ବିଷୟରେ ସୋନିଆ କିଛି ଉଲ୍ଲେଖ କରିନାହାନ୍ତି। ଏପରିକି ୨୦୧୪ରେ ନଟବର ସିଂହଙ୍କୁ ଭେଟି ପୁସ୍ତକରୁ ଏହି ଘଟଣା ବାଦ୍ ଦେବାକୁ ଅନୁରୋଧ କରିଥିବା ଅଭିଯୋଗର ମଧ୍ୟ ଉତ୍ତର ଦେଇନାହାନ୍ତି।

ସୋନିଆ ଗାନ୍ଧୀଙ୍କ ଆତ୍ମଜୀବନୀର ସବୁଠାରୁ ଚର୍ଚ୍ଚିତ ଅଂଶ ହେଉଛି ସଞ୍ଜୟ ବାରୁଙ୍କ ପୁସ୍ତକ 'The Accidental Prime Minister'କୁ ନେଇ ତାଙ୍କ ପ୍ରତିକ୍ରିୟା। ୨୦୧୪ ଏପ୍ରିଲରେ ଲୋକସଭା ନିର୍ବାଚନ ସମୟରେ ଏହି ପୁସ୍ତକ ପ୍ରକାଶ ପାଇଥିଲା। ସଞ୍ଜୟ ବାରୁ ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ମନମୋହନ ସିଂହଙ୍କ ମିଡିଆ ପରାମର୍ଶଦାତା ଥିଲେ। ନିଜ ପୁସ୍ତକରେ ସେ ଦାବି କରିଥିଲେ ଯେ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିଲେ ମଧ୍ୟ ସରକାରର ପ୍ରକୃତ କ୍ଷମତା ସୋନିଆ ଗାନ୍ଧୀଙ୍କ ହାତରେ ଥିଲା। ଏପରିକି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ସୋନିଆଙ୍କୁ ନିୟମିତ ଭାବେ ସରକାରୀ ଫାଇଲ୍ ସମ୍ପର୍କରେ ତଥ୍ୟ ଦେଉଥିଲେ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ତାଙ୍କ ମତାମତ ନେଉଥିଲେ।

ଏହି ଅଭିଯୋଗକୁ ସୋନିଆ ନିଜ ପୁସ୍ତକରେ 'Malicious and Totally False' ଅର୍ଥାତ୍ ଉଦ୍ଦେଶ୍ୟପ୍ରଣୋଦିତ ଓ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି। ତାଙ୍କ ମତରେ, ସରକାରୀ କାର୍ଯ୍ୟାଳୟର ଫାଇଲ୍ ମଗାଇବା କିମ୍ବା ପ୍ରଶାସନିକ କାର୍ଯ୍ୟରେ ହସ୍ତକ୍ଷେପ କରିବା ନିୟମ ବିରୋଧୀ। ସେ ସବୁବେଳେ ନିୟମ ପାଳନ କରିଥିବା ନିଜ ପୁସ୍ତକରେ ଉଲ୍ଲେଖ କରିଛନ୍ତି।

ଖାଲି ଏତିକି ନୁହେଁ , ସଞ୍ଜୟ ବାରୁଙ୍କ ପୁସ୍ତକ ପ୍ରକାଶ ପାଇବା ପରେ ଏହାକୁ ନେଇ ବିବାଦ ବଢ଼ିଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଝିଅ ତଥା ଇତିହାସକାର ଉପିନ୍ଦର ସିଂହ ମଧ୍ୟ ଏହି ପୁସ୍ତକକୁ ସମାଲୋଚନା କରିଥିଲେ। ସେ ଏହାକୁ ବିଶ୍ୱାସର ବଡ଼ ଧୋକା ଏବଂ ଅନୈତିକ କାର୍ଯ୍ୟ ବୋଲି କହିଥିଲେ। ଅନ୍ୟପଟେ ସଞ୍ଜୟ ବାରୁ ନିଜ ଦାବିରେ ଅଟଳ ରହିଥିଲେ। ତାଙ୍କ କହିବା ଅନୁଯାୟୀ, ସେ କେବଳ PMOର ଜଣେ ଅଧିକାରୀ ସୋନିଆଙ୍କୁ ନିୟମିତ ତଥ୍ୟ ଦେଉଥିବା କଥା ଲେଖିଥିଲେ, ସରକାରୀ ଫାଇଲ୍ ତାଙ୍କ ପାଖକୁ ନିଆଯାଉଥିବା କଥା ନୁହେଁ।

ତେବେ କାହିଁକି ୧୨ ବର୍ଷ ପରେ ଆସିଲା ଏହି ପୁସ୍ତକ?

ସୋନିଆ ଗାନ୍ଧୀ ୨୦୧୪ ଜୁଲାଇ ୩୧ରେ NDTVକୁ ଏକ ସାକ୍ଷାତକାର ଦେଇ କହିଥିଲେ ଯେ ସତ୍ୟ ସାମ୍ନାକୁ ଆଣିବାର ଏକମାତ୍ର ଉପାୟ ହେଉଛି ନିଜେ ପୁସ୍ତକ ଲେଖିବା। କିନ୍ତୁ ଏବେ ପ୍ରକାଶିତ ଆତ୍ମଜୀବନୀରେ ସେହି ସମୟର ପ୍ରତିଶ୍ରୁତିର ସିଧାସଳଖ ଉଲ୍ଲେଖ ନାହିଁ। ପୁସ୍ତକର ପ୍ରାକ୍କଥାରେ ସେ ଲେଖିଛନ୍ତି, ପରିବାର ଓ ବନ୍ଧୁମାନେ ତାଙ୍କୁ ନିଜ ଜୀବନର ଅନୁଭୂତି ଲେଖିବାକୁ ବାରମ୍ବାର ଉତ୍ସାହିତ କରିଥିଲେ। ଇଟାଲୀର ଏକ ଛୋଟ ସହରରୁ ଭାରତ ଆସିବା, ଏଠାକାର ସାମାଜିକ ଓ ରାଜନୈତିକ ପରିବର୍ତ୍ତନକୁ ନିକଟରୁ ଦେଖିବା ଏବଂ ପରେ ସେଥିରେ ନିଜେ ସାମିଲ ହେବାର ଅନୁଭୂତିକୁ ସେ ପାଠକଙ୍କ ସହ ବାଣ୍ଟିବାକୁ ଚାହିଁଥିଲେ। ସେ ଆହୁରି କହିଛନ୍ତି ଯେ ଏହା କେବଳ ରାଜନୈତିକ ପୁସ୍ତକ ନୁହେଁ। ବରଂ ରାଜନୀତିକୁ ପୃଷ୍ଠଭୂମିରେ ରଖି ନିଜ ବ୍ୟକ୍ତିଗତ ଜୀବନର କାହାଣୀ ଲେଖିଛନ୍ତି। ୫୪୪ ପୃଷ୍ଠାର ଏହି ପୁସ୍ତକ ଲେଖିବା ପାଇଁ ତାଙ୍କୁ ଦୀର୍ଘ ସମୟ ଲାଗିଥିବା କଥା ସୋନିଆ କହିଛନ୍ତି। ଲେଖିବା, ପୁଣିଥରେ ସଂଶୋଧନ କରିବା ଏବଂ ମଝିରେ ଅନେକଥର ବିରତି ନେବାକୁ ପଡ଼ିଥିଲା। ତାଙ୍କ ବନ୍ଧୁ ମଞ୍ଜୁଲିକା ଦୁବେ ଏହି ପୁସ୍ତକ ଲେଖିବା ପାଇଁ ତାଙ୍କୁ ଉତ୍ସାହିତ କରିଥିବା କଥା ମଧ୍ୟ ସେ କୃତଜ୍ଞତା ଜଣାଇବା ସମୟରେ ଉଲ୍ଲେଖ କରିଛନ୍ତି।

also read- ସୋନିଆଙ୍କ ପୁସ୍ତକରେ ନିଜ ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ରଖିଲେ ଆନ୍ନା ହଜାରେ, ଜାଣନ୍ତୁ କହିଛନ୍ତି କ’ଣ?

ସୋନିଆଙ୍କ ଏହି ଆତ୍ମଜୀବନୀ କେବଳ ତାଙ୍କ ବ୍ୟକ୍ତିଗତ ଜୀବନର କାହାଣୀ ନୁହେଁ, ବରଂ ଭାରତୀୟ ରାଜନୀତିର ଏକ ଗୁରୁତ୍ୱପୂର୍ଣ୍ଣ ସମୟର ଅନେକ ଘଟଣାକୁ ନେଇ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ବିଶେଷକରି ୨୦୦୪ରେ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବାର ନିଷ୍ପତ୍ତି ଏବଂ ମନମୋହନ ସିଂହଙ୍କ ସରକାରରେ ତାଙ୍କ ଭୂମିକାକୁ ନେଇ ଦୀର୍ଘ ବର୍ଷ ଧରି ରହିଥିବା ବିବାଦ ଉପରେ ସେ ନିଜର ପକ୍ଷ ରଖିଛନ୍ତି। ତେବେ ୧୨ ବର୍ଷ ପରେ ସୋନିଆଙ୍କ ଏହି ଆତ୍ମଜୀବନୀ ପୁରୁଣା ରାଜନୈତିକ ବିବାଦକୁ ପୁଣି ଥରେ ସାମ୍ନାକୁ ଆଣିଛି। ତାଙ୍କ ଲେଖା ଓ ପୂର୍ବରୁ ଉଠିଥିବା ଅଭିଯୋଗ ମଧ୍ୟରୁ କାହାର ଦାବି କେତେ ସତ, ତାହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିବା ସ୍ୱାଭାବିକ।