ନୂଆଦିଲ୍ଲୀ: ଗତ ୧୨ ବର୍ଷର ଶାସନକାଳରେ ଦେଶ, ଗଣତନ୍ତ୍ର ଏବଂ ସାମ୍ବିଧାନିକ ସଂସ୍ଥାଗୁଡ଼ିକର ମୂଳ ଢାଞ୍ଚାକୁ ବ୍ୟାପକ କ୍ଷତି ପହଞ୍ଚାଇଛି ବିଜେପି ସରକାର । ଏହାକୁ ଏବେ ଦେଶବାସୀ ଧୀରେ ଧୀରେ ଅନୁଭବ କରିବା ସହ ଅସନ୍ତୋଷ ପ୍ରକାଶ କରିବା ଆରମ୍ଭ କଲେଣି। କିନ୍ତୁ ଏହା ସତ୍ତ୍ୱେ ଭାରତର ଭବିଷ୍ୟତକୁ ନେଇ ସେ ନିରାଶ ନୁହନ୍ତି। ଦେଶର ଲୋକେ ପୁଣିଥରେ ଉତ୍ତମ ଶାସନକୁ ସ୍ୱାଗତ କରିବେ ବୋଲି ଆଶା ରଖିଛନ୍ତି କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀ।

ଏକ ସାକ୍ଷାତକାରରେ ସୋନିଆ ଗାନ୍ଧୀ ଏଭଳି ମତ ରଖିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ତାଙ୍କ ମନ୍ତବ୍ୟକୁ ନେଇ ବିଜେପି ପକ୍ଷରୁ ମଧ୍ୟ କଡ଼ା ପ୍ରତିକ୍ରିୟା ଆସିଛି। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହ ସୋନିଆଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସକୁ ପାଲଟା ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ, ନଭେମ୍ବର ୧୦ ତାରିଖରେ ସୋନିଆ ଗାନ୍ଧୀଙ୍କ ସ୍ମୃତିଚାରଣ ପୁସ୍ତକ 'Belonging: A Journey Of Love' ବିଶ୍ୱବ୍ୟାପୀ ପ୍ରକାଶ ପାଇବାକୁ ଯାଉଛି। ଏହା ପୂର୍ବରୁ ସେ ଏକ ଜାତୀୟ ଖବରକାଗଜକୁ ସାକ୍ଷାତକାର ଦେଇ ଦେଶର ରାଜନୀତି, ଗଣତନ୍ତ୍ର, କଂଗ୍ରେସର ଭବିଷ୍ୟତ ଏବଂ ଜରୁରୀକାଳୀନ ପରିସ୍ଥିତି ସମ୍ପର୍କରେ ନିଜର ମତ ରଖିଛନ୍ତି।

ଗଣତନ୍ତ୍ର ଓ ସଂସ୍ଥାଗୁଡ଼ିକର କ୍ଷତି ନେଇ କ'ଣ କହିଲେ ସୋନିଆ?ସାକ୍ଷାତକାରରେ ସୋନିଆ ଗାନ୍ଧୀ କହିଛନ୍ତି, ଗତ ୧୨ ବର୍ଷ ମଧ୍ୟରେ ଦେଶର ଗଣତନ୍ତ୍ର ଓ ସାମ୍ବିଧାନିକ ସଂସ୍ଥାଗୁଡ଼ିକର ବ୍ୟବସ୍ଥାକୁ ବହୁତ କ୍ଷତି ପହଞ୍ଚିଛି। ଏହି ସରକାର କ୍ଷମତାରୁ ହଟିବା ପରେ ମଧ୍ୟ ଦେଶର ସଂସ୍ଥାଗୁଡ଼ିକୁ ପୁଣି ସୁସ୍ଥ ଓ ସୁଦୃଢ଼ କରିବାକୁ ସମୟ ଲାଗିବ। ଏଥିପାଇଁ ସମସ୍ତ ରାଜନୈତିକ ଦଳଙ୍କୁ ମିଳିତ ଭାବେ ବହୁତ ପରିଶ୍ରମ କରିବାକୁ ପଡ଼ିବ। ତେବେ ଦେଶର ଲୋକେ ଏବେ ଅସନ୍ତୋଷ ପ୍ରକାଶ କରିବା ସହ ହୋଇଥିବା କ୍ଷତିକୁ ବୁଝିବା ଆରମ୍ଭ କରିଛନ୍ତି। ତଥାପି ସେ ନିରାଶ ନୁହନ୍ତି। ଭାରତର ଲୋକେ ପୁଣିଥରେ ଉତ୍ତମ ଶାସନକୁ ସ୍ୱାଗତ କରିବେ ବୋଲି ତାଙ୍କର ବିଶ୍ୱାସ ରହିଛି। ୨୦୨୯ ଲୋକସଭା ନିର୍ବାଚନରେ ବିଜେପି ପରାଜିତ ହେଲେ ରାଜନୀତି ପୁଣିଥରେ ନୀତି ଓ ନୈତିକତାକୁ ନେଇ କେନ୍ଦ୍ରିତ ହେବ କି ବୋଲି ପ୍ରଶ୍ନର ଉତ୍ତରରେ ସେ ଏହି ମତ ରଖିଥିଲେ।

ସୋନିଆ ଗାନ୍ଧୀଙ୍କ ଗଣତନ୍ତ୍ର ସମ୍ପର୍କିତ ମନ୍ତବ୍ୟକୁ ନେଇ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କଡ଼ା ଆପତ୍ତି ଉଠାଇଛନ୍ତି। ସେ କଂଗ୍ରେସ ନେତ୍ରୀଙ୍କୁ ୧୯୭୫ ମସିହାର ଜରୁରୀକାଳୀନ ପରିସ୍ଥିତି ମନେ ପକାଇ ଦେଇଛନ୍ତି। ମେଘୱାଲ କହିଛନ୍ତି, ଗଣତନ୍ତ୍ରକୁ ନେଇ ମନ୍ତବ୍ୟ ଦେବା ପୂର୍ବରୁ ସୋନିଆ ଗାନ୍ଧୀ ୧୯୭୫ ମସିହାକୁ ମନେ ପକାଇବା ଉଚିତ। ସେହି ସମୟରେ ଦେଶର ଗଣତନ୍ତ୍ରକୁ ଦମନ କରାଯାଇଥିଲା। ବିଭିନ୍ନ ରାଜନୈତିକ ଦଳର ହଜାର ହଜାର ବରିଷ୍ଠ ନେତାଙ୍କୁ ଜେଲରେ ରଖାଯାଇଥିଲା। ସାମ୍ବାଦିକଙ୍କ ସ୍ୱରକୁ ମଧ୍ୟ ଚପାଇ ଦିଆଯାଇଥିଲା।

ଅନ୍ୟପଟେ ସେ କହିଛନ୍ତି, ଗତ ୧୨ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଗଣତନ୍ତ୍ରକୁ ଅଧିକ ସୁଦୃଢ଼ କରିଛନ୍ତି। ସମଗ୍ର ବିଶ୍ୱ ଆଗରେ ଭାରତକୁ 'ଗଣତନ୍ତ୍ରର ଜନନୀ' ଭାବେ ପରିଚିତ କରାଇଛନ୍ତି ବୋଲି ମେଘୱାଲ କହିଛନ୍ତି। ସେହିପରି କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହ ମଧ୍ୟ ସୋନିଆଙ୍କ ମନ୍ତବ୍ୟର ଜବାବ ଦେଇଛନ୍ତି। ସେ କହିଛନ୍ତି, କଂଗ୍ରେସ ଦୀର୍ଘ ୪୦ ବର୍ଷ ହେଲା ୯ଟି ରାଜ୍ୟରେ କ୍ଷମତାକୁ ଫେରିପାରିନାହିଁ। ଯେଉଁ ଦଳ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରି ଲୋକଙ୍କ ସ୍ୱରକୁ ଦମନ କରିଥିଲା, ସେହି ଦଳ ଆଜି ଗଣତନ୍ତ୍ରର ସୁରକ୍ଷା କଥା କହୁଛି ବୋଲି ସେ ଆକ୍ଷେପ କରିଛନ୍ତି।

ସେହି ସାକ୍ଷାତକାରରେ ସୋନିଆ ଗାନ୍ଧୀ ୧୯୭୫ ମସିହାର ଜରୁରୀକାଳୀନ ପରିସ୍ଥିତି ସମ୍ପର୍କରେ ମଧ୍ୟ ମତ ରଖିଛନ୍ତି। ତତ୍କାଳୀନ ପରିସ୍ଥିତି ଧୀରେ ଧୀରେ ଅଧିକ ଖରାପ ହେଉଥିବାରୁ ଇନ୍ଦିରା ଗାନ୍ଧୀ ଚାପରେ ଥିଲେ ବୋଲି ସେ କହିଛନ୍ତି । ସୋନିଆଙ୍କ କହିବା ଅନୁସାରେ, ସେହି ସମୟରେ ହିଂସାତ୍ମକ ଆନ୍ଦୋଳନ, ସରକାରୀ କାର୍ଯ୍ୟାଳୟ ଓ ସାଧାରଣ ପରିବହନ ବ୍ୟବସ୍ଥାରେ ନିଆଁ ଲଗାଇବା ଭଳି ଘଟଣା ଘଟୁଥିଲା। ବ୍ୟାପକ ଅଶାନ୍ତି ସହ ପ୍ରଶାସନିକ ଅଧିକାରୀ ଏବଂ ସେନାବାହିନୀକୁ ଆଦେଶ ଅବମାନନା କରିବାକୁ ମଧ୍ୟ ଆହ୍ୱାନ ଦିଆଯାଉଥିଲା। ଏହି ସବୁ ପରିସ୍ଥିତିକୁ ସାମ୍ନା କରିବାକୁ ଇନ୍ଦିରା ଗାନ୍ଧୀ ସଂଘର୍ଷ କରୁଥିଲେ ବୋଲି ସେ କହିଛନ୍ତି।

ତେବେ ସୋନିଆ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାର ନିଷ୍ପତ୍ତିକୁ ପରବର୍ତ୍ତୀ ସମୟରେ ଗଣତାନ୍ତ୍ରିକ ଉପାୟରେ ସମାଧାନ କରାଯାଇଥିଲା। ଇନ୍ଦିରା ଗାନ୍ଧୀ ନିଜେ ମାର୍ଚ୍ଚ ୧୯୭୭ରେ ନିର୍ବାଚନ ଘୋଷଣା କରିଥିଲେ। ଜରୁରୀକାଳୀନ ପରିସ୍ଥିତି ସମୟରେ ହୋଇଥିବା ଅତ୍ୟାଚାର ପାଇଁ ପରବର୍ତ୍ତୀ ସମୟରେ ସେ ସର୍ବସାଧାରଣରେ ଅନୁତାପ ପ୍ରକାଶ କରିବା ସହ କ୍ଷମା ମାଗିଥିଲେ ବୋଲି ସୋନିଆ କହିଛନ୍ତି। ଏହା ସହ ସାଲିସ ମାଲିସର ରାଜନୀତିକୁ ନେଇ ସେ କହିଛନ୍ତି ବିଜେପି ଏବଂ ଆରଏସଏସ ସହ କଂଗ୍ରେସ କେବେ ବି କୌଣସି ପ୍ରକାର ସାଲିସ୍ କରିନାହିଁ କିମ୍ବା ଆଗକୁ କରିବ ନାହିଁ ବୋଲି ସେ ଦୃଢ଼ ଭାବେ କହିଛନ୍ତି।

ସେହିପରି ୨୦୧୪, ୨୦୧୯ ଓ ୨୦୨୪ ଲୋକସଭା ନିର୍ବାଚନରେ କ୍ରମାଗତ ତିନିଥର ପରାଜୟ ପରେ ମଧ୍ୟ କଂଗ୍ରେସ ନିଜର ରାଜନୈତିକ ସ୍ଥିତି ସୁଧାରିବାକୁ ଉଦ୍ୟମ କରୁଛି। ଦଳ ଏବେ ନିର୍ବାଚନୀ ଅନିୟମିତତା ଓ ଭୋଟ୍ ଚୋରି ଅଭିଯୋଗ ଉଠାଇ ନିର୍ବାଚନ ଆୟୋଗଙ୍କ ବିରୋଧରେ ଆନ୍ଦୋଳନ ଜାରି ରଖିଛି। ଅନ୍ୟପଟେ ନିର୍ବାଚନୀ ଅନିୟମିତତା ଏବଂ ଭୋଟ୍ ଚୋରି ଅଭିଯୋଗକୁ ନେଇ କଂଗ୍ରେସ ନିର୍ବାଚନ ଆୟୋଗ ବିରୋଧରେ ଆନ୍ଦୋଳନ ଜାରି ରଖିଛି। ବିଶେଷକରି ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ଦଳ ପ୍ରତିବାଦ କରୁଛି। (SIR) ପ୍ରକ୍ରିୟାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। ନିର୍ବାଚନରେ ଅନିୟମିତତା ହେଉଥିବା ଅଭିଯୋଗ କରି ପୁଣିଥରେ ବାଲାଟ୍ ପେପର ମାଧ୍ୟମରେ ନିର୍ବାଚନ କରାଇବାକୁ ଦଳ ଦାବି କରୁଛି।

ଏହି ପ୍ରସଙ୍ଗରେ ଏକ ଇଂରାଜୀ ଖବରକାଗଜର ରିପୋର୍ଟକୁ ମଧ୍ୟ ଉଦାହରଣ ଭାବେ ରଖିଛି କଂଗ୍ରେସ। ଉକ୍ତ ରିପୋର୍ଟ ଅନୁସାରେ, ନିର୍ବାଚନ ଆୟୁକ୍ତ ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଯୋଶୀ ୧୦ ମାସ ମଧ୍ୟରେ SIR ପ୍ରକ୍ରିୟା ସମ୍ପର୍କିତ ନିଷ୍ପତ୍ତି ଓ ଆଦେଶକୁ ନେଇ ୧୪ ଥର ଆନୁଷ୍ଠାନିକ ଭାବେ ଆପତ୍ତି ଉଠାଇଥିଲେ। ଏହି ପ୍ରକ୍ରିୟା ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ନେତୃତ୍ୱରେ ଚାଲିଥିଲା ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

ସୋନିଆ ଗାନ୍ଧୀଙ୍କ ଅଭିଯୋଗ ହେଉଛି, ବିଜେପି ସରକାର କ୍ଷମତାକୁ ଆସିବା ପରଠାରୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକୁ ନିର୍ବାଚନରେ ସମାନ ସୁଯୋଗ ମିଳୁନାହିଁ। ସମସ୍ତ ସାମ୍ବିଧାନିକ ସଂସ୍ଥା ଉପରେ ବିଜେପିର ନିୟନ୍ତ୍ରଣ ରହିଛି। ବିଶେଷକରି ନିର୍ବାଚନ ଆୟୋଗ, ମୁଖ୍ୟଧାରାର ଗଣମାଧ୍ୟମ, ଆର୍ଥିକ ଶକ୍ତି ଏବଂ ଧର୍ମର ବ୍ୟବହାର କରି ବିଜେପି ରାଜନୈତିକ ଫାଇଦା ନେଉଛି ବୋଲି ସେ ଅଭିଯୋଗ କରିଛନ୍ତି।

ତେବେ ଏତେ ସବୁ ଚାପ ଓ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ କଂଗ୍ରେସ ଲଢ଼େଇ ଜାରି ରଖିଛି। ଦଳର କର୍ମୀ ଓ ନେତାମାନେ ଅନେକ ପ୍ରକାର ନିର୍ଯାତନାର ସାମ୍ନା କରି ମଧ୍ୟ ଦେଶର ପ୍ରତ୍ୟେକ ଗାଁ ଓ ଜିଲ୍ଲାରେ ସମ୍ବିଧାନର ମୂଲ୍ୟବୋଧ ପାଇଁ ଲଢ଼ୁଛନ୍ତି। ନିକଟ ଅତୀତରେ ଅନେକ ନିର୍ବାଚନରେ ଅନିୟମିତତା ହୋଇଥିବା ପ୍ରମାଣିତ ହୋଇଛି ଏବଂ ଲୋକେ ଏବେ ଏହା ସମ୍ପର୍କରେ ଅଧିକ ସଚେତନ ହେଉଛନ୍ତି ବୋଲି ସୋନିଆ କହିଛନ୍ତି।କଂଗ୍ରେସ ଅନ୍ୟ ସମାନ ବିଚାରଧାରାର ରାଜନୈତିକ ଦଳଗୁଡ଼ିକ ସହ ମିଶି କାମ କରୁଛି। ଦିନକୁ ଦିନ ଦଳର ନିର୍ବାଚନୀ ସମ୍ଭାବନା ଉନ୍ନତ ହେଉଛି ବୋଲି ସେ ଦାବି କରିଛନ୍ତି।

ମୋଦିଙ୍କ ଚା' ବିକ୍ରି ପ୍ରସଙ୍ଗରେ କ'ଣ କହିଲେ ସୋନିଆ?

ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜନୈତିକ ଯାତ୍ରା ଓ ପୃଷ୍ଠଭୂମିକୁ ନେଇ ମଧ୍ୟ ମତ ରଖିଛନ୍ତି ସୋନିଆ ଗାନ୍ଧୀ। ମୋଦିଙ୍କ ଚା' ବିକ୍ରି କରିବାର କାହାଣୀକୁ ତାଙ୍କ ପ୍ରଚାର ଟିମ୍ ହୁଏତ ଅଧିକ ପ୍ରଚାର କରିଥାଇପାରେ ବୋଲି ସେ ମତ ଦେଇଛନ୍ତି। ତେବେ ମୋଦି ଏକ ସାଧାରଣ ଓ ଅଭାବୀ ପରିବେଶରୁ ଆସି ଆରଏସଏସ ମଧ୍ୟରେ ନିଜର ରାଜନୈତିକ ସ୍ଥାନ ସୃଷ୍ଟି କରି କ୍ଷମତା ପର୍ଯ୍ୟନ୍ତ ପହଞ୍ଚିଛନ୍ତି ବୋଲି ସେ ସ୍ୱୀକାର କରିଛନ୍ତି।

also read- ‘ଏମାର୍ଜେନ୍ସୀ’କୁ ନେଇ ପୁସ୍ତକରେ ଉଲ୍ଲେଖ କରିଛନ୍ତି ସୋନିଆ ଗାନ୍ଧି, ଜାଣନ୍ତୁ ଇନ୍ଦିରାଙ୍କୁ ନେଇ କହିଛନ୍ତି କ’ଣ?

ସୋନିଆ କହିଛନ୍ତି, ମୋଦିଙ୍କ ବିଚାରଧାରାଠାରୁ କଂଗ୍ରେସର ବିଚାରଧାରା ସମ୍ପୂର୍ଣ୍ଣ ଭିନ୍ନ। ରାଜନୀତିରେ ସଫଳତା ପାଇବାର ଅନେକ ରାସ୍ତା ରହିଛି। କଂଗ୍ରେସ ଦଳରେ ମଧ୍ୟ ଡକ୍ଟର ମନମୋହନ ସିଂହ ଏବଂ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଭଳି ନେତା ଏହାର ଉଦାହରଣ। ଆରଏସଏସଠାରୁ କଂଗ୍ରେସକୁ କିଛି ଶିଖିବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ସୋନିଆ ଗାନ୍ଧୀଙ୍କ ଏହି ସାକ୍ଷାତକାର ଏପରି ଏକ ସମୟରେ ଆସିଛି, ଯେତେବେଳେ ନିର୍ବାଚନ ଆୟୋଗର SIR ପ୍ରକ୍ରିୟା, ଭୋଟ୍ ଚୋରି ଅଭିଯୋଗ ଏବଂ ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକର ସ୍ୱାଧୀନତାକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ରାଜନୈତିକ ବିବାଦ ଜାରି ରହିଛି।