ନୂଆଦିଲ୍ଲୀ ୦୭।୧୧; ବିଦେଶ ମାଟିରେ ଲୁଚି ରହିଥିବା ଭାରତର ମୋଷ୍ଟ ୱାଣ୍ଟେଡ୍ ଅପରାଧୀଙ୍କ ଉପରେ ଆମେରିକାର ଆକ୍ସନ୍ । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ସହ ଜଡ଼ିତ ହ୍ୟାରି ବକ୍ସରଙ୍କୁ ଆମେରିକାରେ ହେପାଜତକୁ ନିଆଯାଇଥିବା ନେଇ ଆସିଛି ଖବର । ତେବେ କେଉଁ ପରିସ୍ଥିତିରେ ତାଙ୍କୁ ହେପାଜତକୁ ନିଆଯାଇଛି ଏବଂ ତାଙ୍କ ବିରୋଧରେ କେଉଁ ଆଇନଗତ ପ୍ରକ୍ରିୟା ଆରମ୍ଭ ହେବ, ସେନେଇ ଏଯାଏଁ ବିସ୍ତୃତ ସୂଚନା ମିଳିନାହିଁ ।

ହ୍ୟାରି ବକ୍ସରଙ୍କ ବିରୋଧରେ ଭାରତରେ ରହିଛି ଏକାଧିକ ସଙ୍ଗୀନ ଅଭିଯୋଗ । ହତ୍ୟା, ହତ୍ୟା ଧମକ ଏବଂ ବଟି ଆଦାୟ ଭଳି ମାମଲାରେ ତାଙ୍କୁ ଖୋଜୁଛନ୍ତି ତଦନ୍ତକାରୀ ସଂସ୍ଥା । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ସହ ତାଙ୍କର ସମ୍ପର୍କ ଥିବା ଅଭିଯୋଗ ମଧ୍ୟ ରହିଛି। ମୁମ୍ବାଇରେ ଫିଲ୍ମ ନିର୍ମାତା ରୋହିତ ଶେଟ୍ଟୀଙ୍କ ଘର ବାହାରେ ଗୁଳିମାଡ଼ ଘଟଣା ପରେ ହ୍ୟାରି ବକ୍ସରଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା । ଏକ ସୋସିଆଲ ମିଡିଆ ପୋଷ୍ଟରେ ଏହି ଗୁଳିମାଡ଼ ପଛରେ ଗ୍ୟାଙ୍ଗ ହାତ ଥିବା ଦାବି କରାଯାଇଥିଲା । ଏଥିରେ ହ୍ୟାରି ବକ୍ସରଙ୍କ ନାଁ ମଧ୍ୟ ଉଲ୍ଲେଖ ହୋଇଥିଲା । ଏହାପରେ ବଲିଉଡ୍‌ର କିଛି ହସ୍ତୀଙ୍କୁ ସୋସିଆଲ ମିଡିଆ ପୋଷ୍ଟ ଓ ଅଡିଓ ମେସେଜ୍ ଜରିଆରେ ଧମକ ମିଳିଥିବା ଖବର ସାମ୍ନାକୁ ଆସିଥିଲା ।

ଏହା ପୂର୍ବରୁ ଅକ୍ଟୋବର ୨୨ ତାରିଖରେ ଆମେରିକାର ଲାସ୍ ଭେଗାସ୍ରେ ହିମାଂଶୁ ଭାଉ ଓ ନୀରଜ ଫରିଦପୁରିଆଙ୍କୁ ଆମେରିକୀୟ ଏଜେନ୍ସି ହେପାଜତକୁ ନେଇଥିବା ଖବର ଆସିଥିଲା । ସେମାନଙ୍କୁ ଭାରତ ଫେରାଇ ଆଣିବା ପାଇଁ ହରିୟାଣା STF ଆମେରିକା ଓ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସହ ଯୋଗାଯୋଗରେ ଥିବା ରିପୋର୍ଟ ପ୍ରକାଶ ପାଇଥିଲା । ଏବେ ହ୍ୟାରି ବକ୍ସରଙ୍କୁ ନେଇ ଆମେରିକାର ଏହି କାର୍ଯ୍ୟାନୁଷ୍ଠାନ ଭାରତୀୟ ତଦନ୍ତକାରୀ ସଂସ୍ଥାଙ୍କ ପାଇଁ ଏକ ବଡ଼ ସୁଯୋଗ ହୋଇପାରେ । ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବ କି ନାହିଁ, ତାଙ୍କ ବିରୋଧରେ ଥିବା ମାମଲାରେ ଆଗକୁ କି ପଦକ୍ଷେପ ନିଆଯିବ, ତାହା ଉପରେ ଏବେ ସମସ୍ତଙ୍କ ନଜର ।