• ସୋନିଆ ଗାନ୍ଧି କହିଛନ୍ତି ଯେ ଏମାର୍ଜେନ୍ସୀ ପରେ ହିଁ କଣ ହେଉଛି ତାର ପ୍ରକୃତ ଗୁରୁତ୍ୱ ଅନୁଭବ କରୁଥିଲି
  • ଶେଷରେ ଏମାର୍ଜେନ୍ସୀ ଲାଗୁ କରିବାର ନିଷ୍ପତ୍ତି ଗଣତାନ୍ତ୍ରିକ ଉପାୟରେ ସମାଧାନ ହୋଇଥିଲା
  • ଇନ୍ଦିରା ଗାନ୍ଧି ପରେ ନିଜ ଭୁଲ ବୁଝିଥିଲେ ଓ ମାର୍ଚ୍ଚ ୧୯୭୭ ରେ ସାଧାରଣ ନିର୍ବାଚନ କରାଇବାକୁ ନିଷ୍ପତ୍ତି ନେଇଥିଲେ

ନୂଆଦିଲ୍ଲୀ: ଦେଶରେ ଏମାର୍ଜେନ୍ସୀ କାଳରେ ହୋଇଥିବା ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇ ସଞ୍ଜୟ ଗାନ୍ଧିଙ୍କୁ ସମ୍ପୂର୍ଣ୍ଣ ଦାୟୀ କରିବାକୁ ମନା କରିଦେଇଛନ୍ତି ସୋନିଆ ଗାନ୍ଧି। ସେ କହିଛନ୍ତି ଯେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଉପରେ ତାଙ୍କ ବରିଷ୍ଠ ସହଯୋଗୀଙ୍କ ପକ୍ଷରୁ ବେଶ୍ ଚାପ ଥିଲା। ସୋନିଆଙ୍କ ଏହି ମନ୍ତବ୍ୟ ଏକ ଏପରି ସମୟରେ ଆସିଛି ଯେତେବେଳେ ତାଙ୍କ ସମସ୍ମରଣ ପୁସ୍ତକ ‘ଦି ବିଲଙ୍ଗିଙ୍ଗ: ଏ ଜର୍ଣ୍ଣି ଅଫ ଲଭ’ ନଭେମ୍ବର ୧୦ ତାରିଖରେ ସାରା ବିଶ୍ୱରେ ପ୍ରକାଶିତ ହେବାକୁ ଯାଉଛି।

‘ଦି ହିନ୍ଦୁ’ର ଏକ ରିପୋର୍ଟ ଅନୁଯାୟୀ ସୋନିଆ ଗାନ୍ଧି କହିଛନ୍ତି ଯେ ‘କେବଳ ସଞ୍ଜୟ ଦାୟୀ ନଥିଲେ, ଯଦିଓ ଜନସାଧାରଣଙ୍କ ନଜରର ତାଙ୍କୁ ପ୍ରାୟତଃ ଜରୁରୀକାଳୀନ ପରିସ୍ଥିତିର ସମର୍ଥକ ଭାବେ ଦେଖା ଯାଏ। ସେତେବେଳେ ଇନ୍ଦିରାଙ୍କ ଉପରେ ତାଙ୍କର କିଛି ବରିଷ୍ଠ ସହଯୋଗୀଙ୍କ ପକ୍ଷରୁ ଯଥେଷ୍ଟ ଚାପ ଥିଲା ଏବଂ ମୁଁ ଭାବୁଛି ଇନ୍ଦିରାଙ୍କ ଚାରି ପାଖରେ ରାଜୀବଙ୍କ ଭଳି ଖୁବ୍ କ୍ୱଚିତ ଲୋକ ଥିଲେ, ଯେଉଁମାନେ ଭିନ୍ନ ମତ ରଖୁଥିଲେ’।

ସୋନିଆ କହିଛନ୍ତି ଯେ ତାଙ୍କ ସ୍ୱାମୀ ରାଜୀବ ଗାନ୍ଧି ଯାହାବି ପ୍ରତିକ୍ରିୟା, ଅଭିଯୋଗ ଆଦି ଶୁଣନ୍ତି ସେ ଗୁଡିକୁ ସେ ତାଙ୍କ ମାଆଙ୍କ ପାଖକୁ ପହଞ୍ଚାନ୍ତି। ଶେଷରେ ସୋନିଆ କହିଛନ୍ତି ଯେ ତାଙ୍କ ଶାଶୂ ଇନ୍ଦିରା ଗାନ୍ଧି ତାଙ୍କ ବୁଦ୍ଧିମତାରେ ପରିସ୍ଥିତିକୁ ବୁଝିବା ସହ ସେଥିରେ ସୁଧାର କରିବାକୁ ଚେଷ୍ଟା କରିଥିଲେ ବୋଲି ସମ୍ବାଦପତ୍ରକୁ କହିଛନ୍ତି। ତେବେ ଭାରତରେ ଜରୁରୀକାଳୀନ ପରିସ୍ଥିତିକୁ ଗଣତନ୍ତ୍ର ବିରୋଧୀ ଓ ଏକଛତ୍ରବାଦୀ ସମୟ ଭାବେ ବିବେଚନା କରିବା ଠିକ୍ ହେବ କି ବୋଲି ପଚରା ଯିବାରେ ସୋନିଆ ଏଥିରେ ଏକମତ ହୋଇଛନ୍ତି ଯେ ସେ ସମୟରେ ଗଣତାନ୍ତ୍ରିକ ଅଧିକାର ସୀମିତ ଥିଲା।

ସୋନିଆ ଗାନ୍ଧି କହିଛନ୍ତି ଯେ ଏମାର୍ଜେନ୍ସୀ ପରେ ହିଁ କଣ ହେଉଛି ତାର ପ୍ରକୃତ ଗୁରୁତ୍ୱ ଅନୁଭବ କରୁଥିଲି। ହଁ, ଗଣତାନ୍ତ୍ରିକ ଅଧିକାରକୁ ସୀମିତ କରିଦିଆଯାଇଥିଲା ଏବଂ ହେଭିୟସ କର୍ପସ ସ୍ଥଗିତ କରାଯାଇଥିଲା, ହେଲେ ଯାହା ବି ହୋଇଥିଲା ସବୁ ସାମ୍ବିଧାନିକ ପରିସରରେ ହୋଇଥିଲା। ତେବେ ସୋନିଆ ଜରୁରୀକାଳୀନ ପରିସ୍ଥିତି ପୂର୍ବରୁ ଖରାପ ହେଉଥିବା ସ୍ଥିତି ସମ୍ପର୍କରେ ବର୍ଣ୍ଣନା କରିଛନ୍ତି ଓ କହିଛନ୍ତି ଯେ ଇନ୍ଦିରା ଗାନ୍ଧି ପରେ ସାର୍ବଜନିକ ଭାବେ ହୋଇଥିବା ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଲାଗି ଅନୁତାପ କରିଥିଲେ।

ସୋନିଆ କହିଛନ୍ତି ଯେତେବେଳେ ମୁଁ ନିଜକୁ ସେହି ସମୟକୁ ଫେରାଇ ନେଇ ଇନ୍ଦିରାଙ୍କ ଦୃଷ୍ଟିକୋଣରୁ ଦେଖିବାକୁ ଚେଷ୍ଟା କରେ ମୁଁ ଦେଖେ ଯେ ସେ ଦ୍ରୁତ ଅବନତିଶୀଳ ପରିସ୍ଥିତିର ମୁକାବିଲା କରିବା ପାଇଁ ସଂଘର୍ଷ କରୁଥିଲେ। ହିଂସାତ୍ମକ ବିକ୍ଷୋଭ, ସରକାରୀ କାର୍ଯ୍ୟାଳୟ ଓ ସାର୍ବଜନିକ ପରିବହନ ପୋଡାଜଳା, ବଡ଼ ଧରଣର ସଙ୍ଗଠିତ ଅଶାନ୍ତି ଏପରିକି ଅମଲାତନ୍ତ୍ର ଓ ସଶସ୍ତ୍ର ବାହିନୀକୁ ନିର୍ଦ୍ଦେଶ ଅବମାନନା କରିବାକୁ ଆହ୍ୱାନ ଦିଆଯାଇଥିଲା।

ସାର୍ବଜନିକ କ୍ଷମାଯାଚନା କରିଥିଲେ ଇନ୍ଦିରା
ଶେଷରେ ଏମାର୍ଜେନ୍ସୀ ଲାଗୁ କରିବାର ନିଷ୍ପତ୍ତି ଗଣତାନ୍ତ୍ରିକ ଉପାୟରେ ସମାଧାନ ହୋଇଥିଲା। ସୋନିଆ କହିଛନ୍ତି ଯେ ‘ପଛକୁ ଫେରି ଚାହିଁଲେ ଆମେ ଜିନିଷ ଗୁଡିକୁ ଭଲଭାବେ ବୁଝି ପାରିବା ଆମେ ଭୁଲିଯିବା ଉଚିତ ନୁହେଁ ଯେ ଇନ୍ଦିରା ଗାନ୍ଧି ପରେ ନିଜ ଭୁଲ ବୁଝିଥିଲେ ଓ ମାର୍ଚ୍ଚ ୧୯୭୭ ରେ ସାଧାରଣ ନିର୍ବାଚନ କରାଇବାକୁ ନିଷ୍ପତ୍ତି ନେଇଥିଲେ। ଆପଣମାନେ ଭଲଭାବେ ଜାଣନ୍ତି ଯେ ଇନ୍ଦିରା ପରେ ଏଥି ପାଇଁ ଅନୁତାପ କରିଥିଲେ ଓ ଜରୁରୀକାଳୀନ ପରିସ୍ଥିତି ସମୟରେ ହୋଇଥିବା ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ସାର୍ବଜନିକ କ୍ଷମା ପ୍ରାର୍ଥନା କରିଥିଲେ’।

୨୫ ଜୁନ ୧୯୭୫ରେ ଆନୁଷ୍ଠାନିକ ଜରୁରୀକାଳୀନ ପରିସ୍ଥିତି ଘୋଷଣା ଭାରତର ସାମ୍ବିଧାନିକ ଇତିହାସର ଏକ ମୋଡ ଥିଲା। କାର୍ଯ୍ୟପାଳିକାକୁ ଅସୀମ କ୍ଷମତା ପ୍ରଦାନ କରାଯାଇଥିଲା ଓ ରାଜ୍ୟ କ୍ଷମତା କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣକୁ ଆସିଥିଲା।