ମୋରଡ଼ା ୧୦।୬: ଏମିତି ଜ୍ବାଇଁ କାହାକୁ ନମିଳୁ ! ଶାଶୁ-ଶ୍ୱଶୁର ନିଆଁ ହୁଳା ଫିଙ୍ଗି ଜାଳିଦେବାକୁ ଉଦ୍ୟମ । ଗୁରୁତର ଅବସ୍ଥାରେ ଉଭୟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅଧିନ ନାଉପଦା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ନିଶାସକ୍ତ ଅବସ୍ଥାରେ ନିଜ ଶ୍ବଶୁର ଘରକୁ ଆସି ଶାଶୁ ଓ ଶ୍ବଶୁର ଶୋଇଥିବା ଅବସ୍ଥାରେ ତାଙ୍କୁ ନିଆଁ ଲଗାଇ ମାରିଦେବାକୁ ଉଦ୍ୟମ କରିଥିଲା ଜ୍ବାଇଁ । ତେବେ ଦେହରେ ନିଆଁ ଲାଗିଥିବାରୁ ଗୁରୁତର ଅବସ୍ଥାରେ ଶାଶୁ-ଶ୍ବଶୁର ଦୁହେଁ ବାରିପଦା ପିଆରଏମ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଗୁରୁତରଙ୍କ ଝିଅଙ୍କ ଅଭିଯୋଗ ମୁତାବକ, ତାଙ୍କ ସ୍ୱାମୀ ବାରିପଦା ଟାଉନ ଥାନା ଅନ୍ତର୍ଗତ ରଘୁନାଥପୁର ୱାର୍ଡ ନମ୍ବର ୨୨ର ସେକ୍ ସବୀର ପ୍ରତିଦିନ ମଦ ପିଇ ତାଙ୍କ ମାରପିଟ କରୁଥିଲେ। ଯାହା ଫଳରେ ସେ ୫ ମାସ ପୂର୍ବରୁ ତାଙ୍କ ବାପଘର ନାଉପଦାକୁ ଚାଲି ଆସିଥିଲେ। ତେବେ ଅଭିଯୁକ୍ତ ସେକ୍ ସବୀର ତାଙ୍କ ଘରକୁ ବିଳମ୍ବିତ ରାତିରେ ଆସି ତାଙ୍କ ଲୁଗା ପଟା ଓ ପଲିଥିନ ଗୁଡିକରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଚାଲିଯାଇଥିଲେ । ଯାହା ଫଳରେ ସେ ଶୁଳିଆପଦା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଏଣେତେଣେ ଖୋଜାଖୋଜି କରୁଥିଲା ।

Also Read:- ପବନ ଘଡ଼ଘଡ଼ି ସହ ମାଡ଼ି ଆସିଲା, ଘର ଉପରେ ଉପୁଡ଼ି ପଡ଼ିଲା ଗଛ

ତେବେ ମଙ୍ଗଳବାର ରାତିରେ ଝିଅ ଓ ତାଙ୍କ ବାପା-ମାଆ ଘରେ ଶୋଇଥିବା ବେଳେ ଜ୍ବାଇଁ ବାଇକ୍‌ରେ ଆସି ପେଟ୍ରୋଲ ଢାଳି ନିଆଁ ହୁଳା ଫିଙ୍ଗି ଫେରାର ହୋଇଯାଇଥିଲା । ଯାହା ଫଳରେ ତାଙ୍କ ବାପା-ମାଆ ଗୁରୁତର ଅବସ୍ଥାରେ ବାରିପଦା ପିଆରଏମ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଗୁରୁତର ଆହତ ହୋଇଥିବା ଶାଶୁ ଓ ଶ୍ୱଶୁର ହେଲେ ନାଉପଦା ଗାଁର ଶୁହାନା ବିବି ଓ ଶେକ ହାରୁନ ଅଲ୍ଲୀ। ତେବେ ପୂର୍ବରୁ ଦୁଇ ଥର ନିଆଁ ଲଗାଇ ଜାଳି ଦେବାକୁ ଉଦ୍ୟମ କରିଥିଲା ଜ୍ବାଇଁ ।