ଉମରକୋଟ ୧୦।୬: ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଦେଖିବାକୁ ମିଳିଛି କାଳବୈଶାଖୀର ତାଣ୍ଡବ । ବୁଧବାର ମଧ୍ୟାହ୍ନ ସମୟରେ ହଠାତ୍ ପ୍ରବଳ ବର୍ଷା, ପବନ ସହ ଘଡ଼ଘଡ଼ି ମାଡ଼ି ଆସିବାରୁ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ପ୍ରବଳ ପବନ ଯୋଗୁଁ ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି । କେଉଁଠି ଘର ଉପରେ ତ ଆଉ କେଉଁଠି ରାସ୍ତା ଉପରେ ଗଛ ପଡ଼ି ସମ୍ପୂର୍ଣ୍ଣ ଯାତାୟାତ ଠପ୍ ହୋଇଯାଇଛି । ଏପରିକି ବିଦ୍ୟୁତ ତାର ଛିଣ୍ଡି ଯାଇଥିବାରୁ ସାରା ଅଞ୍ଚଳ ଅନ୍ଧାରରେ ବୁଡ଼ି ରହିଛି ।

ଉମରକୋଟ ପୌରାଞ୍ଚଳର ୧୧ ନମ୍ବର ୱାର୍ଡରେ ରହୁଥିବା ରାମଚନ୍ଦ୍ର ଗଣ୍ଡଙ୍କ ଘର ଉପରେ ଏକ ବଡ଼ ତେନ୍ତୁଳି ଗଛ ଉପୁଡ଼ି ପଡ଼ିଛି । ଘରଟି କଚ୍ଚା ହୋଇଥିବାରୁ ଏହା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଏହି ଦୁର୍ଘଟଣାରେ ରାମଚନ୍ଦ୍ରଙ୍କ ମୁଣ୍ଡ ଫାଟିଯାଇଥିବା ବେଳେ ସେ ଗୁରୁତର ଆହତ ହୋଇଛନ୍ତି । ସେହିପରି ଉମରକୋଟ ଅଞ୍ଚଳର ବିଭିନ୍ନ ମୁଖ୍ୟ ରାସ୍ତା ଉପରେ ଗଛ ପଡ଼ି ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।

Also Read:- ଦୀର୍ଘ ଦିନର ବିବାଦରେ ପଡିଲା ପୂର୍ଣ୍ଣଚ୍ଛେଦ, ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ‘ଧାମ’ ଶବ୍ଦ

ଖବର ପାଇ ତୁରନ୍ତ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ପ୍ରଶାସନ ମିଳିତ ଭାବେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଗଛ କଟାଯାଇ ରାସ୍ତା ସଫା କରାଯାଉଛି । ଅନ୍ୟପଟେ କାଳବୈଶାଖୀ ପବନରେ ବିଦ୍ୟୁତ ତାର ଛିଣ୍ଡିଯିବା ଫଳରେ ପୌରାଞ୍ଚଳର ଅନେକ ସ୍ଥାନରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଛି । ପ୍ରଶାସନ ପକ୍ଷରୁ ପ୍ରଭାବିତ ଲୋକଙ୍କୁ ତୁରନ୍ତ ସହାୟତା ଯୋଗାଇବା ସହ ଜନଜୀବନକୁ ସ୍ୱାଭାବିକ କରିବା ପାଇଁ ଜୋରଦାର ଉଦ୍ୟମ ଜାରି ରହିଛି ।