ନୂଆଦିଲ୍ଲୀ: ପେନସନ ପାଇଁ ନିଜ ମୃତ ମାଆଙ୍କୁ ଦର୍ଶାଇଲେ ଜୀବିତ। ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ୪୦ ଲକ୍ଷରୁ ଅଧିକ ଟଙ୍କା ଉଠାଇ କରିଦେଲେ ଚଳୁ। ସତ ଜାଣି ଏବେ ସମସ୍ତେ କାବା। ଏଭଳି ଏକ ପେନସନ ସ୍କାମ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ମେରଟ ଜିଲ୍ଲା ଦୌରାଲାରେ। ଏଠାରେ ଜଣେ ଯୁବକ ନିଜ ମୃତ ମାଆଙ୍କୁ ଜୀବିତ ବୋଲି ଦର୍ଶାଇ ବେଆଇନ ଭାବେ ଅନେକ ଦିନ ଧରି ପେନସନ ଉଠାଉଥିଲେ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ସରଧାନା ସବ୍ ଡିଭିଜନାଲ ମାଜିଷ୍ଟ୍ରେଟଙ୍କୁ ୨୦୨୫ ଅକ୍ଟୋବର ୮ରେ ଏକ ଅଭିଯୋଗ କରାଯାଇଥିଲା। ଏଥିରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ସକୌତି ତଣ୍ଡା ବ୍ରାଞ୍ଚ ମ୍ୟାନେଜର ନୀରଜ କୁମାର କହିଛନ୍ତି, ଶାନ୍ତି ଦେବୀଙ୍କ ନାଁରେ ଏକ ଅବସରକାଳୀନ ଆକାଉଣ୍ଟ ରହିଥିଲା। ତାଙ୍କ ସ୍ବାମୀ ସୁରଜନ ସିଂହ ଜଣେ ସ୍ବାଧୀନତା ସଂଗ୍ରାମୀ ଥିଲେ। ତେଣୁ ସ୍ବାଧୀନତା ସଂଗ୍ରାମୀ ଏବଂ ମିଲିଟାରୀ ପେନସନ କାର୍ଯ୍ୟକ୍ରମ ଅନୁସାରେ ସେ ପେନସନ ପାଉଥିଲେ।

ପଡ଼ୋଶୀଙ୍କ ଅଭିଯୋଗ ଅନୁସାରେ, ୨୦୧୮ ଡିସେମ୍ବର ୯ରେ ଶାନ୍ତି ଦେବୀଙ୍କର ପରଲୋକ ହୋଇଥିଲା। ବ୍ୟାଙ୍କ ଅଧିକାରୀ କହିଛନ୍ତି ଶାନ୍ତି ଦେବୀଙ୍କ ପୁଅ ପ୍ରେମ ସିଂହ ଏବଂ ତା’ର କିଛି ସହଯୋଗୀ ମିଥ୍ୟା କାଗଜପତ୍ର ପ୍ରସ୍ତୁତ କରି ଶାନ୍ତି ଦେବୀଙ୍କୁ ଜୀବିତ ଦର୍ଶାଇଥିଲେ। ଆଉ ମିଥ୍ୟା କାଗଜପତ୍ର ଦ୍ବାରା ଶାନ୍ତି ଦେବୀଙ୍କ ଆକାଉଣ୍ଟକୁ ପରିଚାଳିତ କରୁଥିଲେ ଏବଂ ଆସୁଥିବା ଟଙ୍କା ଉଠାଉଥିଲେ। ଏଭଳି କରି ୭ ବର୍ଷ ମଧ୍ୟରେ ପ୍ରାୟ ୪୪, ୩୮, ୦୯୬ ଟଙ୍କା ଉଠାଯାଇଥିବା କହିଛନ୍ତି ବ୍ୟାଙ୍କ ଅଧିକାରୀ।

Also Read: ପେନସନ ବଢିବା ଦରକାର, ସଂସଦୀୟ କମିଟି କହିଲେ -'୧୦୦୦ ଟଙ୍କା ବହୁତ କମ୍'

ତେବେ ସତ ଜାଣିବା ପରେ ୨୦୨୫ ନଭେମ୍ବର ୨୭ରେ ବ୍ୟାଙ୍କ ପକ୍ଷରୁ ଦୌରାଲା ପୋଲିସରେ ଅଭିଯୋଗ ହୋଇଥିଲେ। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଅଭିଯୋଗକାରୀ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କୋର୍ଟଙ୍କ ଆଦେଶ ପରେ ପୋଲିସ ବୁଧବାର ପ୍ରେମ ସିଂହ ଏବଂ ସେମାନଙ୍କ ସହଯୋଗୀଙ୍କ ବିରୋଧରେ ଠକେଇ, ମିଥ୍ୟା ତଥ୍ୟ ଏବଂ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗରେ ବୁଧବାର ଏଫଆଇଆର ରୁଜୁ କରିଥିଲେ। ଦୌରାଲା ପୋଲିସ ଅଧିକାରୀ ସୁମନ କୁମାର ସିଂହ କହିଛନ୍ତି ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି। ଡକ୍ୟୁମେଣ୍ଟର ଯାଞ୍ଚ କରାଯାଉଛି ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।