ନୂଆଦିଲ୍ଲୀ, ୧୮ /୦୩: ବଦଳିବ କର୍ମଚାରୀଙ୍କ ଇପିଏଫଓ ପେନସନ୍ ଯୋଜନା । ମାସିକ ସର୍ବନିମ୍ନ ପେନସନରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି ସରକାର । ଏଥିପାଇଁ ସଂସଦର ଏକ କମିଟି ସୁପାରିଶ କରିଛନ୍ତି । ଇପିଏଫଓ କର୍ମଚାରୀ ପେନସନ୍ ଯୋଜନା-୧୯୯୫ଆଧାରରେ ଦୀର୍ଘଦିନ ଧରି ଥିବା ସର୍ବନିମ୍ନ ମାସିକ ପେନସନ ଯୋଜନା ୧୦୦୦ ଟଙ୍କାରେ ପରିବର୍ତ୍ତନ କରିବାକୁ କମିଟି ତରଫରୁ ସୁପାରିଶ କରାଯାଇଛି । 

ଏହି ସୁପାରିଶ ସେହି ସମୟରେ ହୋଇଛି ଯେତେବେଳେ ପେନସନଧାରୀମାନେ ପେନସନ ରାଶିକୁ ୭୫୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଦାବି କରୁଛନ୍ତି । ସେମାନଙ୍କ କହିବାନୁସାରେ ମାତ୍ର ୧୦୦୦ଟଙ୍କାରେ ଆଜିର ସମୟରେ ଚଳିହେବନି । ଯାହା ଅଧିକ ସମସ୍ୟା ସୃଷ୍ଟି କରିବ ।

Also Read : India's energy crisis: ଭାରତରେ ଇନ୍ଧନ ସମସ୍ୟା ନାହିଁ, ଘରୋଇ ଏଲପିଜି ଉତ୍ପାଦନ ଦ୍ରୁତ ଗତିରେ ବଢୁଛି: ନିର୍ମଳା ସୀତାରମଣ

ଦିଲ୍ଲୀରେ ଆନ୍ଦୋଳନ

ଗତ ମାର୍ଚ୍ଚ ମାସରେ ବିଭିନ୍ନ ପେନସନଧାରୀ ଦିଲ୍ଲୀର ଜନ୍ତର ମନ୍ତରରେ ଏକାଠି ହୋଇଥିଲେ । ସେମାନେ ପେନସନ ରାଶିକୁ ୭୫୦୦ ଟଙ୍କା କରିବା ପାଇଁ ଦାବି କରିଥିଲେ । ଇପିଏଫଓ କର୍ମଚାରୀ ପେସନ ଯୋଜନା-୧୯୯୫ ଆଧାରରେ ଏହି ରାଶି ବୃଦ୍ଧି କରିବାକୁ ସେମାନେ କହିଥିଲେ ।

ସଂସଦୀୟ କମିଟିର ରିପୋର୍ଟ

ଶ୍ରମ ଏବଂ କୌଶଳ ବିକାଶ ସମ୍ବନ୍ଧିତ ଏକ କମିଟି ନିଜ ୧୫ତମ ରିପୋର୍ଟରେ କହିଛନ୍ତି ଯେ, କର୍ମଚାରୀଙ୍କୁ ସର୍ମନିମ୍ନ ମାସିକ ପେନସନ୍ ମିଳିବା ଆବଶ୍ୟକ । କାରଣ ଅନେକ କର୍ମଚାରୀ ବାର୍ଧକ୍ୟ ଏବଂ ରୋଗରେ ପୀଡିତ । ତେଣୁ ସର୍ବନିମ୍ନ ୧୦୦୦ ଟଙ୍କା ପେନସନ ରାଶି ସବୁ ଅଭାବକୁ ପୂରା କରିପାରିବ ନାହିଁ। ଅନେକ ପେନସନଭୋଗୀ ସର୍ବନିମ୍ନ ରାଶି ବୃଦ୍ଧି ପାଇଁ ଦାବି କରୁଛନ୍ତି । ଏନେଇ କମିଟି ଅଭିଯୋଗ ମଧ୍ୟ ପାଇଛନ୍ତି ।

କମିଟି ଆହୁରି କହିଛନ୍ତି ଯେ, ବର୍ତ୍ତମାନ ମିଳୁଥିବା ପେନସନ ଆଜିର ସମୟ ପାଇଁ ପର୍ଯ୍ୟାପ୍ତ ନୁହେଁ । ଦରଦାମ ବଢୁଛି । ସ୍ୱାସ୍ଥ୍ୟ ଉପରେ ଫୋକସ ଦେବାକୁ ପଡିବ । ଏବେ ଯେଉଁ ପେନସନ ମିଳୁଛି ତାହା ପର୍ଯ୍ୟାପ୍ତ ନୁହେଁ କିମ୍ବା ଅଭାବକୁ ପୂରଣ କରିବାରେ ଅସମର୍ଥ ଅଟେ । ତେଣୁ କମିଟି ଶ୍ରମ ମନ୍ତ୍ରାଳୟକୁ ସର୍ବନିମ୍ନ ପେନସନ ବୃଦ୍ଧି ପାଇଁ ସୁପାରିଶ କରିଛନ୍ତି ।

ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ସରକାର ପୂର୍ବରୁ ଅନେକ ଯୋଜନାରେ ପେନସନଭୋଗୀଙ୍କୁ ସହାୟତା ଦେଉଛନ୍ତି । ଏଥିରେ ଇପିଏଫଓରେ ପ୍ରଦାନ କରାଯାଉଥିବା ୧୦୦୦ ଟଙ୍କା ସାମିଲ ଅଛି । ତେଣୁ ଏହି ଅର୍ଥରାଶିର ତୁରନ୍ତ ସମୀକ୍ଷା କରାଯିବା ଆବଶ୍ୟକ । ଏହାକୁ ସମ୍ମାନଜନକ ସ୍ତରକୁ ଆଣିବା ଜରୁରୀ ।

କମିଟି ଆଉ ଏକ ପ୍ରସଙ୍ଗକୁ ଗୁରୁତ୍ୱ ଦେଇଛନ୍ତି । କମିଟିର ରିପୋର୍ଟରେ ଦର୍ଶଯାଇଛି ଯେ, ଅନେକ ଶ୍ରମିକ ଠିକା ଭାବେ କାର୍ଯ୍ୟ କରୁଛନ୍ତି । ସେମାନେ ନିୟମିତ କର୍ମଚାରୀ ଭାବେ କାର୍ଯ୍ୟ କଲେ ମଧ୍ୟ ଦୁର୍ଘଟଣା କିମ୍ବା ଅନ୍ୟ କୌଣସି ସମସ୍ୟା ହେଲେ ଆର୍ଥିକ ସହଯୋଗ ମିଳିବାରେ ବିଳମ୍ବ ହେଉଛି । ଏହି ଶ୍ରମିକରଙ୍କୁ ଇପିଏଫଓ ଏବଂ ଇଏସଆଇରେ ସୁବିଧା ମିଳିବା ଦରକାର ବୋଲି ସଂସଦୀୟ କମିଟି ପ୍ରକାଶ କରିଛନ୍ତି ।