ମୁମ୍ବାଇ-; ଦୁଇ ଆଖି ମିଶିଲା ଆଉ ପ୍ରେମ ହେଲା I ସୁଟିଂ ସେଟର ରୋମାନ୍ସ ବାସ୍ତବ ଜୀବନର ଚର୍ଚିତ ପ୍ରେମ କାହାଣୀ ବନିଗଲା ସିନେମା ତାରାନାର ସବୁଠାରୁ ସୁନ୍ଦର ଗୀତ ବେମାନ ତୋରେ ନେନବା ନିଦିଆ ନାଁ ଆୟେ ର ମେକିଙ୍ଗ ସମୟରେ ହିଁ ହିନ୍ଦୀ ସିନେମା ଜଗତର ଦୁଇ ରୋମାଣ୍ଟିକ ଯୋଡି ଦିଲୀପ କୁମାର ଓ ମଧୁବାଲା ପ୍ରେମରେ ପଡ଼ିଥିଲେ I ପ୍ରଥମ ଦେଖାରେ ଦୁହିଁଙ୍କ ମନ ମିଶିଥିଲା l ଗୀତ ସୁଟିଂ କରିବା ପରେ ମଧୁବାଲା ଯେତେବେଳେ ସନ୍ଧ୍ୟାରେ ଘରେ ପହଞ୍ଚନ୍ତି ସେ ଦିଲୀପ କୁମାରଙ୍କ ସହିତ ଏହି ରୋମାଣ୍ଟିକ ଗୀତାରେ ସ୍କ୍ରିନ ସେୟାର କରୁଥିବା ସମୟର ଅନୁଭୂତିକୁ ତାଙ୍କ ଭଉଣୀକୁ କୁହନ୍ତି l ତାଙ୍କ ଆଖିରେ ଏକ ଅଜବ ପ୍ରକାରର ଚମକ ଅଛି I କେବଳ ଥରଟିଏ ତାଙ୍କୁ ଦେଖି ଦେଲେ ନିଜ ଉପରେ ନିଜର ନିୟନ୍ତ୍ରଣ ମଧ୍ୟ ରହିବ ନାହିଁ ଦିଲୀପଙ୍କୁ ନେଇ ଏଭଳି କହିଥିଲେ ମଧୁବାଲା l

ୟେ କେବଳ କେଇ ପଦ କଥା ନଥିଲା ବରଂ ଗୋଟେ ଝିଅର ହୃଦୟର କଥା ଥିଲା I ଯିଏ ପ୍ରଥମ ଥର କାହା ଆଖିରେ ଭଲପାଇବାର ସ୍ବପ୍ନ ଦେଖିଥିଲା l ଯେଉଁ ଦିନ ଦୀଲପି କୁମାର ମଧୁବାଲାକୁ ନିଜର ମନ ଦେଲେ ସେହି ଦିନ ମଧୁବାଲା ନିଜର ଜୀବନକୁ ଦିଲୀପ କୁମାରଙ୍କୁ ସମର୍ପି ଦେଲେ I ନା ଘରର ଆକଟ ,ନା ବଦଳୁଥିବା ସମୟ ନା ପୃଥିବୀର କେଉଁ ଅଜଣା ଶକ୍ତି ଦିଲୀପ ଓ ମଧୁଵାଲା ଭିତରେ ଥିବା ସମ୍ପର୍କକୁ ଭାଙ୍ଗିପାରିଲେ I କିନ୍ତୁ ଯେଉଁ ରାସ୍ତାରେ ସେ ହସି ହସି ଯାତ୍ରା କରୁଥିଲେ ତାର ଅନ୍ତିମ ଠିକଣା ଖୁସି ନଥିଲା ବରଂ ମଧୁବାଲା ଭାଗ୍ୟରେ ବିଚ୍ଛେଦ ,ବିରହ ଓ ଜୀବନ ବ୍ୟାପି ଯନ୍ତ୍ରଣା ଲେଖାଥିଲା I ସେଥିପାଇଁ ତାରାନା କେବଳ ଗୋଟେ ସିନେମା ନଥିଲା ଏହା ମଧୁବାଲା ଜୀବନର ସବୁଠାରୁ ମଧୁର ମୁହୂର୍ତ୍ତ ଥିଲା I

ତାରିଖ ୧୪ ଫ୍ରେବୃଆରି ବର୍ଷ ୧୯୩୩ ଭ୍ୟାଲେଣ୍ଟାଇନ ଡେରେ ତତ୍କାଳୀନ ବ୍ରିଟିଶ୍ ଭାରତର ଦିଲ୍ଲୀରେ ଜନ୍ମ ହୋଇଥିଲେ ମୁମତାଜ୍ ଜହାଁ ବେଗମ୍ ଦେହଲଭୀ। ପରବର୍ତ୍ତୀ ସମୟରେ ଏହି ନାମ ହିଁ ‘ମଧୁବାଲା’ ଭାବେ ଭାରତୀୟ ସିନେମାରେ ଅମର ହୋଇଗଲା। ପରିବାରର ଆର୍ଥିକ ସ୍ଥିତି ସୁଦୃଢ଼ ନଥିବାରୁ ତାଙ୍କ ପରିବାର ମୁମ୍ବାଇ ଚାଲିଆସିଥିଲା। ଖୁବ୍ କମ୍ ବୟସରୁ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ ମଧୁବାଲା । ୧୯୪୨ର ‘ବସନ୍ତ’ ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବେ ଅଭିନୟ କରିଥିବା ମଧୁବାଲା ସେତେବେଳେ ‘ବେବି ମୁମତାଜ୍’ ନାମରେ ପରିଚିତ ଥିଲେ। ୧୯୪୭ରେ ‘ନୀଲ କମଲ୍’ ଚଳଚ୍ଚିତ୍ରରେ ରାଜ କପୁରଙ୍କ ବିପକ୍ଷରେ ଅଭିନୟ ତାଙ୍କୁ ଅଧିକ ପରିଚିତି ଦେଇଥିଲା। ପରେ ୧୯୪୯ର ‘ମହଲ୍’ ଚଳଚ୍ଚିତ୍ର ତାଙ୍କ ଲୋକପ୍ରିୟତାକୁ ନୂଆ ଶିଖରକୁ ନେଇଥିଲା। ସେ ଆଉ କେବଳ ସୁନ୍ଦରୀ ଅଭିନେତ୍ରୀ ହୋଇ ରହିନଥିଲେ; ଧୀରେ ଧୀରେ ନିଜ ଅଭିନୟ ପ୍ରତିଭାରେ ଦର୍ଶକଙ୍କ ହୃଦୟ ଜିତିବା ଆରମ୍ଭ କରିଥିଲେ।

ମଧୁବାଲାଙ୍କ ଲୋକପ୍ରିୟତାର ରହସ୍ୟ କେବଳ ତାଙ୍କ ସୌନ୍ଦର୍ଯ୍ୟ ନଥିଲା। ହାସ୍ୟରସଠାରୁ ଆରମ୍ଭ କରି ଲଭ, ରୋମାନ୍ସ ଓ ସିରିଅସ ଚରିତ୍ର ପର୍ଯ୍ୟନ୍ତ ବିଭିନ୍ନ ଭୂମିକାରେ ସେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିଥିଲେ। ‘ମିଷ୍ଟର ଆଣ୍ଡ ମିସେସ୍ ୫୫’, ‘ଚଲତି କା ନାମ୍ ଗାଡ଼ି’, ‘ହାୱଡ଼ା ବ୍ରିଜ୍’, ‘କାଲା ପାନି’ ଓ ‘ବରସାତ୍ କି ରାତ୍’ ଭଳି ଚଳଚ୍ଚିତ୍ରରେ ତାଙ୍କ ଅଭିନୟର ବହୁମୁଖୀ ପ୍ରତିଭାର ପରିଚୟ ମିଳେ । କିନ୍ତୁ ୧୯୬୦ରେ ମୁକ୍ତିଲାଭ କରିଥିବା ‘ମୁଗଲ୍-ଏ-ଆଜମ୍’ର ଅନାରକଲି ଚରିତ୍ର ତାଙ୍କୁ ଭାରତୀୟ ସିନେମା ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଥିଲା। ଦିଲୀପ କୁମାରଙ୍କ ସଲିମ୍ ଏବଂ ମଧୁବାଲାଙ୍କ ଅନାରକଲିଙ୍କ ପ୍ରେମ କାହାଣୀ ଦର୍ଶକଙ୍କ ମନରେ ଆଜି ବି ଜୀବନ୍ତ। ପରଦାରେ ପ୍ରେମ ପାଇଁ ସବୁକିଛି ତ୍ୟାଗ କରିବାକୁ ପ୍ରସ୍ତୁତ ଅନାରକଲିଙ୍କ ଅଭିନୟ ଦର୍ଶକଙ୍କୁ ଭାବବିହ୍ୱଳ କରିଥିଲା। ବିଡ଼ମ୍ବନା ହେଉଛି, ତାଙ୍କ ନିଜ ଜୀବନର ପ୍ରେମ କାହାଣୀ ମଧ୍ୟ ଅନେକ ଦୁଃଖ ଓ ଯନ୍ତ୍ରଣାର ବାଟ ଦେଇ ଗତି କରିଛି ।

ମଧୁବାଲା ଓ ଦିଲୀପ କୁମାରଙ୍କ ସମ୍ପର୍କ ହିନ୍ଦୀ ସିନେମାର ସବୁଠାରୁ ଚର୍ଚ୍ଚିତ ପ୍ରେମ କାହାଣୀ ମଧ୍ୟରୁ ଗୋଟିଏ। ପରଦାରେ ଦୁହିଁଙ୍କ ଯୋଡ଼ିକୁ ଦର୍ଶକ ଯେପରି ଭଲ ପାଉଥିଲେ, ବାସ୍ତବ ଜୀବନରେ ମଧ୍ୟ ସେମାନଙ୍କ ସମ୍ପର୍କକୁ ନେଇ ଥିଲା ବିପୁଳ ଆଗ୍ରହ। କିନ୍ତୁ ବ୍ୟକ୍ତିଗତ ଓ ପାରିବାରିକ ମତଭେଦ ସେମାନଙ୍କ ସମ୍ପର୍କରେ ଦୂରତା ସୃଷ୍ଟି କରିଥିଲା। ଶେଷରେ ଦୁହେଁ ପରିବାର ଦାଇତ୍ୱ ଆଗରେ ସେ ନିଜ ପ୍ରେମକୁ ବଳିଦାନ ଦେବାକୁ ପଡିଲା I ସବୁ ଦିନ ପାଇଁ ଦୀଲପ କୁମାର ଓ ମଧୁବାଲା ଉଭୟଙ୍କ ଜୀବନରୁ ଦୁରେଇ ଗଲେ I ଉଭୟ ନିଜ ପ୍ରେମ ସମ୍ପର୍କକୁ ବିବାହର ରୂପ ଦେଇପାରିଲେନି ସତ କିନ୍ତୁ ମଧୁବାଲା ଦିଲୀପ କୁମାରଙ୍କୁ ଭୁଲିବା ଏତେ ସହଜ ନଥିଲା I

କିଛି ମୁହୂର୍ତ୍ତ ଭିତରେ ମଧୁବାଲା ଦେଖିଥିବା ସବୁ ସ୍ବପ୍ନ ପାଣି ଫୋଟକା ଭଳି ମିଳେଇ ଗଲା I କିଛି ଦିନ ପରେ ଦୁହେଁ ମିଶି ମୁଗଲ୍-ଏ-ଆଜମ୍ ରେ ନଜର ଆସିଲେ I ଅନାରକଲି ଚରିତ୍ରରେ ମଧୁବାଲା ଓ ସଲିମ ଚରିତ୍ରରେ ଦିଲୀପ I ସୁଟିଂ ସମୟରେ ମଧୁବାଲା ଚରିତ୍ରରେ ହଜି ଯାଉଥିଲେ ଉଭୟ ମିଶି ସ୍କ୍ରିନ ସେୟାର କରୁଥିଲେ I କିନ୍ତୁ କ୍ୟାମେରା ବନ୍ଦ ହେବା ମାତ୍ରେ ମଧୁବାଲା ଅଜଣା ଅପରିଚିତ ମଣିଷ ଭଳି ବ୍ୟବହାର କରୁଥିଲେ I ସମ୍ପୂର୍ଣ ସିନେମା ସୁଟିଂ ସମୟ ଭିତରେ ଅଫ କ୍ୟାମେରାରେ ମଧୁଵାଲା ଓ ଦୀଲପ କୁମାର କେବେ କଥାବାର୍ତା ହୋଇଥିବାର କେହି ଦେଖିନାହାନ୍ତି I ''ମୁଗଲ୍-ଏ-ଆଜମ୍ '' ଅନାରକଲି ଚରିତ୍ରରେ ମଧୁବାଲାଙ୍କ ଆଖିରୁ ଝରୁଥିବା ଲୁହ ମିଛ ନଥିଲା I ବାସ୍ତବ ଜୀବନରେ ଥିବା ବେଦନା ସବୁ କ୍ୟାମେରା ଆଗରେ ଲହୁ ହୋଇ ଚାଲି ଆସୁଥିଲା I ଏହି ସିନେମା ଥିଲା ଦିଲୀପ କୁମାରଙ୍କ ସହିତ ମଧୁବାଲାଙ୍କ ଦୁତୀୟ ସିନେମା ଯାହା ଭାରତୀୟ ହିନ୍ଦୀ ସିନେମାରେ ଏକ ନୂଆ ରେକର୍ଡ ତିଆରି କରିଥିଲା I

ଦିଲୀପ କୁମାରଙ୍କ ସହ ସମ୍ପର୍କ ଶେଷ ହେବା ପରେ ମଧୁବାଲାଙ୍କ ଜୀବନରେ ଆସିଥିଲେ ପ୍ରସିଦ୍ଧ ଗାୟକ ଓ ଅଭିନେତା କିଶୋର କୁମାର। ଦୁହେଁ ଏକାଧିକ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ। ‘ଚଲତି କା ନାମ୍ ଗାଡ଼ି’ ସେମାନଙ୍କ ଏକାଠି ଅଭିନୀତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ।୧୯୬୦ରେ ଦୁହେଁ ବିବାହ କରିଥିଲେ। କିନ୍ତୁ ଏହି ନୂଆ ସମ୍ପର୍କର ଆରମ୍ଭ ସମୟରେ ହିଁ ମଧୁବାଲାଙ୍କ ଗୁରୁତର ହୃଦ୍ରୋଗ ତାଙ୍କ ଜୀବନକୁ ଗଭୀର ଭାବେ ପ୍ରଭାବିତ କରୁଥିଲା। ବିବାହ ପରେ ଚିକିତ୍ସା ପାଇଁ ସେ କିଶୋର କୁମାରଙ୍କ ସହ ଲଣ୍ଡନ ଯାଇଥିଲେ। ସେଠାରେ ଡାକ୍ତରୀ ପରୀକ୍ଷା ପରେ ତାଙ୍କ ହୃଦ୍ରୋଗର ଗମ୍ଭୀରତା ସ୍ପଷ୍ଟ ହୋଇଥିଲା। ଲଣ୍ଡନରେ ଡାକ୍ତର ସିଧା ସିଧା ଶୁଣେଇ ଦେଲେ ମଧୁଵାଲା ଆଉ ଖୁବ କମ ଦିନ ବଞ୍ଚିବେ I ମଧୁବାଲା ଜାଣିସାରିଥିଲେ ସେ ଜୀବନର ଶେଷ ସୀମାରେ ଅଛନ୍ତି I 

କେତେବେଳେ କୋଉ ମୁହୂର୍ତ୍ତରେ କିଛି ବି ହେଇ ପାରେ I ଠିକ ସେହି ସମୟରେ କିଶୋର କୁମାର ମଧ୍ୟ ମାନସିକ ସ୍ତରରେ ଭାଙ୍ଗି ପଡିଲେ I ଗୋଟେ ପଟେ କାମର ବ୍ୟସ୍ତତା ଅନ୍ୟପଟେ ମଧୁବାଲାଙ୍କ ଅସୁସ୍ଥତା ଏ ସବୁ ଭିତରେ କିଶୋର ମଧୁବାଲାଙ୍କୁ ସମୟ ଦେଇ ପାରନ୍ତିନି I ମଧୁବାଲା ବହୁତ ଇଛା କରିଥାନ୍ତି ଏଭଳି ସମୟରେ କିଶୋର କୁମାର ତାଙ୍କ ପାଖରେ ରୁହନ୍ତୁ କିନ୍ତୁ ତାହା ସମ୍ଭବ ନଥିଲା I କିନ୍ତୁ ଅସୁସ୍ଥତା ସମୟରେ ଦିଲୀପ କୁମାର ଅନେକ ଥର ମଧୁବାଲାଙ୍କୁ ଦେଖିବାକୁ ଆସନ୍ତି I ଥରେ ମଧୁବାଲା ଦିଲୀପଙ୍କୁ ପଚାରିଲେ ମୋ ଦେହ ଭଲ ହେଲା ପାରେ କଣ ମୋ ସହିତ ଆଉ ଗୋଟେ ସିନେମା କରିବ ? ଦିଲୀପ କହିଥିଲେ ନିଶ୍ଚୟ ମୁଁ ତୁମ ସହିତ ସିନେମା କରିବି I

୧୯୬୦ ଦଶକରେ ମଧୁବାଲାଙ୍କ ସ୍ୱାସ୍ଥ୍ୟ ଆହୁରି ଖରାପ ହେବାରୁ ତାଙ୍କ ଚଳଚ୍ଚିତ୍ର କାର୍ଯ୍ୟକଳାପ କମିଯାଇଥିଲା। ତଥାପି ସେ ପୁଣିଥରେ କାମକୁ ଫେରିବା ଆଶା ଛାଡ଼ିନଥିଲେ। ୧୯୬୬ରେ ‘ଚଲାକ୍’ ଚଳଚ୍ଚିତ୍ର ମାଧ୍ୟମରେ ଫେରିବାର ଉଦ୍ୟମ କରିଥିଲେ। କିନ୍ତୁ ଅସୁସ୍ଥତା ଯୋଗୁଁ ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ। ଜୀବନର ଶେଷ ପର୍ଯ୍ୟାୟରେ ସେ ଚଳଚ୍ଚିତ୍ର ନିର୍ଦ୍ଦେଶନା ପ୍ରତି ମଧ୍ୟ ଆଗ୍ରହ ପ୍ରକାଶ କରିଥିଲେ। କିନ୍ତୁ ସେହି ସ୍ୱପ୍ନକୁ ପୂରଣ କରିବା ପାଇଁ ସମୟ ତାଙ୍କୁ ସୁଯୋଗ ଦେଇନଥିଲା।

ALSO READ - ପୁଣି ଏକାଠି ନଜର ଆସିବେ ‘ସାୟାରା’ ଯୋଡ଼ି ! ଜନ୍ମ ଦିନରେ ଆସିଲା ଖୁସି ଖବର

୨୩ ଫେବୃଆରୀ ୧୯୬୯ରେ, ମାତ୍ର ୩୬ ବର୍ଷ ବୟସରେ ମଧୁବାଲାଙ୍କ ଦେହାନ୍ତ ହୋଇଥିଲା। ତାଙ୍କ ସହ ଅନେକ ଅଧୁରା ସ୍ୱପ୍ନ ମଧ୍ୟ ଅଧୁରା ରହିଗଲା। କିନ୍ତୁ ତାଙ୍କ ଅଭିନୟ ଓ ପରଦାରେ ସୃଷ୍ଟି କରିଥିବା ଯାଦୁ ସମୟକୁ ଅତିକ୍ରମ କରି ଆଜି ବି ଜୀବନ୍ତ ରହିଛି। ତାଙ୍କ ଜୀବନ ଆମକୁ ମନେ ପକାଇଦିଏ ଯେ ପରଦାରେ ଦେଖାଯାଉଥିବା ଚମକ ପଛରେ ମଧ୍ୟ ଲୁଚି ରହିପାରେ ଅନେକ ଅକୁହା ଯନ୍ତ୍ରଣା। ଦର୍ଶକଙ୍କୁ ହସାଉଥିବା ମୁହଁଟି ନିଜ ଜୀବନରେ କେତେ ଯନ୍ତ୍ରଣା ସହୁଥିଲା, ତାହା ସବୁବେଳେ ଜଣାପଡ଼େ ନାହିଁ। ଆଜି ମଧ୍ୟ ଯେତେବେଳେ ‘ମୁଗଲ୍-ଏ-ଆଜମ୍’ରେ ଅନାରକଲିଙ୍କୁ ଦେଖାଯାଏ, ସେତେବେଳେ ମନେ ହୁଏ କିଛି କଳାକାର ସମୟ ସହ ବିଦାୟ ନିଅନ୍ତି ନାହିଁ। ସେମାନେ ନିଜ କଳା ମାଧ୍ୟମରେ ସବୁଦିନ ପାଇଁ ଅମର ହୋଇ ରହିଯାଆନ୍ତି। ମଧୁବାଲା ସେହି ଅମର ତାରକାଙ୍କ ମଧ୍ୟରୁ ଜଣେ ଯାହାଙ୍କ ଜୀବନ ସଂକ୍ଷିପ୍ତ ଥିଲା, କିନ୍ତୁ ଯାହାଙ୍କ କଳାର ଆଲୋକ ଆଜି ବି ମଳିନ ହୋଇନାହିଁ।