ନୂଆଦିଲ୍ଲୀ ୧୬।୧୦; ବଲିଉଡ୍ ଅଭିନେତା ରାଜପାଲ ଯାଦବ। ତାଙ୍କୁ ଏବେ ଚେକ୍ ବାଉନ୍ସ ମାମଲାରେ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି । ତାଙ୍କ ପାସପୋର୍ଟ ଜାରି କରିବାକୁ ସୁପ୍ରିମକୋର୍ଟ ତଳ କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ କାନାଡାରେ ହେବାକୁ ଥିବା ଏକ କନସର୍ଟରେ ଯୋଗଦେବା ପାଇଁ ତାଙ୍କ ବିଦେଶ ଯାତ୍ରାର ରାସ୍ତା ସହଜ ହୋଇଛି ।

ଶୁଣାଣି ସମୟରେ ରାଜପାଲ ଯାଦବଙ୍କ ଓକିଲ କୋର୍ଟଙ୍କୁ ଜଣାଇଥିଲେ ଯେ, ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଅକ୍ଟୋବର ୧୩ ତାରିଖରେ ଅବଶିଷ୍ଟ ୮୫ ଲକ୍ଷ ଟଙ୍କା କୋର୍ଟ ରେଜିଷ୍ଟ୍ରିରେ ଜମା କରାଯାଇଛି । ଏହା ପୂର୍ବରୁ ସୁପ୍ରିମକୋର୍ଟ ତାଙ୍କୁ ୧ କୋଟି ୧୫ ଲକ୍ଷ ଟଙ୍କା ତୁରନ୍ତ ଏବଂ ଅବଶିଷ୍ଟ ୮୫ ଲକ୍ଷ ଟଙ୍କା ଅକ୍ଟୋବର ୧୩ ସୁଦ୍ଧା ଜମା କରିବାକୁ କହିଥିଲେ ।

ରାଜପାଲ ଯାଦବ କାନାଡା ଯାଇ କନସର୍ଟରେ ଯୋଗଦେବେ । ସେଠାରୁ ମିଳିବାକୁ ଥିବା ଆୟ ଦେୟ ପ୍ରକ୍ରିୟାରେ ସହାୟକ ହୋଇପାରିବ ବୋଲି ତାଙ୍କ ଓକିଲ ଯୁକ୍ତି ରଖିଥିଲେ । ଏହାପରେ ସୁପ୍ରିମକୋର୍ଟ ତାଙ୍କ ପାସପୋର୍ଟ ଜାରି କରିବା ପାଇଁ ତଳ କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ମାମଲାର ସୌହାର୍ଦ୍ଦପୂର୍ଣ୍ଣ ସମାଧାନ ତଥା ଆପୋଷ ବୁଝାମଣା ପାଇଁ ମଧ୍ୟ ପ୍ରକ୍ରିୟା ଆଗକୁ ବଢ଼ିଛି ।

୭ଟି ଚେକ୍ ହୋଇଥିଲା ବାଉନ୍ସ

ରିପୋର୍ଟ ଅନୁଯାୟୀ, ୨୦୧୩ ମସିହାରେ ରାଜପାଲ ଯାଦବ ମୋଟ ୧ କୋଟି ୫ ଲକ୍ଷ ଟଙ୍କାର ସାତଟି ଚେକ୍ ଜାରି କରିଥିଲେ । କିନ୍ତୁ ସମସ୍ତ ଚେକ୍ ବାଉନ୍ସ ହେବା ପରେ ମୁରଲୀ ପ୍ରୋଜେକ୍ଟସ୍ ପକ୍ଷରୁ ସାତଟି ପୃଥକ ମାମଲା ଦାୟର କରାଯାଇଥିଲା । ୨୦୧୮ ଏପ୍ରିଲରେ ମାଜିଷ୍ଟ୍ରେଟ୍ କୋର୍ଟ ରାଜପାଲ ଯାଦବଙ୍କୁ ଦୋଷୀ ସାବ୍ୟସ୍ତ କରି ଛଅ ମାସର ଜେଲଦଣ୍ଡ ଶୁଣାଇଥିଲେ। ପରେ ମାମଲା ସେସନ୍ସ କୋର୍ଟ ଏବଂ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଥିଲା ।

ତଥ୍ୟ ଅନୁଯାୟୀ, ୨୦୨୬ ଜୁଲାଇରେ ଦିଲ୍ଲୀ ହାଇକୋର୍ଟ ସାତଟି ମାମଲାରେ ତାଙ୍କ ଦୋଷସିଦ୍ଧିକୁ ବଜାୟ ରଖି ତିନି ମାସର କାରାଦଣ୍ଡ ଦେଇଥିଲେ । ଦେୟ ପ୍ରଦାନର ପ୍ରତିଶ୍ରୁତି ବାରମ୍ବାର ପୂରଣ ନହେବା ପରେ ତାଙ୍କୁ ଆତ୍ମସମର୍ପଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ଏବେ ଅବଶିଷ୍ଟ ଟଙ୍କା ଜମା ହେବା ଏବଂ ପାସପୋର୍ଟ ଜାରି ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜପାଲ ଯାଦବଙ୍କ ବିଦେଶ ଯାତ୍ରା ନେଇ ଆଶା ସୃଷ୍ଟି ହୋଇଛି । ତେବେ ଚେକ୍ ବାଉନ୍ସ ମାମଲାର ଅନ୍ତିମ ସମାଧାନ ପାଇଁ ଆଗାମୀ ଆଇନଗତ ପ୍ରକ୍ରିୟା ଗୁରୁତ୍ୱପୂର୍ଣ୍ଣ ରହିବ ।