ମୁମ୍ଵାଇ ୧୬।୧୦; ବଲିଉଡ୍‌ର ଭାଇଜାନ୍ ସଲମାନ ଖାନ୍ ଏବଂ କରିସ୍ମା କପୁରଙ୍କ ଯୋଡ଼ିକୁ କିଏ ବା ନ ଜାଣେ! ଉଭୟଙ୍କ ପୁରୁଣା ଫିଲ୍ମ ଏବଂ କେମିଷ୍ଟ୍ରି ଆଜିବି ଦର୍ଶକଙ୍କ ମନରେ ତାଜା ଅଛି। କିନ୍ତୁ କରଣ ଜୋହରଙ୍କ ଶୋ’ରେ ସଲମାନ ଖାନ୍ କରିସ୍ମାଙ୍କୁ ନେଇ ଏପରି ଏକ ମଜାଦାର କଥା କହିଥିଲେ, ଯାହା ଶୁଣି ଷ୍ଟୁଡିଓରେ ଥିବା ସମସ୍ତ ଲୋକ ହସି ହସି ଗଡ଼ିଯାଇଥିଲେ!

କରଣ ଜୋହରଙ୍କ ଲୋକପ୍ରିୟ ଟକ୍ ଶୋ’ ‘କଫି ୱିଥ୍ କରଣ’ରେ କରିସ୍ମା ଏବଂ ସଲମାନଙ୍କ ବନ୍ଧୁତାକୁ ନେଇ ବଡ଼ ରୋଚକ ଆଲୋଚନା ହୋଇଥିଲା। ଏକାଠି ୧୧ଟି ଫିଲ୍ମ ଏବଂ ଅନେକ ଷ୍ଟେଜ୍ ଶୋ’ କରିଥିବା ଏହି ଦୁଇ କଳାକାରଙ୍କ ସମ୍ପର୍କକୁ ନେଇ ଯେତେବେଳେ କରଣ ପ୍ରଶ୍ନ କଲେ, ସେତେବେଳେ କରିସ୍ମା ସ୍ପଷ୍ଟ କରିଥିଲେ ଯେ ସଲମାନଙ୍କ ସହ ତାଙ୍କର ଗଭୀର ବନ୍ଧୁତା ଥିଲା, କିନ୍ତୁ କୌଣସି ପ୍ରେମ ସମ୍ପର୍କ ନଥିଲା।

ବସ୍, ଏହା ଶୁଣିବାକ୍ଷଣି ସଲମାନ ନିଜର ଚୁଟ୍କୁଲା ଅନ୍ଦାଜରେ କହିଥିଲେ,“ଏ ମିଛ କହୁଛନ୍ତି,ଆମର ଆଫେୟାର ଥିଲା!”ଏତିକି କହି ସଲମାନ ଅଟକି ନଥିଲେ, ବରଂ ଆହୁରି ମଜା କରି କହିଲେ,“ତା’ପରେ ମୋତେ ଛାଡ଼ିଦେଇ ବିବାହ କରିନେଲେ,ମୋ ହୃଦୟ ଭାଙ୍ଗିଗଲା!”ସଲମାନଙ୍କ ଏହି ଥଟ୍ଟା ଶୁଣି କରିସ୍ମା ହସି ହସି ତାଙ୍କୁ ଚୁପ୍ ରହିବାକୁ କହିଥିଲେ।

କେବଳ ସେତିକି ନୁହେଁ, କରିସ୍ମା ମଧ୍ୟ ସେମାନଙ୍କ ପ୍ରଥମ ସାକ୍ଷାତର ଏକ ସୁନ୍ଦର କାହାଣୀ ଶୁଣାଇଥିଲେ। ‘ମୈନେ ପ୍ୟାର କିୟା’ ପରେ ସଲମାନଙ୍କ ଷ୍ଟାରଡମ୍ ଆକାଶଛୁଆଁ ଥିଲା। ଆଉ କରିସ୍ମାଙ୍କୁ ସେତେବେଳେ ମାତ୍ର ୧୬ ବର୍ଷ ବୟସ ହୋଇଥିଲା। ସେ ସରୋଜ ଖାନ୍ଙ୍କ ପାଖରେ ଡାନ୍ସ ଶିଖୁଥିବା ବେଳେ ସଲମାନ ‘ବାଗୀ’ ଫିଲ୍ମ ପାଇଁ ସେଠାରେ ରିହର୍ସାଲ୍ କରୁଥିଲେ। ସେତେବେଳେ ସଲମାନ ତାଙ୍କୁ ଡବୁ ଅଙ୍କଲଙ୍କ ଝିଅ କି ବୋଲି ପଚାରିବା ସହ ତାଙ୍କ ପରିଶ୍ରମର ପ୍ରଶଂସା କରି ଏକ ଚକୋଲେଟ୍ ଉପହାର ଦେଇଥିଲେ! ଆଉ ଏହି ଚକୋଲେଟ୍ରୁ ହିଁ ଆରମ୍ଭ ହୋଇଥିଲା ଏହି ଲଜେଣ୍ଡାରୀ ବନ୍ଧୁତା।