ମୁମ୍ଵାଇ ୧୬।୧୦; ବଲିଉଡ୍ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ନାନା ପାଟେକରଙ୍କ ଦେହାନ୍ତ ପରେ ସେ ଲଗାତାର ତାଙ୍କୁ ଟାର୍ଗେଟ୍ କରିଆସୁଥିବା ବେଳେ, ବର୍ତ୍ତମାନ ସେ ଏପରି କିଛି ଖୁଲାସା କରିଛନ୍ତି ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ଜୀବନ୍ତ ଲୋକଙ୍କ ଅପେକ୍ଷା ଶ୍ମଶାନରେ ଅଧିକ ଶାନ୍ତି ମିଳିଥାଏ!

ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଥିବା ନୂଆ ଭିଡିଓରେ ତନୁଶ୍ରୀ ପ୍ରଶଂସକମାନଙ୍କ ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ ସ୍ୱାସ୍ଥ୍ୟ ଭଲ ନଥିବାରୁ ସେ ଏକ ଶ୍ମଶାନକୁ ଯାଇଥିଲେ। ସେଠାକାର ପରିବେଶ ତାଙ୍କୁ ବହୁତ ଶାନ୍ତି ଦେଇଥାଏ। ତନୁଶ୍ରୀ ଦାବି କରିଛନ୍ତି ଯେ, "୫୦୦ ବର୍ଷ ପୂର୍ବେ ମୋର ପୂର୍ବପୁରୁଷମାନେ ଅଘୋରୀ ଥିଲେ। ମୁଁ ଛୋଟ ଥିବାବେଳେ ସେମାନଙ୍କୁ ଦେଖୁଥିଲି ଏବଂ ଆଜି ମଧ୍ୟ ସେମାନଙ୍କୁ ମୋ ସ୍ୱପ୍ନରେ ଦେଖେ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ତାଙ୍କୁ ଯେଉଁ ଶାନ୍ତି ମିଳେ, ତାହା ସେ ଜୀବିତ ଲୋକଙ୍କ ମଧ୍ୟରେ କେବେବି ପାଆନ୍ତି ନାହିଁ। ଶ୍ମଶାନରେ ସେ ବିଭିନ୍ନ ଅଘୋରୀଙ୍କୁ ମଧ୍ୟ ଦେଖିବାକୁ ପାଆନ୍ତି ବୋଲି ସେ ପ୍ରକାଶ କରିଛନ୍ତି। କେବଳ ଏତିକି ନୁହେଁ, ତନୁଶ୍ରୀ ପୁଣିଥରେ ସ୍ୱର୍ଗତ ଅଭିନେତା ନାନା ପାଟେକରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ ଦାବି କରିଛନ୍ତି ଯେ, ସେ ଭଗବାନଙ୍କୁ ପଚାରିଥିଲେ ଯେ ନାନା ନର୍କକୁ ଯାଇଛନ୍ତି କି ନାହିଁ-ଯାହା ଶୁଣିବା ପରେ ହିଁ ତାଙ୍କୁ ପ୍ରକୃତ ଶାନ୍ତି ମିଳିବ। ତନୁଶ୍ରୀଙ୍କ କହିବା କଥା, ସେ ଆତ୍ମାମାନଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛନ୍ତି କାରଣ ତାଙ୍କ ପାଖରେ 'ସାଧନା' ବଳରେ ଏପରି କ୍ଷମତା ରହିଛି।

ବହୁ ବର୍ଷ ହେବ ମନୋରଞ୍ଜନ ଜଗତରୁ ଦୂରେଇ ରହିଥିବା ତନୁଶ୍ରୀ ଦତ୍ତଙ୍କ ଏହି ଆଶ୍ଚର୍ଯ୍ୟଜନକ ବୟନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି କଥାଗୁଡ଼ିକ କେତେଦୂର ସତ ଏବଂ କେତେଦୂର କଳ୍ପିତ, ତାହା କେବଳ ତନୁଶ୍ରୀ ହିଁ ଜାଣନ୍ତି, କିନ୍ତୁ ତାଙ୍କର ଏଭଳି ମନ୍ତବ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି।