ମାହାଙ୍ଗା ୨୪।୫: କନ୍ୟା ସନ୍ତାନ ଜନ୍ମ ହେଲା ବୋଲି ବାପା-ମା’ଙ୍କୁ ଅକଥନୀୟ ନିର୍ଯାତନା । ପୁଅ-ବୋହୂଙ୍କୁ ଗାଁ ଦାଣ୍ଡରେ ଶାଶୁ-ଶ୍ବଶୁର ଓ ନଣନ୍ଦ ଅକଥନୀୟ ନିର୍ଯାତନା ଦେବା ସହ ନିସ୍ତୁକ ମାଡ ମାରିଥିବା ଅଭିଯୋଗ । ନିର୍ଯାତନାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଦେଖିବାକୁ ମିଳିଛି । ମାହାଙ୍ଗା ବ୍ଲକ୍ ଶ୍ରୀକୃଷ୍ଣପୁର ପଞ୍ଚାୟତର ପଶୁଲୁଣ୍ଡା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଅଭିଯୋଗ ଅନୁସାର, କାନପୁର ଗ୍ରାମର ଅଜୟ ଜେନାଙ୍କ ଝିଅ ୪ ବର୍ଷ ତଳେ ପଶୁଲୁଣ୍ଡା ଗ୍ରାମର ସମୁଲ୍ୟ ଜେନାଙ୍କ ପୁଅ ଚନ୍ଦ୍ରଶେଖର ଜେନାଙ୍କ ସହିତ ବୈଦିକ ରୀତିରେ ବିବାହ ହୋଇଥିଲା । ବିବାହ ପରେ ଶାଶୁ ଘର ଲୋକେ ବୋହୂଙ୍କୁ ଯୌତୁକ ନିର୍ଯାତନା ଦେଇ ଆସୁଥିଲେ । ଗୋଟେ ମାସ ତଳେ ବୋହୂ ଦୁଇ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । କାହିଁକି କନ୍ୟା ସନ୍ତାନ ହେଲା ବୋଲି ବିରୋଧ କରିଥିଲେ ଶାଶୁ-ଶ୍ବଶୁର । ପୁଅ କାହିଁକି ଜନ୍ମ କଲୁନି, ଝିଅ ଦୁଇଟାକୁ ମାରିଦେ ନହେଲେ ଆମେ ତୋତେ ଜୀବନରୁ ମାରିଦେବୁ । ଏହାପରେ ପୁଅ ଓ ବୋହୂଙ୍କୁ ଗାଁ ଦାଣ୍ଡରେ ତଳେ ପକାଇ ଜୀବନରୁ ମାରି ଦେବାକୁ ଚେଷ୍ଟା କରିଥିଲେ ଶାଶୁ-ଶ୍ବଶୁର ଓ ନଣନ୍ଦ । ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।

Also Read:- ଜମିବାଡ଼ି ବିବାଦରୁ ଦାଦା-ଖୁଡ଼ିଙ୍କୁ ଛୁରିରେ ଆକ୍ରମଣ, ଅଭିଯୁକ୍ତ ପୁତୁରା ଫେରାର

ଏହି ଘଟଣାରେ ଶାଶୁ-ଶ୍ବଶୁର ଓ ନଣନ୍ଦଙ୍କ ନାମରେ ମାହାଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ପୁଅ ଓ ବୋହୂ । ଏଭଳି ସମ୍ବେଦନଶୀଳ ଘଟଣାରେ ଏ ପର୍ଯ୍ୟନ୍ତ ମାହାଙ୍ଗା ପୋଲିସ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇନାହିଁ ।