କୋଣାର୍କ ୨୪।୫: ରକ୍ତମୁଖା ସାଜିଲା ନିଜ ରକ୍ତ । ରକ୍ତ ସମ୍ପର୍କକୁ ଭୁଲିଗଲା । ନିଜ ଦାଦା-ଖୁଡ଼ିକୁ ବି ଛାଡ଼ିଲାନି । ତାହା ପୁଣି ଜମିବାଡ଼ି ବିବାଦକୁ କେନ୍ଦ୍ରକରି । ପୁତୁ଼ରାରର ଛୁରା ମାଡ଼ରେ ଗୁରୁତର ହେଲେ ଉଭୟ ଦାଦା ଓ ଖୁଡ଼ି । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମେଡିକାଲରେ ହେଲେ ଭର୍ତ୍ତି । ସେପଟେ ଅଭିଯୁକ୍ତ ପୁତୁରା ସହ ଅନ୍ୟ ଦୁଇ ସହଯୋଗୀ ଘଟଣାସ୍ଥଳ ଛାଡ଼ି ଫେରାର ହୋଇଯାଇଛନ୍ତି ।

ପୁରୀ ଜିଲ୍ଲା ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଣ୍ଢିଆ ସାହି ଗ୍ରାମରେ ନିଜ ରକ୍ତର ପୁତୁରା ସାଜିଲା ରକ୍ତମୁଖା । ସାମାନ୍ୟ ଜମିବାଡି ବିବାଦକୁ କେନ୍ଦ୍ରକରି ନିଜ ଦାଦା ଓ ଖୁଡ଼ିକୁ ଛୁରା ମାଡ଼ କରିଥିବା ଜଣାପଡିଛି । ଅଣ୍ଡିଆ ସାହି ଗ୍ରାମର ବାସିନ୍ଦା ପ୍ରକାଶ ଚନ୍ଦ୍ର ବେହେରା ଓ ତାଙ୍କ ପତ୍ନୀ ନିରୋଜ ନଳିନୀ ସାହୁ ତାଙ୍କ ଘରେ ଥିବା ସମୟରେ ପୁତୁରା ଅଗ୍ନି ତନ୍ମୟ ବେହେରା ଅନ୍ୟ ଦୁଇ ସହଯୋଗୀଙ୍କ ସହ ସେଠାରେ ପହଞ୍ଚିଥିଲେ । ଜମିବାଡି ବିବାଦକୁ କେନ୍ଦ୍ରକରି ପ୍ରକାଶ ଏବଂ ତାଙ୍କ ପତ୍ନୀଙ୍କ ସହିତ ବଚସା କରିଥିଲେ । ପରବର୍ତ୍ତୀ ସମୟରେ ସାମାନ୍ୟ ବଚସା ଉଗ୍ରରୂପ ନେବା ସହ ପୁତୁରା ଅଗ୍ନି ତନ୍ମୟ ରାଗିଯାଇ ପାଖରେ ଥିବା ଏକ ଛୁରି ମାଧ୍ୟମରେ ପ୍ରଥମେ ପ୍ରକାଶଙ୍କ ମୁଣ୍ଡ, ବେକ ଓ ପିଠି ସହିତ ଶରୀରର ବିଭିନ୍ନ ସ୍ଥାନକୁ ଆକ୍ରମଣ କରିଥିଲା । ପତ୍ନୀ ନିରୋଜ ନଳିନୀ ପୁତୁରାକୁ ରୋକିବାକୁ ଚେଷ୍ଟା କରିଥିଲେ ହେଲେ ରକ୍ତମୁଖା ପୁତୁରା ଖୁଡିଙ୍କୁ ମଧ୍ୟ ଛୁରି ସାହାଯ୍ୟରେ ଆକ୍ରମଣ କରିଥିଲା ।

Also Read: ରାଜଧାନୀରେ ପୁଣି hit and run case : ଯାତ୍ରୀବାହୀ ଅଟୋକୁ ପିଟିଲା, ବାଇକ୍ ଆରୋହୀଙ୍କୁ ବି ଧକ୍କା ଦେଲା

ଘଟଣାସ୍ଥଳରେ ପ୍ରକାଶ ଏବଂ ତାଙ୍କ ପତ୍ନୀ ରକ୍ତ ଝୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ରହିଥିବା ବେଳେ ତାଙ୍କ ଝିଅ ଶିବାନୀ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ଦୁହିଁଙ୍କୁ ଗୁରୁତର ଆହତ ଅବସ୍ଥାରେ ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ତେବେ ଏନେଇ ଝିଅ ଶିବାନୀ ବେହେରା ନିମାପଡ଼ା ଥାନାରେ ଅଭିଯୋଗ କରିଥିବା ବେଳେ ଅଭିଯୁକ୍ତ ପୁତୁରା ଓ ଅନ୍ୟ ଦୁଇ ସହଯୋଗୀ ଘଟଣାସ୍ଥଳରୁ କେଉଁଆଡ଼େ ଫେରାର ହୋଇଯାଇଛନ୍ତି । ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।