କଟକ: କଟକ ବାରବାଟୀ ବିଧାୟିକା । କ୍ରସ ଭୋଟିଂ କରି ନିଲମ୍ୱନ ହେବା ପରେ ଭାରି ମାପିଚୁପି ଉତ୍ତର ଦେଉଛନ୍ତି । ପଚାରିଲେ ବି ଉତ୍ତର ସିଧାସଳଖ ନଦେଇ ଏଡ଼ାଇ ଦେଉଛନ୍ତି ପ୍ରସଙ୍ଗ । ଆଜି ଭାଇଚାରର ସହରରେ ପାଳିତ ହୋଇଥିଲା ଇଦ୍ । ଏହି ଉତ୍ସବରେ ସାମିଲ ହୋଇଥିଲେ କଟକ ବାରବାଟୀ ବିଧାୟିକା । ତେବେ ଏହି ଅବସରରେ ସେ କଟକବାସୀଙ୍କୁ ଇଦ୍ ଶୁଭେଚ୍ଛା ଜଣାଇଥିଲେ ।

ତେବେ ରାଜ୍ୟସଭା ନିର୍ବାଚନକୁ ଚର୍ଚ୍ଚିତ ଥିବା ବିଧାୟିକା ସୋଫିଆ ଫିର୍ଦୋସଙ୍କ ରାଜନୈତିକ ଭବିଷ୍ୟତ କଣ ହେବ ଗଣମାଧ୍ୟମରେ ପଚରାଯାଇଥିଲା ପ୍ରଶ୍ନ । କାରଣ ସେ ଏବେ କଂଗ୍ରେସର ନିଲମ୍ୱିତ ନେତ୍ରୀ । ତେବେ ସେ ଦଳକୁ ଫେରିବେ ନା ବିକଳ୍ପ ଚିନ୍ତା କରୁଛନ୍ତି । ଏମିତି ଅନେକ ପ୍ରଶ୍ନ, କିନ୍ତୁ ସବୁକିଛିକୁ ବେଶ ଚତୁରତାର ସହ ଏଡାଇ ଦେଉଛନ୍ତି ସୋଫିଆ । ନିଜ ଭବିଷ୍ୟତ ବାବଦରେ ପଚରାଯିବାରୁ ବି କିଛି କହିନଥିଲେ ।

Also Read...Mokim on sofia: ବଳ ଗୋଟାଉଛି ଓଡ଼ିଶା ଜନତା କଂଗ୍ରେସ, ବାପା କହିଲେ ମୋ ଝିଅର ଭବିଷ୍ୟତ...

ଖାଲି କହିଥିଲେ ମୋ ଭବିଷ୍ୟତ ପନ୍ଥା ସ୍ଥିର କରିବେ ଲୋକେ । ଯେହେତୁ ଲୋକଙ୍କ ନେତ୍ରୀ, ସେଥାପାଇଁ ଲୋକେ ସ୍ଥିର କରିବେ ମୋ ରାଜନୈତିକ କ୍ୟାରିୟର । କିନ୍ତୁ ଯେପର୍ଯ୍ୟନ୍ତ ଜୀବନ ଅଛି କଟକ ପାଇଁ ଜାରି ରହିବ ଲଢେଇ । କହିଛନ୍ତି ଲୋକଙ୍କ ସେବା କରିବି, ଲୋକଙ୍କ ପାଇଁ ଲଢ଼େଇ କରିବି । ଆହୁରି ଅଧିକ ସମୟ ମୋ ନିର୍ବାଚନ ମଣ୍ଡଳି ପାଇଁ ଦେବି। କଟକରେ ଯଦି ଆମେ ନିର୍ବାଚନ ଜିତୁଛୁ । ଲୋକଙ୍କ ପାଇଁ ଜିତୁଛୁ ବୋଲି କହିଛନ୍ତି ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ ।

ନିୟମ ଭାଙ୍ଗିଥିଲେ ବିଧାୟକ:

ସୂଚନା ଥାଉକି, ରାଜ୍ୟସଭାରେ କ୍ରସ ଭୋଟିଂ କରିଥିଲେ ବିଧାୟିକ ସୋଫିଆ ଫିର୍ଦ୍ଦୋସ । କଂଗ୍ରେସ ଶିବିରରେ ମହାବିଦ୍ରୋହ ଦେଖିବାକୁ ମିଳିଛି । ଦଳର ଦୁଇ ପ୍ରଭାବଶାଳୀ ବିଧାୟକ ଦାଶରଥି ଗମାଙ୍ଗ ଏବଂ ରମେଶ ଜେନା ଦଳୀୟ ହୁଇପ୍କୁ ଅମାନ୍ୟ କରି କ୍ରସ୍-ଭୋଟିଂ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ରାଜନୀତିରେ ଚହଳ ପଡ଼ିଯାଇଛି ।ତେବେ ପରେ ପିସିସି ସଭାପତି କହିଥିଲେ ଯେ, ଦାଶରଥି ଗମାଙ୍ଗ ଓ ରମେଶ ଜେନା ଦଳୀୟ ଆଦେଶ ବା 'ହୁଇପ୍'କୁ ସମ୍ପୂର୍ଣ୍ଣ ରୂପେ ଅଣଦେଖା କରିଛନ୍ତି ।

ସେମାନେ ନିଜ ଦଳର ପ୍ରାର୍ଥୀଙ୍କୁ ଭୋଟ୍ ନଦେଇ ଅନ୍ୟତ୍ର ଭୋଟ୍ ଦେଇଥିଲେ । ତାଙ୍କ ଉପରେ ଆସ୍କନ ସ୍ୱରୂପ ତାଙ୍କୁ ଦଳରୁ ସସ୍ପେଣ୍ଡ କରାଯାଇଛି । ବିଧାୟକ ରମେଶ ଜେନା, କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଓ ମୋହନା ବିଧାୟକ ଦାଶରଥି ଗମାଙ୍ଗ ସସ୍ପେଣ୍ଡ ହୋଇଛନ୍ତି । ଏଥିସହ ତିନି ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ।

ଏଆଇସିସିକୁ ଚିଠି:

ରାଜ୍ୟସଭା ଭୋଟ ପୂର୍ବରୁ କ୍ରସଭୋଟିଂ ନେଇ ପିସିସି ସଭାପତି ଯେଉଁ ଚେତବନୀ ଦେଇଥିଲେ, ଆଜି ଦଳ ତାହା କରିଛି । ଦଳୀୟ ହ୍ୱିପ ନମାନି କ୍ରସ୍ ଭୋଟିଂ କରିଥିବା ତିନି ବିଧାୟକଙ୍କ ବିଧାୟକ ରମେଶ ଜେନା, ସୋଫିଆ ଫିର୍ଦ୍ଦୋସ ଓ ଦାଶରଥି ଗମାଙ୍ଗଙ୍କୁ ନିଲମ୍ୱିତ କରିଛି କଂଗ୍ରେସ । ପ୍ରେସମିଟ କରି ଦଳ ୪ଟି ଅଭିଯୋଗ ଆଣି ତିନି ବିଧାୟକଙ୍କୁ ନିଲମ୍ୱନ ଘୋଷଣା କରିଛି । ସେଗୁଡ଼ିକ ହେଲା ୧- ପାର୍ଟି ହ୍ୱିପ୍ ମାନିଲେ ନାହିଁ , ୨- ଦଳୀୟ ଶୃଙ୍ଖଳାକୁ ଭଙ୍ଗ କଲେ, ୩- ଦଳୀୟ ସ୍ୱାର୍ଥକୁ ଜଳାଞ୍ଜଳି ଦେଲେ, ୪- ଦଳୀୟ ବିଚାରଧାରାରୁ ଦୂରେଇ ଯାଉଛନ୍ତି । ତିନି ବିଧାୟକଙ୍କ ବିରୋଧରେ ଏତିକିରେ ଅଟକି ଯାଇନି କଂଗ୍ରେସର କାର୍ଯ୍ୟାନୁଷ୍ଠାନ । ୩ ବିଧାୟକଙ୍କୁ ଦଳରୁ ବହିଷ୍କାର ପାଇଁ ଏଆଇସିସିକୁ ଚିଠି ଲେଖିଛି ଦଳ । ସେହିପରି ସେମାନଙ୍କ ସଭ୍ୟପଦ ରଦ୍ଦ ପାଇଁ ଓ ବିଧାନସଭାରେ ସିଟିଂ ଆରେଞ୍ଜମେଣ୍ଟ ପାଇଁ ବାଚସ୍ପତିଙ୍କୁ ଅନୁରୋଧ ଚିଠି ଲେଖାଯାଇଛି ।

ସେପଟେ ଆଜି ସୋଫିଆ ବାପା ମହମ୍ମଦ ମୋକ୍କିମ ଇଦ୍ ଅବସରରେ ପରୋକ୍ଷରେ କହିଥିଲେ ବହୁତ କିଛି । ଏମିତିକି କଂଗ୍ରେସ ଛାଡିବା ନେଇ ପରୋକ୍ଷରେ ଇଙ୍ଗିତ ଦେଇଥିଲେ । ଆହୁରି ବି କହିଥିଲେ ଯେ, ସେ ଆଗକୁ ଜଣେ ଟାଣୁଆ ନେତ୍ରୀ ଭାବେ ପଚିଚୟ ସୃଷ୍ଟି କରିବେ । ହେଲେ ଏସବୁର ପ୍ରକୃତ ଅର୍ଥ କଣ ତାହା ଜାଣିବାକୁ ସୋଫିଆଙ୍କ ସହ ଯୋଗାଯୋଗ ହୋଇଥିଲା । ହେଲେ ସେ କିଛି ନ କହି ଏଡ଼ାଇ ଯାଇଥିଲେ ପ୍ରକୃତ ପ୍ରସଙ୍ଗ ।