ଭୁବନେଶ୍ଵର: ରାଜ୍ୟସଭା ନିର୍ବାଚନ ସରିବା ପରେ କ୍ରସ ଭୋଟିଂକୁ ନେଇ ଜାରି ରହିଛି ବିବାଦ।ଏହା ମଧ୍ୟରେ ସାନଖେମୁଣ୍ଡିରୁ କଂଗ୍ରେସରୁ ନିଲମ୍ବିତ ବିଧାୟକ ରମେଶ ଜେନା ଦେଇଛନ୍ତି ବିସ୍ଫୋରଣ ବୟାନ। କାହିଁକି କ୍ରସ ଭୋଟିଂ କଲେ ତାର କାରଣ କହିବା ସହ ପିସିସି ସଭାପତି ଭକ୍ତ ଦାସଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି କଂଗ୍ରେସ ରୁ ୫ କ୍ରସ୍ ଭୋଟ ହୋଇଛି। ୫ ଭୋଟ ସ୍ଵାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ଯାଇଛି। ପ୍ରଥମ ରାଗ ବିଜେଡି ଓ ଦ୍ୱିତୀୟ ରାଗ କଂଗ୍ରେସ ଉପରେ ଥିଲା। ପ୍ରତିଶୋଧ ନେବାକୁ ଦିଲୀପ ରାୟଙ୍କୁ ଭୋଟ ଦେଲି ବୋଲି ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ରମେଶ ଜେନା।

କଂଗ୍ରେସ କର୍ମୀ ବିଜେଡି ଦ୍ଵାରା ନିର୍ଯାତିତ ହୋଇଥିଲେ

ସେ କହିଛନ୍ତି, ଅଳ୍ପ ଦିନରେ କଂଗ୍ରେସ ଅଫିସ ବନ୍ଦ ହେଉଛି। ପୁଅ ଭୋଟ ଦେଉଥିବା ବେଳେ ବାପା ଏଜେଣ୍ଟ ଥିଲେ। ୨୪ ବର୍ଷ ହେଲା ସବୁ କଂଗ୍ରେସ କର୍ମୀ ବିଜେଡି ଦ୍ଵାରା ନିର୍ଯାତିତ ହୋଇଥିଲେ। ମୋର ଏନକାଉଉଣ୍ଟର କରିବା ପାଇଁ ସିନିୟର୍ ପୋଲିସ୍ ଧମକ ଦେଇଥିଲେ। ଏବେ ପ୍ରତିଶୋଧ ନେଲି। ବିବେକ କହିଲା ବିଜେଡି ଠୁ ପ୍ରତିଶୋଧ ନେବା ପାଇଁ। ମୋ ବୁଢ଼ା ବାପାଙ୍କ ବିରୋଧରେ ବିଜେଡି କେସ୍ କରିଥିଲା। ଏବେ ତାର ପ୍ରତିଶୋଧ ନେଇ ବାପା ମାଆଙ୍କ ସ୍ଵାଭିମାନ ରକ୍ଷା କଲି। ୨୪ ବର୍ଷ ଶାସନରେ ବିଜେଡି ବହୁ ହଇରାଣ କରୁଥିଲା। ଠିକ୍ ସମୟରେ ପ୍ରତିଶୋଧ ନେଲି ଏବଂ ମୁଁ ଠିକ୍ କରିଛି ବୋଲି ରମେଶ କହିଛନ୍ତି।

Also Read: ଦିଲୀପଙ୍କୁ ଭେଟିବା ପରେ ବିଜୟଙ୍କ ବଡ଼ ବୟାନ- ରାଜ୍ୟ ରାଜନୀତିରେ ଆସିବ ବଡ଼ ପରିବର୍ତ୍ତନ

ଭକ୍ତ ଦାସଙ୍କର କିଛି ଅଭିଜ୍ଞତା ନାହିଁ

ସେ କହିଛନ୍ତି, ଗଞ୍ଜାମ ବାଘ ଘାସ ଖାଏ ନାହିଁ। ରାଜ୍ୟ ରାଜନୀତିରେ ପିସିସି ସଭାପତି ଭକ୍ତ ଦାସଙ୍କର କିଛି ଅଭିଜ୍ଞତା ନାହିଁ। ଖାଲି ପଦବୀ ମାଡ଼ି ବସିଛନ୍ତି। ଭକ୍ତ ଦାସ ବିଭିନ୍ନ କମ୍ପାନୀ ଦ୍ୱାରା ପରିଚାଳିତ ହେଉଛନ୍ତି। କଂଗ୍ରେସକୁ ବୁଡ଼େଇ ଦେବେ। ସମସ୍ତଙ୍କ ମତ ନେଉ ନାହାନ୍ତି। ନିଜକୁ ହିଟଲର ଭାବୁଛନ୍ତି ଭକ୍ତ ଦାସ। ଘାସିରାମ ମାଝିଙ୍କୁ ମନ ଇଚ୍ଛା ଟିକେଟ ଦେଇଥିଲେ।ତେଣୁ ମୁଁ ଦଲର ନିଲମ୍ବନକୁ ସ୍ୱାଗତ କରୁଛି। ଓପନ୍ କଲେ ପ୍ରତିଶୋଧ ନେଇ ହୁଏ ନାହିଁ। ସାଇଲେଣ୍ଟ ରହିଲେ ପ୍ରତିଶୋଧ ନେଇ ହୁଏ।

ସୂଚନାଯୋଗ୍ୟ, ରାଜ୍ୟସଭା ନିର୍ବାଚନରେ ଚତୁର୍ଥ ଆସନ ପାଇଁ ବିଜେଡି ଓ କଂଗ୍ରେସର ୧୧ ବିଧାୟକ କ୍ରସ ଭୋଟିଂ କରିଥିଲେ। ଏଥିରୁ ତିନି ଜଣ ବିଧାୟକ ଥିଲେ କଂଗ୍ରେସ। କ୍ରସ ଭୋଟିଂ କରିଥିବା ବିଧାୟକଙ୍କ ମଧ୍ୟରେ ଥିଲେ ସାନଖେମୁଣ୍ଡିର ବିଧାୟକ ରମେଶ ଜେନା। ଏହା ସହିତ କଟକ ବାରବାଟୀ ବିଧାୟକ ସୋଫିଆ ଫିର୍ଦ୍ଦୋସ ଓ ମୋହନା ବିଧାୟକ ଦାଶରଥି ଗମାଙ୍ଗ ମଧ୍ୟ କ୍ରସ ଭୋଟିଂ କରିଥିଲେ। ଏହି ତିନି ବିଧାୟକଙ୍କୁ ପାର୍ଟି ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଯାଇଛି। ବିଧାୟକଙ୍କ କ୍ରସ ଭୋଟିଂ ଫଳରେ ବିଜେପି ସମର୍ଥିତ ସ୍ଵାଧୀନ ପ୍ରାର୍ଥୀ ଦିଲୀପ ରାୟ ବିଜୟୀ ହୋଇଛନ୍ତି।