ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟରେ ନିଜର ପକ୍ଷ ରଖିଛନ୍ତି ଏଆଇଏସ୍‌ଏ ମୁଖ୍ୟ ନେହା ବୋରା । ସେ କହିଛନ୍ତି, ଜାତୀୟ ପତାକା ଉଡ଼ାଇବା ପାଇଁ କୌଣସି ଅନୁମତିର ଆବଶ୍ୟକତା ନାହିଁ । ପୁଲିସର ନୋଟିସ୍‌କୁ ସେ ଖୋଲା ଚ୍ୟାଲେଞ୍ଜ କରିଛନ୍ତି । ଶାନ୍ତି ବଜାୟ ରଖିବା ନେଇ ବଣ୍ଡ ଦାଖଲ କରିବାକୁ ନେହାଙ୍କୁ ନୋଟିସ୍‌ ଦେଇଥିଲା ପୁଲିସ । ନେହା ବୋରାଙ୍କୁ ସ୍ପେଶାଲ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ (SEM)ଙ୍କ ସମ୍ମୁଖରେ ଶାନ୍ତି ରକ୍ଷା ବଣ୍ଡ୍ ଦାଖଲ କରିବାକୁ ପୁଲିସ ନୋଟିସ ଜାରି କରିଥିଲା। ଏହି ନୋଟିସର ବୈଧତାକୁ ନେଇ ନେହା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛି ନେହା । ତେବେ ଦିଲ୍ଲୀ ପୁଲିସ ଏହି ଆବେଦନର ଶୁଣାଣି ଯୋଗ୍ୟତା ଉପରେ ଆପତ୍ତି ଉଠାଇଛି।

CJP ନେତାଙ୍କୁ ଜାମିନ
ମନ୍ଦିର ମାର୍ଗ ପୁଲିସ ଷ୍ଟେସନ ସ୍ଥିତ ଏସଇଏମ କୋର୍ଟ ବୁଧବାର CJPର ଦୁଇ ପ୍ରମୁଖ ନେତା ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏସଇଏମ ରିତୁ ରାଜ୍ ତଦନ୍ତ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଦୁଇ ନେତାଙ୍କୁ ୫୦,୦୦୦ ଟଙ୍କାର ବ୍ୟକ୍ତିଗତ ବଣ୍ଡ୍ ଓ ଜାମିନଦାର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ଶାନ୍ତି ବଜାୟ ରଖିବାକୁ ସେମାନେ ଲିଖିତ ଭାବରେ ପ୍ରତିଶ୍ରୁତି ଦେଇଛନ୍ତି ।

କୋର୍ଟ ସ୍ପଷ୍ଟ କରିଥିଲେ ଯେ, ଆବେଦନକାରୀମାନେ ପ୍ରତ୍ୟେକ ଶୁଣାଣି ତାରିଖରେ ହାଜର ହେବେ ଏବଂ ଶାନ୍ତି ଶୃଙ୍ଖଳା ବଜାୟ ରଖିବେ। ଶୁଣାଣି ସମୟରେ ସୌରଭ ଦାସ ଓ ଆଶୁତୋଷ ରାଙ୍କା ସ୍ୱେଚ୍ଛାକୃତ ଭାବରେ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି । ସେମାନେ ଶାନ୍ତି ଭଙ୍ଗ କରିବେ ନାହିଁ। ସେମାନେ ଜନ୍ତର ମନ୍ତରଠାରେ କୌଣସି ଆନ୍ଦୋଳନ ପାଇଁ ଆହ୍ୱାନ ଦେବେ ନାହିଁ ।  ଆଗାମୀ ଦିନରେ ସମସ୍ତ ପ୍ରତିବାଦ ଆଇନ ଅନୁଯାୟୀ ହେବ। ସେପଟେ ନେହା ବୋରା ଶାନ୍ତି ବଜାୟ ରଖିବା ନେଇ ବଣ୍ଡ ଦାଖଲ ନୋଟିସକୁ ଚ୍ୟାଲେଞ୍ଜ କରିଛନ୍ତି ।